ଭୁବନେଶ୍ବର: ପୁରୀରେ ନିର୍ମାଣ ହେବାକୁ ଥିବା ‘ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର’ ପାଇଁ ଖୁବ୍ ଶୀଘ୍ର ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ୧୨ଜଣିଆ କମିଟି ଗଠନ ହୋଇଛି। ଏହି କମିଟି ଜମି ଅଧିଗ୍ରହଣ କରିବା ସହ ଜମି ମାଲିକମାନଙ୍କୁ ତୁରନ୍ତ ଉଚିତ ପ୍ରାପ୍ୟ ପ୍ରଦାନ କରିବା, ପୁନଃବସତି ଓ ଥଇଥାନ ନେଇ ପଦକ୍ଷେପ ନେବାକୁ କୁହାଯାଇଛି।
ରାଜସ୍ବ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଏହି କମିଟିରେ ପୁରୀ ଜିଲ୍ଲାପାଳ ଅଧ୍ୟକ୍ଷ ରହିବାକୁ ଥିବାବେଳେ ପୁରୀ ସାଂସଦଙ୍କ ନୋମିନି, ବ୍ରହ୍ମଗିରି ବିଧାୟିକାଙ୍କ ନୋମିନି, ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ, ପୁରୀ ବିମାନବନ୍ଦର ପାଇଁ ନିୟୋଜିତ ହୋଇଥିବା ଜମି ଅଧିଗ୍ରହଣ ଅଧିକାରୀ, ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ କିମ୍ବା ତାଙ୍କ ନୋମିନି, ଗୋରୁଆଳ ଗ୍ରାମପଞ୍ଚାୟତ ସରପଞ୍ଚ, ପ୍ରଭାବିତ ଅଞ୍ଚଳର ଅନୁସୂଚିତ ଜାତିର ପ୍ରତିନିଧି ଭାବେ ସତ୍ୟବାନ ଭୋଇ, ମହିଳା ସଦସ୍ୟ ଭାବେ ପ୍ରଭାବିତ ଅଞ୍ଚଳର ସସ୍ମିତା ବେହେରା, ସଂକଳ୍ପ ଫାଉଣ୍ଡେସନ୍ ଟ୍ରଷ୍ଟର ସୁଚରିତା ପାଢ଼ୀ, ବ୍ୟାଙ୍କ ଅଫ୍ ବରୋଦାର ମ୍ୟାନେଜର ଏହି କମିଟିର ସଦସ୍ୟ ରହିବେ। ପୁରୀ ଉପଜିଲ୍ଲାପାଳ ଏହି କମିଟିର ଆବାହକ ରହିବେ।
ପ୍ରତି ତିନି ମାସରେ ଏହି କମିଟି ନିଶ୍ଚିତ ଥରେ ବସିବ। ପ୍ରତି ବୈଠକରେ କେତେ ଜମି ଅଧିଗ୍ରହଣ ହୋଇଛି ଏବଂ କେତେ ଲୋକଙ୍କୁ ସେମାନଙ୍କ ଜମିର ପ୍ରାପ୍ୟ ମିଳିଛି ସେନେଇ ପ୍ରଥମେ ଆଲୋଚନା ହେବ। ଜମି ଅଧିଗ୍ରହଣ ଶେଷ ହେବା ପରେ ଏକ ତୃତୀୟ ପକ୍ଷ ସଂସ୍ଥା ଦ୍ବାରା ଏହାର ଅଡିଟ୍ ହେବ ବୋଲି ରାଜସ୍ବ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ଯେ, ପୁରୀରେ ନିର୍ମାଣ ହେବାକୁ ଥିବା ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ମୋଟ୍ ୧୧୬୪ ଏକର ଜମି ଆବଶ୍ୟକ ଥିବାବେଳେ ଏଥିରେ ୬୮ଏକର ଜଙ୍ଗଲ ଜମି ଏବଂ ୨୨୧.୪୮ଏକର ଘରୋଇ ଜମି ଅଛି। ବାକି ସବୁ ସରକାରୀ ଜମି ଅଛି। ଏହି ୨୨୧.୪୮ଏକର ଜମି ଅଧିଗ୍ରହଣ ଏବେ ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଥିବାରୁ ଲୋକଙ୍କୁ ସଚେତନ କରି ବୁଝାଇ ସୁଝାଇ ଜମି ଅଧିଗ୍ରହଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/post_attachments/wp-content/uploads/2019/03/airport_mar18.jpg)