ରାଉରକେଲା: ହକି ଇଣ୍ଡିଆ ଲିଗ୍ରେ ଘରୋଇ ଦଳ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ତା’ର ପ୍ରଥମ ବିଜୟ ହାସଲ କରିଛି। ପୂର୍ବରୁ ଖେଳିଥିବା ସମସ୍ତ ୩ଟି ଯାକ ମ୍ୟାଚ୍ରେ ପରାଜୟ ଭୋଗି ପଏଣ୍ଟ୍ ତାଲିକାର ସବା ଶେଷ ସ୍ଥାନରେ ରହିଥିବା ଲାନ୍ସର୍ସ ଆଜିର ବଡ଼ ବିଜୟ ପରେ ପଞ୍ଚମ ସ୍ଥାନକୁ ଉଠିଛି। ଦଳ ଅପରାଜେୟ ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସକୁ ୬-୦ ଗୋଲ୍ରେ ପରାସ୍ତ କରି ଦମ୍ଦାର ପ୍ରତ୍ୟାବର୍ତ୍ତନ କରିଛି।
ମଙ୍ଗଳବାରର ଏହି ମ୍ୟାଚ୍ରେ ଲାନ୍ସର୍ସ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଥିଲା। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିପକ୍ଷ ଦଳ ଉପରେ ଭାରି ପଡ଼ିଥିଲା। ଦଳ ପ୍ରଥମ କ୍ବାର୍ଟର୍ରେ ହିଁ ୩ଟି ଗୋଲ୍ଦେଇ ମ୍ୟାଚ୍କୁ ନିୟନ୍ତ୍ରଣକୁ ଆଣିଥିଲା। ପରବର୍ତ୍ତୀ ତିନି କ୍ବାର୍ଟରରେ ଆଉ ତିନିଟି ଗୋଲ୍ ଦେଇଥିଲା। ସେହିଭଳି ଲାନ୍ସର୍ସ ଚଳିତ ଋତୁରେ ସର୍ବାଧିକ ଗୋଲ୍ ବ୍ୟବଧାନରେ ମ୍ୟାଚ୍ ଜିତିବାର ରେକର୍ଡ ନିଜ ନାଁରେ କରିଛି। ଦଳ ପକ୍ଷରୁ ଥିଏରୀ ବ୍ରିଙ୍କ୍ମ୍ୟାନ୍ ୨ଟି ଗୋଲ୍(୩ ଓ ୪୭) ଦେଇଥିବାବେଳେ ସଞ୍ଜୟ(୪), ଆଲେକଜାଣ୍ଡାର୍ ହେଣ୍ଡ୍ରିକ୍ସ(୬), ନିକୋଲାସ ବନ୍ଦୁରାକ୍(୨୯), ବବି ସିଂହ ଧାମୀ(୪୯) ପ୍ରମୁଖ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।
ସୂଚୀରେ ପରିବର୍ତ୍ତନ
ଚଳିତ ହକି ଇଣ୍ଡିଆ ଲିଗ୍ର ମ୍ୟାଚ୍ ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ତିନିଟି ମ୍ୟାଚ୍ର ସମୟକୁ ବଦଳାଯାଇଛି। ପୁରୁଷ ଲିଗ୍ର ୨୧ତମ ମ୍ୟାଚ୍ କଳିଙ୍ଗ ଲାନ୍ସର୍ସ ଓ ହାଇଦ୍ରାବାଦ ତୁଫାନ୍ସ ମଧ୍ୟରେ ସଂଧ୍ୟା ୬ଟାରେ ଖେଳାଯିବାକୁ ସ୍ଥିରୀକୃତ ହୋଇଥିଲା। ଏହି ମ୍ୟାଚ୍ ଏବେ ରାତି ୮ଟାରେ ଖେଳାଯିବ। ସେହିଭଳି ରାଞ୍ଚିରେ ସନ୍ଧ୍ୟା ୬ଟାରେ ହେବାକୁ ଥିବା ମହିଳା ଲିଗ୍ର ଓଡ଼ିଶା ୱାରିଅର୍ସ୍ ଓ ଦିଲ୍ଲୀ ଏସ୍ଜି ପାଇପର୍ସ ମ୍ୟାଚ୍ ରାତି ସାଢ଼େ ୮ଟାରୁ ଆରମ୍ଭ ହେବ। ଏତଦ୍ବ୍ୟତୀତ ୧୭ ତାରିଖ ରାତି ୮.୧୫ରେ ହେବାକୁ ଥିବା ପୁରୁଷ ଲିଗ୍ର ସୁରମା ହକି କ୍ଲବ୍ ଓ ଶ୍ରାଚୀ ରା’ ବେଙ୍ଗଲ ଟାଇଗର୍ସ ମ୍ୟାଚ୍ ୨୯ ତାରିଖ ସନ୍ଧ୍ୟା ୬ଟାରେ ଖେଳାଯିବ।