କୁଆରମୁଣ୍ଡା : ଇଡ୍କୋ ପକ୍ଷରୁ ଶୁକ୍ରବାର କୁଆରମୁଣ୍ଡା ବ୍ଲକ୍ ଝାରବେଡ଼ା ପଞ୍ଚାୟତର ରିଉଁ ଗ୍ରାମରେ ପତିତ ଜମି ଅଧିଗ୍ରହଣ କରାଯାଇଛି। ମୋଟ ୧୩୪ ଏକରର ଜମିକୁ ଇଡ୍କୋ ହାତକୁ ନେବାକୁ ଯାଉଥିବାବେଳେ ସେଥିମଧ୍ୟରୁ ପ୍ରାୟ ୫ଏକର ରୟତି ଜମି ବିଶେଷ କରି ଗୋଡ଼ା, ମାଳ ଓ ବେଣ୍ଣା ଥିବାବେଳେ ଏଥିରୁ ବେଦଖଲ ନ ହେବା ପାଇଁ ଗ୍ରାମବାସୀ ତୀବ୍ର ବିରୋଧ କରିଥିଲେ।
ଝାରବେଡ଼ା ପଞ୍ଚାୟତର ଝାରବେଡ଼ା, ରିଉଁ, କର୍ମାବାହାଲ, କାରିଚ୍ଛାପଲ ଆଦି ଗ୍ରାମର ଶତାଧିକ ମହିଳା ପୁରୁଷ ଘଟଣାସ୍ଥଳରେ ପହଞ୍ଚି ଇଡ୍କୋକୁ କୌଣସି ପ୍ରକାରେ ଜମି ଦେବେ ନାହିଁ ବୋଲି ଜିଦ୍ରେ ଅଟଳ ରହିଥିଲେ। ମାତ୍ର ବିରୋଧକାରୀଙ୍କ ସଂଖ୍ୟାଠାରୁ ଢେର ଅଧିକ ପୁଲିସ ଫୋର୍ସ ସହ ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ର ଚନ୍ଦ୍ରାକର, ବୀରମିତ୍ରପୁର ତହସିଲଦାର ଅଂଶୁମାନ ଦାଶ, ଏସ୍ଡିପିଓ ମାନସରଞ୍ଜନ ପ୍ରଧାନ, ଥାନା ଅଧିକାରୀ ସୂଚୀସ୍ମିତା ଦାସ ତଥା ଇଡ୍କୋ ଅଧିକାରୀମାନେ ଜମି ଅଧିଗ୍ରହଣ ସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଗ୍ରାମବାସୀ ସରକାରୀ ଅଧିକାରୀଙ୍କୁ ଜମି ଅଧିଗ୍ରହଣ ନ କରିବାକୁ ଯେତେ ଅନୁରୋଧ କରିଥିଲେ ମଧ୍ୟ କେହି ସେମାନଙ୍କ କଥାକୁ ଶୁଣି ନଥିଲେ। ଦୀର୍ଘ ଅଢ଼େଇ ଘଣ୍ଟା ବିରୋଧ ପରେ ଗ୍ରାମବାସୀଙ୍କୁ ଗିରଫ ଭୟ ଦେଖାଇ ପ୍ରଶାସନ ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ କରିଥିଲେ।
ଅପରାହ୍ନ ଅଢ଼େଇଟାରେ ଜମି ଅଧିଗ୍ରହଣ କରିବା ପୂର୍ବରୁ ବିରୋଧକାରୀଙ୍କ ମଧ୍ୟରୁ ୫ ଜଣଙ୍କୁ ପୁଲିସ ଉଠାଇ ନେଇଥିଲା। ଫଳରେ ବିରୋଧକାରୀମାନେ ଛତ୍ରଭଙ୍ଗ ଦେଇ ସେ ସ୍ଥାନ ଛାଡ଼ି ପଳାଇଯାଇଥିଲେ। ଏହି ସମୟରେ ପ୍ରଶାସନ ପକ୍ଷରୁ ଜମି ଚିହ୍ନଟ ସହ ପ୍ରାୟ ୫୦ ଏକର ଜାଗାରେ ସିମେଣ୍ଟ ଖମ୍ବ ପୋତାଯାଇଥିଲା। ଗ୍ରାମବାସୀଙ୍କ ପକ୍ଷରୁ ଝାରବେଡ଼ା ସରପଞ୍ଚ ମାଥିଆସ ଲାକ୍ରା, ସମିତିସଭ୍ୟ ତଥା ଅନ୍ୟମାନେ ଉପସ୍ଥିତ ରହି ଏହି ଜମି ଅଧିଗ୍ରହଣ କାର୍ଯ୍ୟ ଗ୍ରାମସଭାର ଅନୁମତି ନ ନେଇ କରାଯିବାକୁ ଦୃଢ଼ ବିରୋଧ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/3eb3bb7e-570e-4231-9dfe-8c02c51763ee.jpg)