ସୁପାରିସ୍ କରି ବସିଯାଇଛି ସମବାୟ ବିଭାଗ
ମନ୍ତ୍ରୀ କହିଲେ, ଗୃହ ବିଭାଗକୁ ଜଣାଇବି
ଭୁବନେଶ୍ୱର : ଗୋଟିଏ ଦୁଇଟି ନୁହେଁ। ଅବିଭକ୍ତ କୋରାପୁଟ ଜିଲ୍ଲାର ୪୮ଟି ଲ୍ୟାମ୍ପସ୍ରେ ଦୁର୍ନୀତି ହେଲା। ଧାନ ମଣ୍ଡିରେ ‘ଲେବର୍ ଚାର୍ଜ’ ବାବଦକୁ ମଞ୍ଜୁରୀ ରାଶି ଠାରୁ ୩ କୋଟି ୩୬ ଲକ୍ଷ ଟଙ୍କା ଅଧିକ ଖର୍ଚ୍ଚ କରିଦିଆଗଲା। ଅଡିଟ୍ ବେଳେ ଏହି ଅନିୟମିତତା ଧରାପଡ଼ିଲା। ଭିଜିଲାନ୍ସ ବିଭାଗକୁ ତଦନ୍ତ ପାଇଁ ସୁପାରିସ୍ କଲା ସମବାୟ ବିଭାଗ। କିନ୍ତୁ ଦୁଇ ବର୍ଷରୁ ଅଧିକ ହେବ ଭିଜିଲାନ୍ସ ତଦନ୍ତର ନାଁ ଗନ୍ଧ ଧରୁନି। ଫଳରେ ବିଭାଗର ଅର୍ଥକୁ ଚଳୁ କରି ବେଶ୍ ନିର୍ଦ୍ୱନ୍ଦ୍ୱରେ ବୁଲୁଛନ୍ତି ଅଧିକାରୀମାନେ। କେବଳ ତଦନ୍ତ ପାଇଁ ସୁପାରିସ୍ କରି ସମବାୟ ବିଭାଗ ବି ହାତ ଟେକି ଦେଇଛି।
ଏହି ଆର୍ଥିକ ଅନିୟମିତତା ହୋଇଛି ତିନିଟି ଆର୍ଥିକ ବର୍ଷରେ। ୨୦୧୨-୧୩ରୁ ୨୦୧୪-୧୫ ମଧ୍ୟରେ। ସ୍ୱତନ୍ତ୍ର ଅଡିଟ୍ ବେଳେ ଏହା ଧରାପଡ଼ିଲା। ଅବିଭକ୍ତ କୋରାପୁଟ ଜିଲ୍ଲାର ୪୮ଟି ବୃହତାକାର କୃଷି ବହୁମୁଖୀ ସମବାୟ ସମିତି(ଲ୍ୟାମ୍ପ୍ସ୍)ରେ ଧାନ କିଣା ବେଳେ ମଣ୍ଡି ଲେବର୍ ଚାର୍ଜ ବାବଦକୁ ଯେତିକି ଅର୍ଥ ଖର୍ଚ୍ଚ କରିବା ପାଇଁ ଅନୁମତି ଥିଲା, ତାହା ଠାରୁ ଯଥେଷ୍ଟ ଅଧିକ ଅର୍ଥ ଖର୍ଚ୍ଚ କରାଯାଇଛି। ଏହି ଅଧିକ ଅର୍ଥର ପରିମାଣ ୩ କୋଟି ୩୬ ଲକ୍ଷ ୫୧ ହଜାର ୩୦୨ ଟଙ୍କା ବୋଲି ଅଡିଟ୍ ବେଳେ ଜଣାପଡ଼ିଥିଲା। ଏହି ଅର୍ଥ ଖର୍ଚ୍ଚ କରିବା ପାଇଁ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ଠାରୁ କୌଣସି ମଞ୍ଜୁରୀ ନିଆଯାଇ ନ ଥିଲା। ଆଉ ଅଡିଟ୍ ରିପୋର୍ଟରେ ସିଧାସଳଖ ସଂସ୍ଥାର ଏମ୍ଡିମାନଙ୍କୁ ଅଭିଯୁକ୍ତ କରାଯାଇଛି। ଏହା ସହ କୋରାପୁଟ ଉମୁରି ଲ୍ୟାମ୍ପସ୍ରେ ପାଖାପାଖି ୭୪ ଲକ୍ଷ ଟଙ୍କାର ଧାନ କମ୍ ଥିବାର ବି ସ୍ୱତନ୍ତ୍ର ଅଡିଟ୍ ବେଳେ ଜଣାପଡ଼ିଥିଲା।
ଧାନ କିଣାରେ ତଳ ସ୍ତରରେ ଚାଲିଥିବା ଏପରି ଦୁର୍ନୀତି ପଦାକୁ ଆସିଲା ପରେ ସମବାୟ ବିଭାଗରେ ହଲ୍ଚଲ୍ ସୃଷ୍ଟି ହେଲା। କିପରି ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ, ସେ ନେଇ ବିଭାଗ ବାଟ ଖୋଜିଲା। ଶେଷରେ ଏହାର ତଦନ୍ତ କରିବା ପାଇଁ ଭିଜିଲାନ୍ସକୁ ବିଭାଗ ପକ୍ଷରୁ ସୁପାରିସ୍ କରାଗଲା। ଭିଜିଲାନ୍ସ ତଦନ୍ତ କରି ରିପୋର୍ଟ ଦେବା ପରେ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହେଲା।
ଭିଜିଲାନ୍ସକୁ ପ୍ରଥମ ଚିଠି ଗଲା ୨୦୧୫ ନଭେମ୍ବରରେ। ଦ୍ୱିତୀୟ ଚିଠି ଗଲା ୨୦୧୬ ଜାନୁଆରିରେ। ତଥାପି ତଦନ୍ତରେ ଆଖିଦୃଶିଆ ଅଗ୍ରଗତି ହେଲା ନାହିଁ। ଦ୍ୱିତୀୟ ଚିଠି ଯିବାର ଦେଢ଼ ବର୍ଷ ପରେ ଅର୍ଥାତ ୨୦୧୭ ଜୁଲାଇରେ ସମବାୟ ବିଭାଗ ଭିଜିଲାନ୍ସକୁ ଚିଠି ଲେଖି ତଦନ୍ତ କଥା ମନେ ପକାଇଲା। ଏହା ପରେ ବି ଭିଜିଲାନ୍ସ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇଲା ନାହିଁ।
ଶେଷରେ ଗତ ୨୦ ତାରିଖ ଦିନ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ସମବାୟ ବିଭାଗ ପକ୍ଷରୁ ଏକ ଚିଠି ଲେଖାଯାଇ ତଦନ୍ତ କଥା ସ୍ମରଣ କରାଇ ଦିଆଯିବା ସହ ଏ ନେଇ ଅସନ୍ତୋଷ ପ୍ରକାଶ କରାଯାଇଛି। ବିଭାଗର ଉପ ସଚିବ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ସରକାରଙ୍କ ମଞ୍ଜୁରୀ ନିଆଯାଇ ଭିଜିଲାନ୍ସ୍କୁ ଏହି ଦୁର୍ନୀତିର ତଦନ୍ତ ପାଇଁ ସୁପାରିସ୍ କରାଯାଇଥିଲା। ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ବାରମ୍ବାର ଅନୁରୋଧ କରାଯାଇଛି। ତଦନ୍ତ ରିପୋର୍ଟ ମିଳିଲେ ହିଁ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସ୍ୱତନ୍ତ୍ର ଅଡିଟ୍ରୁ ସ୍ପଷ୍ଟ ଜଣାପଡ଼ିଛି ଯେ ମିଳିତ ଭାବେ ଚକ୍ରାନ୍ତ କରାଯାଇ ସରକାରୀ ଅର୍ଥ ହେର୍ଫେର୍ କରାଯାଇଛି। ଏହି ମାମଲାର ଗୁରୁତ୍ୱ ଓ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ସମବାୟ ବିଭାଗ ତୁରନ୍ତ ଏହାର ତଦନ୍ତ ରିପୋର୍ଟ ଆବଶ୍ୟକ କରୁଛି। ତେଣୁ ମାମଲାର ତଦନ୍ତକୁ ତ୍ୱରାନ୍ଵିତ କରି ଯଥାଶୀଘ୍ର ରିପୋର୍ଟ ଦେବାକୁ ଚିଠିରେ ଦର୍ଶାଯାଇଛି।
ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଥିଲେ ବି ଭିଜିଲାନ୍ସ କାହିଁକି ତଦନ୍ତକୁ ତ୍ୱରାନ୍ଵିତ କରୁ ନାହିଁ, ତାହା ବର୍ତ୍ତମାନ ସନ୍ଦେହ ସୃଷ୍ଟି କରୁଛି। ସମବାୟ ବିଭାଗ ପକ୍ଷରୁ ବାରମ୍ବାର ଚିଠି ଲେଖାଯାଉଥିଲେ ବି ଭିଜିଲାନ୍ସ ବିଭାଗ ନିର୍ବିକାର ହେବା ଆଶ୍ଚର୍ଯ୍ୟର ବିଷୟ। ସମବାୟ ବିଭାଗର ଭୂମିକା ବି ସନ୍ଦେହରୁ ଊର୍ଧ୍ୱରେ ନୁହେଁ। ଭିଜିଲାନ୍ସକୁ କେବଳ ଚିଠି ଲେଖି ବିଭାଗ ତା’ର ଦାୟିତ୍ୱ ସାରିଦେଇଛି। ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଅନ୍ୟ କୌଣସି ବିକଳ୍ପ ବାଟ ବିଭାଗକୁ ଦେଖାଯାଉ ନାହିଁ। ମିଳିମିଶି ସମସ୍ତେ କେବଳ ସମୟ ଗଡ଼ାଇ ଚାଲିଛନ୍ତି। ଫଳରେ ଅଭିଯୁକ୍ତ ଅଧିକାରୀମାନେ ଖସିଯିବା ପାଇଁ ବାଟ ପାଇଯାଉଛନ୍ତି।
ଏ ସମ୍ପର୍କରେ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି, ଭିଜିଲାନ୍ସକୁ ତଦନ୍ତ କରି ରିପୋର୍ଟ ଦେବା ପାଇଁ ସୁପାରିସ୍ କରାଯାଇଛି। ଏହାକୁ ତ୍ୱରିତ କଲେ ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ପଦକ୍ଷେପ ନେବାକୁ ସହଜ ହେବ। ତେବେ ଭିଜିଲାନ୍ସ ବିଭାଗର ତଦନ୍ତ ତ୍ୱରାନ୍ଵିତ କରୁ ନ ଥିବା ନେଇ ଗୃହ ବିଭାଗ ଏ ସମ୍ପର୍କରେ ଜଣାଇବେ ବୋଲି ମନ୍ତ୍ରୀ କହିଛନ୍ତି।