ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଗନ୍ଧମାର୍ଦ୍ଦନ ପାହାଡ଼ର ପାଦଦେଶ ଏବଂ ବିଭିନ୍ନ ସ୍ଥାନରେ ଆଦାନୀର ଜମିକିଣା ମାମଲାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଇତିମଧ୍ୟରେ ଆଦାନୀ କମ୍ପାନିର ଲାଞ୍ଚଦିଆ କାରବାର ଏହି ବିବାଦକୁ ଆହୁରି ତୀବ୍ର କରିଛି। କାହିଁକି ଆଦାନୀ ଖୋଜି ଖୋଜି ବଲାଙ୍ଗୀର ଜିଲ୍ଲାରେ ଜମି କିଣିଛି? କେବଳ ପାହାଡ଼ ପାଖାପାଖି ଅଞ୍ଚଳରେ ଆଦାନୀ କାହିଁକି ଆଖି ପକାଇଲା? ଆଦାନୀର ଲାଞ୍ଚ କାରବାରର ଏହା ଏକ ଅଂଶବିଶେଷ ନୁହଁ ତ? ଏମିତି ଅନେକ ପ୍ରଶ୍ନ ଜନମାନସକୁ ଆନ୍ଦୋଳିତ କରିଛି। ହେଲେ, ଏହାର ବିଧିବଦ୍ଧ ସ୍ପଷ୍ଟୀକରଣ ଦେବାକୁ ସଭିଏଁ ନାରାଜ। ଏଣେ ବଲାଙ୍ଗୀର ଡିଏଫ୍‌ଓ ସୁଦର୍ଶନ ବେହେରା ଶୁକ୍ରବାର ଅଚାନକ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଜିଲ୍ଲା ପ୍ରଶାସନ ପକ୍ଷରୁ ସଫେଇ ଦେଇଛନ୍ତି। ଗୋଟିଏ ହିସାବରେ ଡିଏଫ୍‌ଓ ଶ୍ରୀ ବେହେରା ଆଦାନୀ କମ୍ପାନି ବଲାଙ୍ଗୀରରେ ଖଣି ଖନନ କରିବ ନାହିଁ ବୋଲି କହିଛନ୍ତି। ବରଂ ଯେଉଁ ଜମି କିଣାଯାଇଛି, ‌ସେଥିରେ କେବଳ ବନୀକରଣ ହେବ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି। 

Advertisment

ସଫେଇ ଦେବାକୁ ଅଚାନକ ସାମ୍ବାଦିକ ସମ୍ମିଳନୀ

ଡିଏଫ୍‌ଓ ଶ୍ରୀ ବେହେରାଙ୍କ କହିବା ଅନୁସାରେ, ବଲାଙ୍ଗୀର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ପାଖାପାଖି ୪୫ ହେକ୍ଟର ଜମି ଆଦାନୀ କିଣିଛି। ବନୀକରଣ ସକାଶେ ୩ଶହ ହେକ୍ଟର ଜମି କିଣିବା ଯୋଜନା ରହିଛି। ଷ୍ଟେଜ୍‌-୧ ଅନୁମତି ପରେ ଏସବୁ ଜମିରେ ବନୀକରଣ ହେବ। ୧୦ ବର୍ଷର ରକ୍ଷଣାବେକ୍ଷଣ ଖର୍ଚ୍ଚ ଜମା କରିବା ପରେ ବନବିଭାଗକୁ ଜମି ହସ୍ତାନ୍ତର କରିବ। ଏତିକି କହି ଡିଏଫ୍‌ଓ ଶ୍ରୀ ବେହେରା କମ୍ପାନିକୁ ଖଣି ଖନନ ଚର୍ଚ୍ଚାରୁ କ୍ଲିନ୍‌ଚିଟ୍‌ ଦେଇଛନ୍ତି। ତେବେ ସବୁ ଜମିରେ ବନୀକରଣ ପରେ କମ୍ପାନି ତାକୁ ବନ ବିଭାଗକୁ ହସ୍ତାନ୍ତର କରିବ ନା ନାହିଁ, ତା’ର ଗ୍ୟାରେଣ୍ଟି ଡିଏଫ୍‌ଓ ଦେଇପାରିନାହାନ୍ତି। ଜମି କେବେ ‌ପଞ୍ଜୀକରଣ ହେଲା? କମ୍ପାନିର କେଉଁମାନେ ଏବଂ କେବେ ଏସବୁ ପ୍ରକ୍ରିୟାରେ ସାମିଲ ହେଲେ? ସୁନ୍ଦରଗଡ଼ରେ ଖଣି ଖନନ ବେଳେ ଜଙ୍ଗଲ କାଟ୍‌ର ଭରଣା ପାଇଁ କମ୍ପାନି ବଲାଙ୍ଗୀରକୁ ହିଁ କାହିଁକି ବାଛିଲା? ପାହାଡ଼ ପାଦଦେଶରେ କେବଳ ଜମି ମିଳିଲା କେ‌ମିତି? ଏସବୁ ପ୍ରଶ୍ନ ଡିଏଫ୍‌ଓଙ୍କ ପାଖରୁ ମିଳିନଥିଲା। ଆଶ୍ଚର୍ଯ୍ୟର କଥା, ବର୍ତ୍ତମାନ ଯାଏ ଜିଲ୍ଲାପାଳ ଏହି ପ୍ରସଙ୍ଗରେ ମୁହଁ ଖୋଲିନାହାନ୍ତି। ହେଲେ ଡିଏଫ୍‌ଓଙ୍କ ଜରିଆରେ ସବୁ କଥା କୁହାଇଛନ୍ତି। ରାଜସ୍ବ ବିଭାଗର ବଡ଼ ଭୂମିକା ଥିଲେ ହେଁ କୌଣସି ଅଧିକାରୀ ଜମିକିଣା ପ୍ରସଙ୍ଗରେ ପଦୁଟିଏ କହୁନାହାନ୍ତି। ଡିଏଫ୍‌ଓଙ୍କ ଏହି ତରବରିଆ ସାମ୍ବାଦିକ ସମ୍ମିଳନୀ ଜମି କିଣା ମାମଲା‌କୁ ଆହୁରି ସନ୍ଦେହ ଘେରକୁ ଟାଣି ନେଇଛି।