ଭୁବନେଶ୍ବର : କେତେକ ଜମିହରାଙ୍କୁ ଆବଶ୍ୟକ କ୍ଷତିପୂରଣ ନଦେଇ ବେସରକାରୀ ଜମି ଅଧିଗ୍ରହଣ କରାଯାଇଥିବା ମାମଲା ସିଏଜିଙ୍କ ନଜରକୁ ଆସିଛି। ଶୁକ୍ରବାର ଦିନ ବିଧାନସଭାରେ ଉପସ୍ଥାପିତ ହୋଇଥିବା ସିଏଜି ରିପୋର୍ଟରେ ଉଲ୍ଲେଖ ରହିଛି ଯେ କେନାଲ୍ ନିର୍ମାଣ ପାଇଁ ବ୍ୟବସ୍ଥିତ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଠିକ୍ ଭାବେ ପାଳନ କରାଯାଉନଥିଲା ଏବଂ ଜମି ମାଲିକମାନଙ୍କୁ କ୍ଷତିପୂରଣ ପ୍ରଦାନ ନକରି ୪୪.୧୦ ଏକର ଜମି ଅଧିଗ୍ରହଣ କରାଯାଇଥିଲା। ଫଳରେ ଜମି ଅଧିଗ୍ରହଣକୁ ନେଇ ରହିଥିବା ନିୟମର ଖୋଲାଖୋଲି ଉଲ୍ଲଂଘନ ହୋଇଥିଲା। ଏଥି ସହିତ ଜମି ମାଲିକଙ୍କ ସମ୍ପତ୍ତି ଅଧିକାରର ଅବମାନନା କରାଯାଇଥିଲା। ଏହି ଘଟଣା କଳାହାଣ୍ଡି କ୍ଷୁଦ୍ର ଜଳସେଚନ ଡିଭିଜନରେ ଘଟିଛି।
ସେହି ଡିଭିଜନର ଭବାନୀପାଟଣା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପାଞ୍ଚଟି ଗ୍ରାମରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ୪୪.୧୦ ଏକର ଜମି ଅଧିଗ୍ରହଣ କରିବାକୁ ଏଲ୍ଏଓ, କଳାହାଣ୍ଡିଙ୍କ ନିକଟରେ ଆବେଦନ କରିଥିଲେ। ନିର୍ଧାରିତ ଦୁଇ ବର୍ଷ ମଧ୍ୟରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇନଥିଲା। ତେଣୁ ଜମି ମାଲିକମାନଙ୍କୁ କୌଣସି କ୍ଷତିପୂରଣ ଦିଆଯାଇନଥିଲା। ନିର୍ବାହୀ ଯନ୍ତ୍ରୀ କିନ୍ତୁ ଅନିୟମିତ ଭାବେ ଉକ୍ତ ଜମିକୁ ଅକ୍ତିଆରକୁ ନେଇ ଜଳସେଚନ ସୁବିଧା ନିମନ୍ତେ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରିଥିଲେ।