ପୁରୀ ଐତିହ୍ୟ କରିଡର ପାଇଁ କ୍ୟାବିନେଟ୍‌ ନିଷ୍ପତ୍ତି : ବିନାମୂଲ୍ୟରେ ଅଧିଗୃହୀତ ଜମି ଶ୍ରୀମନ୍ଦିରକୁ ହସ୍ତାନ୍ତର କରାଯିବ

ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍‌ସ୍‌, ଶ୍ରୀସେତୁ ପାଇଁ ଟେଣ୍ଡର ଅନୁମୋଦନ
୪୬୧ କୋଟି ଟଙ୍କାରେ ନିର୍ମାଣ କରିବ ଏନ୍‌.ସି.ସି ଲିମିଟେଡ଼୍‌
୨୬୦୦ କୋଟି ଗ୍ରିଡକୋ ଋଣ ପାଇଁ ସରକାର ଗ୍ୟାରେଣ୍ଟର
ବାମବେରି-ଯୋଡ଼ା ମଧ୍ୟରେ ୧୪୪ କୋଟିରେ ହେବ ଫ୍ଲାଇ ଓଭର୍‌

ଭୁବନେଶ୍ୱର : ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟ କରିଡରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ନେଇଥିବା ସଂକଳ୍ପ ଆଉ ପାଦେ ଆଗେଇଛି। ସୁରକ୍ଷା କରିଡର ପାଇଁ ଶ୍ରୀମନ୍ଦିର ଚତୁଃର୍ପାଶ୍ବରେ ଅଧିଗୃହୀତ ସରକାରୀ ଓ ବେସରକାରୀ ଜମିକୁ ବିନା ମୂଲ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟିକୁ ହସ୍ତାନ୍ତର କରାଯିବ। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏହି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହାସହିତ ଅବଢ଼ା ଯୋଜନାରେ ପୁରୀଠାରେ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ୍‌ କମ୍ପ୍ଲେକ୍‌ସ୍‌ ଓ ମୂଷା ନଈରେ ଶ୍ରୀସେତୁ ନିର୍ମାଣ ପାଇଁ ଆହ୍ବାନ ହୋଇଥିବା ଟେଣ୍ଡରକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଗ୍ରିଡ଼କୋର ଖର୍ଚ୍ଚ ତୁଲାଇବା ପାଇଁ ଆବଶ୍ୟକ ୨ ହଜାର ୬୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ପାଇଁ ସରକାର ଗ୍ୟାରେଣ୍ଟର ପଡ଼ିବେ। ଟ୍ରାଫିକ୍‌ ସମସ୍ୟା ଦୂର କରିବା ପାଇଁ ୧୪୪ କୋଟି ୧୧ ଲକ୍ଷ ଟଙ୍କା ବ୍ୟୟରେ କେନ୍ଦୁଝର ଜିଲ୍ଲା ବାମବେରିରୁ ଯୋଡ଼ା ଟାଉନ୍‌ ପର୍ଯ୍ୟନ୍ତ ଯାଇଥିବା ଦୀର୍ଘ ୩ କିଲୋମିଟର ଜାତୀୟ ରାଜପଥରେ ଫ୍ଲାଇ ଓଭର ନିର୍ମାଣ ପାଇଁ ଆହ୍ବାନ କରାଯାଇଥିବା ଟେଣ୍ଡର ମଞ୍ଜୁରି ପାଇବା ସହ ମୋଟ ୧୮ଟି ପ୍ରସ୍ତାବ ଉପରେ କ୍ୟାବିନେଟ୍‌ ମୋହର ଲାଗିଛି।

