କୋରାପୁଟ: ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିଲାଣି। ଭାରତମାଳା ପରିଯୋଜନାରେ ପ୍ରସ୍ତାବିତ ରାସ୍ତାକୁ ନେଇ ମୁଣ୍ଡ ଟେକିଲାଣି ବିବାଦ। କୋରାପୁଟ ଜିଲ୍ଲା ଦେଇ ଯାଉଥିବା ଏହି ରାସ୍ତା ଯୋଗୁଁ ଜମି ହରାଉଥିବା ଲୋକଙ୍କୁ ବଜାର ଦର ଠାରୁ କମ ଅର୍ଥ ଦିଆଯାଉଥିବା ଅଭିଯୋଗ ହୋଇଛି। ଆଜି ଭାରତମାଳା ଜମି ସୁରକ୍ଷା ମଞ୍ଚ ପକ୍ଷରୁ କୋରାପୁଟ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, ମଞ୍ଚର ମୁଖ୍ୟ ଶରତ ବୁରୁଦା, ରଘୁନାଥ ନାୟକ ଓ ବାବୁଲା ବେନିଆଙ୍କ ସହ କୋରାପୁଟ, ସେମିଳିଗୁଡା, ବୋରିଗୁମ୍ମା ବ୍ଲକର ଜମି ହରାଉଥିବା ଗ୍ରାମବାସୀ ଉପସ୍ଥିତ ରହି ଏଡିଏମ ଦେବେନ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହାର ଏକକିତା ନକଲ ନୂଆଦିଲ୍ଲୀସ୍ଥିତ ଜାତୀୟ ରାଜପଥ ପ୍ରାଧୀକରଣକୁ ମଧ୍ୟ ପ୍ରଦାନ କରାଯାଇଛି।
ମିଳିଥିବା ସୂଚନା ମୁତାବକ କୋରାପୁଟ ଜିଲ୍ଲା ଦେଇ ପ୍ରସ୍ତାବିତ ରାୟପୁର-ବିଶାଖାପାଟଣାମ୍ ଅର୍ତନୈତିକ କରିଡର (ଭାରତମାଳା ପରିଯୋଜନା) ଯିବ। ଏଥିରେ କୋରାପୁଟ ତହସିଲର ତୋଳା, ଡଙ୍ଗରୀ, ରେଙ୍ଗାଗୁଡା, ଡୋଳିଆମ୍ବଗୁଡା, ଲିଟିଗୁଡା ମୌଜାର ଜମି, ବୋରିଗୁମ୍ମା, ଦଶମନ୍ତପୁର, ସେମିଳିଗୁଡା ଓ ପଟ୍ଟାଙ୍ଗୀ ତହସିଲର ଶହ ଶହ ଏକର ଜମି ଦେଇ ଯିବ ଏହି ରାସ୍ତା। ଏହି ତହସିଲରେ ଡଙ୍ଗର-୧, ଡଙ୍ଗର-୨, ଡଙ୍ଗର-୩, ଧାନ-୧, ଧାନ-୨ ପାଇଁ ଧାର୍ଯ୍ୟ ହୋଇଥିବା ଅର୍ଥ ଚାଷୀଙ୍କ ପେଟକୁ ଲାତ ସଦୃଶ୍ୟ। ଜମି ହାରାଉଥିବା ଏକର ପ୍ରତି ୩୦ ଲକ୍ଷ ଟଙ୍କା ଧାର୍ଯ୍ୟ କରାଇବାକୁ ଦାବି କରାଯାଇଛି।
ଜାତୀୟ ରାଜପଥ ପ୍ରାଧୀକରଣ ପକ୍ଷରୁ ଏହି ପରିଯୋଜନାକୁ ପରିଚାଳନା କରାଯାଉ ଥିବାବେଳେ ଛତିଶଗଡର ରାୟପୁରରୁ ଆନ୍ଧ୍ର ପ୍ରଦେଶର ବିଶାଖା ପାଟଣା (ମୋଟ ୩୫୯କିମି)କୁ ଓଡ଼ିଶା ଦେଇ ଏହା ଯୋଗ କରିବ। ଓଡ଼ିଶା-ଛତିଶଗଡ ସୀମାନ୍ତ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ କୁଣ୍ଡେଇରୁ ଏହା ଆରମ୍ଭ ହେବାକୁ ରହିଥିବାବେଳେ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଅଣ୍ଡରାଙ୍ଗୀ ଗାଁରେ ଶେଷ ହେବ। କେନ୍ଦ୍ର ଜାତୀୟ ରାଜପଥ ତଥା ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯ୍ୟ ପାଇଁ ଗୁରୁଗାଁଓର ଏକ ଘରୋଇ ଇଞ୍ଜିନିୟରିଂ ସଂସ୍ଥାକୁ ପ୍ରଦାନ କରାଯାଇଛି। ଏହି ରାସ୍ତାର ଆଁରେ ମୋଟ ୧୨୯ଟି ଗାଁ ପଡୁଥିବାବେଳେ କୋରାପୁଟ ଜିଲ୍ଲାରେ ୫୯ଟି ଓ ନବରଙ୍ଗପୁର ଜିଲ୍ଲାରେ ୭୦ଟି ଗାଁ ରହିଛି। ଜମି ଅଧିଗ୍ରହଣ ପାଇଁ ଯେଉଁ ତହସିଲଦେଇ ଏହି ରାସ୍ତା ଯିବ ଉକ୍ତ ତହସିଲଦାର ଏହାର ଦାୟିତ୍ବରେ ରହିବେ। ଏହି ପ୍ରକଳ୍ପ ପାଇଁ ୮୦୯୩ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ଯୋଜନାକୁ ଭତ୍ତି କରି ଏହା ବୃଦ୍ଧି ପାଇବା ଆଶା କରାଯାଉଛି।