କ୍ୟାବିନେଟ୍‌ ନିଷ୍ପତ୍ତି ମୁତାବକ ପୁରୀଠାରେ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଚାରିପଟେ ଅଧିଗୃହୀତ ହୋଇଥିବା ସମସ୍ତ ଜମିର ସତ୍ତ୍ବାଧିକାର (ଆର୍‌ଓଆର୍‌) ମାଗଣାରେ ଶ୍ରୀମନ୍ଦିର ପରିଚାଳନା କମିଟି ମାର୍ଫତଦାର ରହି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ରେକର୍ଡ଼ କରାଯିବ। ଏ ବାବଦରେ ରେକର୍ଡ଼ ସଂଶୋଧନ ପାଇଁ ଆବଶ୍ୟକ ପ୍ରିମିୟମ୍‌, ବାର୍ଷିକ ଭୂ-କର, ସେସ୍ ଓ ଅନ୍ୟ ଆନୁସଙ୍ଗିକ ଖର୍ଚ୍ଚକୁ ଛାଡ଼ କରାଯାଇଛି। ସେହିପରି ଅବଢ଼ା ଯୋଜନା ଅନ୍ତର୍ଗତ ୪୬୧ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟରେ ପୁରୀ ଜଗନ୍ନାଥ ବଲ୍ଲଭ ମଠରେ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ୍‌ କମ୍ପ୍ଲେକ୍‌ସ୍‌ ଓ ମୂଷା ନଈରେ ପ୍ରସ୍ତାବିତ ଶ୍ରୀସେତୁ ନିର୍ମାଣ ପାଇଁ ଏନ୍‌.ସି.ସି ଲିମିଟେଡ୍‌ ପକ୍ଷରୁ ଦାଖଲ କରାଯାଇଥିବା ସର୍ବନିମ୍ନ ଟେଣ୍ଡରକୁ କ୍ୟାବିନେଟ୍‌ ମଞ୍ଜୁର କରିଛି। ଏହି ୩ଟି ପ୍ରକଳ୍ପ ଆସନ୍ତା ୩୦ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ସରକାର ଦର୍ଶାଇଛନ୍ତି, ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହ ଜାରି ରଖିବାକୁ ହେଲେ ଗ୍ରିଡକୋକୁ ଏନ୍‌ଟିପିସି ପରି ବିଦ୍ୟୁତ ଉତ୍ପାଦନକାରୀ କମ୍ପାନିମାନଙ୍କୁ ବର୍ଦ୍ଧିତ ଦର ଅନୁସାରେ ଅର୍ଥ ପ୍ରଦାନ କରିବାକୁ ପଡ଼ିବ। ଚଳିତ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି)ଙ୍କ ଦ୍ବାରା ଧାର୍ଯ୍ୟ ହୋଇଥିବା ବିଦ୍ୟୁତ ବଣ୍ଟନକାରୀ କମ୍ପାନିମାନଙ୍କଠାରୁ ସଂଗୃହୀତ ରାଜସ୍ବ ଓ ଋଣ ବାବଦକୁ ଗ୍ରିଡକୋ ପାଖରେ ପାଣ୍ଠିର ଅଭାବ ପଡ଼ୁଛି। ଧାର୍ଯ୍ୟ ସମୟ ମଧ୍ୟରେ ବିଦ୍ୟୁତ ଉତ୍ପାଦନକାରୀ କମ୍ପାନିମାନଙ୍କୁ ଅର୍ଥ ପଇଠ ନ କଲେ ରାଜ୍ୟରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ଗ୍ରିଡକୋର ଆର୍ଥିକ ଅଭାବ ଦୂର କରିବା ପାଇଁ ଓଡ଼ିଶାର ସରକାର ଗ୍ୟାରେଣ୍ଟି ଯୋଗାଇ ଆସୁଛନ୍ତି। ସେଥିପାଇଁ ଏଥରକ ବି ସରକାର ଆବଶ୍ୟକ ପରିମାଣର ବ୍ୟାଙ୍କ ଋଣ ପାଇଁ ଗ୍ୟାରେଣ୍ଟର ରହିବେ ବୋଲି କ୍ୟାବିନେଟ ଅନୁମୋଦନ କରିଛି। ସରକାର ଗ୍ୟାରେଣ୍ଟି ରହିଲେ ଗ୍ରିଡକୋ ବ୍ୟାଙ୍କ ଋଣ ଉପରେ ପ୍ରାୟ ୨% ସୁଧ ରିହାତି ପାଇବ। ଗ୍ରିଡକୋର ପରିଚାଳନା ଖର୍ଚ୍ଚ କମ୍‌ ହେଲେ ଶିଳ୍ପ, ସାଧାରଣ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍‌ ଦର କମ୍‌ ହେବ ବୋଲି ସରକାର କହିଛନ୍ତି।

କେନ୍ଦୁଝର ଜିଲ୍ଲାର ଯୋଡ଼ା-ବାମବେରି ଜାତୀୟ ରାଜପଥ ଯୋଡ଼ା ଟାଉନ୍‌ ଦେଇ ଯାଇଛି। ଏହି ଜାତୀୟ ରାଜପଥ ଦେଇ ଦୈନିକ ଶହ ଶହ ଖଣି ବୋଝେଇ ଟ୍ରକ୍‌ ଯାଉଥିବା ଯୋଗୁ ଦୁର୍ଘଟଣା ଓ ପ୍ରଦୂଷଣ ବଢ଼ୁଛି। ଏହି ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ କେନ୍ଦୁଝର ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠି ବିନିଯୋଗରେ ଫ୍ଲାଇ ଓଭର ନିର୍ମାଣ ପାଇଁ ନିର୍ମାଣ ବିଭାଗର ପ୍ରସ୍ତାବକୁ କ୍ୟାବିନେଟ୍‌ ଅନୁମୋଦନ କରିଛି। ଏଥିପାଇଁ ଓବିଆଣ଼୍ଡ୍‌ସିସି ଲିମିଟେଡ଼୍‌କୁ ଟେଣ୍ଟର ମିଳିଛି। ଆସନ୍ତା ୩୦ ମାସ ଭିତରେ ଏହି ଫ୍ଲାଇ ଓଭର ନିର୍ମାଣ କାମ ସମ୍ପୂର୍ଣ୍ଣ କରିବାକୁ ଧାର୍ଯ୍ୟ କରାଯାଇଛି।

ଓଡ଼ିଶା ବେସାମରିକ ସେବା (ପଦୋନ୍ନତି ପାଇଁ ମାନଦଣ୍ଡ) ନିୟମାବଳୀ ୧୯୯୨ରେ ସଂଶୋଧନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଜଣେ ସରକାରୀ କର୍ମଚାରୀ କିମ୍ବା ଅଧିକାରୀଙ୍କ ପଦୋନ୍ନତି ପାଇଁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି), ଚୟନ କମିଟି, ବିଭାଗୀୟ ପଦୋନ୍ନତି କମିଟି (ଡିପିସି) ପିଛିଲା ୫ବର୍ଷର କାର୍ଯ୍ୟଦକ୍ଷତା ରିପୋର୍ଟ (ପାର୍‌)ଗୁଡ଼ିକୁ ବିଚାରକୁ ନେଇଥାନ୍ତି। ପିଛିଲା ୫ ବର୍ଷ ମଧ୍ୟରୁ ଅତି କମରେ ୩ ବର୍ଷର ଚରିତ୍ର ପଞ୍ଜିକା (ପାର୍‌) ନିତାନ୍ତ ଆବଶ୍ୟକ ପଡ଼ିଥାଏ। ବାକି ୨ ବର୍ଷ ଯଦି କେଉଁ ଅଧିକାରୀଙ୍କ ପାର୍‌ ନ ମିଳେ, ତାହେଲେ ସେ କ୍ଷେତ୍ରରେ ସମ୍ପୃକ୍ତ ଅଧିକାରୀଙ୍କର ପିଛିଲା ୫ ବର୍ଷ ବାଦ୍‌ ପୂର୍ବ ୨ବର୍ଷର ଚରିତ୍ର ପଞ୍ଜିକା (ପାର୍‌)କୁ ନେଇ ପଦୋନ୍ନତି ପାଇଁ ବିଚାର କରାଯାଇଥାଏ। କେତେକ କ୍ଷେତ୍ରରେ କର୍ମଚାରୀଙ୍କ ପିଛିଲା ବାର୍ଷିକ ଚରିତ୍ର ପଞ୍ଜିକା (ପାର୍‌) ଉପଲବ୍ଧ ହେଉ ନଥିବାରୁ ପଦୋନ୍ନତି ବିଚାରଯୋଗ୍ୟ ହୋଇପାରୁନାହିଁ। ଏହି ଅସୁବିଧାକୁ ଦୂର କରିବା ପାଇଁ ଓଡ଼ିଶା ବେସାମରିକ ସେବା (ପଦୋନ୍ନତି ମାନଦଣ୍ଡ) ନିୟମାବଳୀ, ୧୯୯୨ରେ ଆବଶ୍ୟକ ସଂଶୋଧନ କରିବାକୁ କ୍ୟାବିନେଟ ନିଷ୍ପତ୍ତି ନେଇଛି। ଅର୍ଥାତ୍‌ ପିଛିଲା ୫ ବର୍ଷ ମଧ୍ୟରୁ ଯେ କୌଣସି ୩୬ ମାସର ପଞ୍ଜିକା ଉପଲବ୍ଧ ହେଲେ ଏବଂ ଅବଶିଷ୍ଟ ବାକି ୨୪ ମାସ ପିଛିଲା ବର୍ଷର ଚରିତ୍ର ପଞ୍ଜିକା ବିଚାରକୁ ନେଇ ପଦୋନ୍ନତି ପାଇଁ ଯୋଗ୍ୟ ବିବେଚିତ କରାଯିବ। ପ୍ରକାଶଥାଉକି, ଏହି ସଂଶୋଧନ ଆସିବା ପୂର୍ବରୁ ଏହି ଢାଞ୍ଚାରେ ଓଡ଼ିଶା ପ୍ରଶାସନିକ ସେବାରେ କିଛି ବର୍ଷ ଧରି ପଦୋନ୍ନତି ଦିଆହେଉଛି।

କ୍ୟାବିନେଟର ଅନ୍ୟ ନିଷ୍ପତ୍ତି ମୁତାବକ, ଓଡ଼ିଶା ଯୋଜନା ସେବା (ନିଯୁକ୍ତି ଏବଂ ଚାକିରୀ ସର୍ତ୍ତାବଳୀ) ନିୟମ ୧୯୯୬ରେ ସଂଶୋଧନ, ଓଡ଼ିଶା ସରକାରୀ ଯାନ୍ତ୍ରିକ ବିଦ୍ୟାଳୟ/ ପଲିଟେକ୍‌ନିକ୍‌ରେ ନିଯୁକ୍ତ ଲାବୋରୋଟରୀ ସହାୟକ (ନିଯୁକ୍ତି ପ୍ରଣାଳୀ ଓ ଚାକିରୀ ସର୍ତ୍ତାବଳୀ) ନିୟମ, ୨୦୨୦ ପ୍ରଣୟନ ଏବଂ ୧୯୫୦ ମସିହାରୁ ୨୦୧୧ ମସିହା ପର୍ଯ୍ୟନ୍ତ ପ୍ରଣୟନ ହୋଇଥିବା ୨୧୪ଟି ବିନିଯୋଗ ଅଧିନିୟମକୁ ନିରସ୍ତ୍ର କରିବା ପାଇଁ ଆଇନ ବିଭାଗରୁ ପ୍ରସ୍ତାବକୁ କ୍ୟାବିନେଟ୍‌ ମୋହର ଲାଗିଛି। ସେହିପରି ବିଧାନସଭାର ଗତ ମୌସୁମୀ ଅଧିବେଶନର ସତ୍ରାବସାନ ଓ ଆସନ୍ତା ଶୀତକାଳୀନ ଅଧିବେଶନକୁ କ୍ୟାବିନେଟ୍‌ ମଞ୍ଜୁରି ମିଳିଛି।

ସମ୍ବନ୍ଧିତ ଖବର