ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଓଡ଼ିଶା ଭୂ ହଡ଼ପ(ନିବାରଣ) ବିଲ୍, ୨୦୧୫କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଫେରାଇ ଦେଇଥିବା ଖବର ମିଳିଛି। ଏହାକୁ ଅନୁମୋଦନ କରିବା ବଦଳରେ ବିଲ୍ରେ କେତୋଟି ସଂଶୋଧନ କରିବା ଲାଗି ସେ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାରଙ୍କୁ ଏହା ଶକ୍ତ ଧକ୍କା ଦେଇଛି।
୨୦୧୫ ଅଗଷ୍ଟରେ ଏହି ବିଲ୍ ବିଧାନସଭାରେ ଅତ୍ୟନ୍ତ ନାଟକୀୟ ଢଙ୍ଗରେ ଅନୁମୋଦନ ଲାଭ କରିଥିଲା। ବିରୋଧୀ ଦଳର କଡ଼ା ବିରୋଧ ସତ୍ତ୍ୱେ ସେହି ସମୟରେ ସରକାର ଏହାକୁ ଅନୁମୋଦନ କରାଇ ନେଇଥିଲେ। ପରବର୍ତ୍ତୀ ସମୟରେ ଏହି ବିଲ୍ ଅନୁମୋଦନ ନ କରାଇବା ଲାଗି ବିଭିନ୍ନ ରାଜନୈତିକ ଦଳ ନେତା, ବୁଦ୍ଧିଜୀବୀ ଓ ସାମାଜିକ ସଂଗଠନ ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ବିଲ୍ ଗରିବ ବିରୋଧୀ ବୋଲି ଦର୍ଶାଯାଇଥିଲା ଓ ଏହି ନିଷ୍ଠୁର ଆଇନ୍କୁ ପ୍ରତ୍ୟାହାର କରିବା ଲାଗି ବିଭିନ୍ନ ମହଲରେ ଦାବି ଉଠିଥିଲା।
ଉଲ୍ଲେଖଯୋଗ୍ୟ, ସରକାରୀ, ସ୍ଥାନୀୟ ପ୍ରାଧିକାରୀ, ଭୂଦାନ ଯଜ୍ଞ ସମିତି, ଧାର୍ମିକ ବା ଦାତବ୍ୟ ଅନୁଷ୍ଠାନ, ଦେବୋତ୍ତର, ଓ୍ଵାକଫ୍ ଜମିକୁ ଆଇନ ଭଙ୍ଗକାରୀ ବ୍ୟକ୍ତିମାନେ ବଳ ପ୍ରୟୋଗ କିମ୍ବା ପ୍ରତାରଣା କରି ହଡ଼ପ କରିଥିଲେ ସେମାନଙ୍କ ବିରୋଧରେ ଓଡିଶା ଭୂମି ହଡ଼ପ (ନିବାରଣ) ବିଧେୟକ, ୨୦୧୫ ଆଇନ ଲାଗୁ ହେବ। ବିଲ୍ରେ ବ୍ୟବସ୍ଥା ଥିଲା ଯେ କୌଣସି ବ୍ୟକ୍ତି ହଡ଼ପ ଜମିକୁ ବିକ୍ରୟ ବା ଆବଣ୍ଟନ କଲେ , ଭୂମି ହଡ଼ପ କରିବା ପାଇଁ କୌଣସି ବ୍ୟକ୍ତିଙ୍କୁ ପ୍ରରୋଚିତ କଲେ ଓ ଏହି ଜମିରେ ନିର୍ମାଣ ପାଇଁ କାହା ସହିତ ରାଜିନାମା କଲେ ଏହା ଦଣ୍ଡନୀୟ ଅପରାଧ ହେବ। ଦୋଷୀକୁ ଏକ ବର୍ଷରୁ ୭ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଦିଆଯିବ ସହିତ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ।
ଭୂମି ହଡ଼ପ ସଂକ୍ରାନ୍ତରେ ଅଭିଯୋଗ ହୋଇଥିବା କୌଣସି କାର୍ଯ୍ୟର ତ୍ୱରିତ ତଦନ୍ତ ଓ ଏ ସଂକ୍ରାନ୍ତ ମାମଲାଗୁଡିକର ବିଚାର ପାଇଁ ସରକାର ଅଧିସୂଚନା ଦ୍ୱାରା ଏକ ସ୍ୱତନ୍ତ୍ର ନ୍ୟାୟାଳୟ ଗଠନ କରାଯିବ। ଏହି ନ୍ୟାୟାଳୟରେ ଜଣେ ଅଧ୍ୟକ୍ଷ ଓ ୪ ଜଣ ସଦସ୍ୟ ନିଯୁକ୍ତ ହେବେ । ସ୍ୱତନ୍ତ୍ର ନ୍ୟାୟାଳୟକୁ ଉଭୟ ଦୌରା ଓ ଫୌଜଦାରୀ କ୍ଷମତା ମିଳିବ । ଜମି ହଡ଼ପ ଅପରାଧ ଧର୍ତବ୍ୟ ଓ ଜାମିନବିହୀନ ହେବ । ଏହି ଆଇନରେ ପୂର୍ବରୁ କୌଣସି ବ୍ୟକ୍ତି ଦୋଷୀ ସାବ୍ୟସ୍ତ ହେବା ପରେ ପୁଣି ଥରେ ସେହି ଅପରାଧ କଲେ ପ୍ରଥମ ଦଣ୍ଡର ଦେଢ଼ ଗୁଣ ଅଧିକ ଦଣ୍ଡ ମିଳିବ। ବିଧାନସଭାରେ ଏହି ବିଲ୍ ଉପରେ ଆଲୋଚନା ସମୟରେ ଜମି ନ ଥିବା ଲୋକଙ୍କୁ ଏହି ଆଇନ୍ରୁ ବାଦ୍ ଦେବାକୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସେତେବେଳେ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବକୁ ପ୍ରଥମେ ଅନୁମୋଦନ ମିଳିଥିଲା।
କିନ୍ତୁ ତାହା ପରଦିନ ଏକ ମୋସନ୍ ଅଣାଯାୟୀ ତତ୍କାଳୀନ ମନ୍ତ୍ରୀ ପୁଣି ତାହାକୁ ବଦଳାଇ ଦେଇଥିଲେ। ମୋସନ୍ ସମ୍ପର୍କରେ ବିରୋଧୀ ଦଳକୁ ଅବଗତ କରାଯାଇ ନ ଥିଲା କି ମୋସନ୍ରେ ସରକାର କ’ଣ କହିଲେ, ସେ ସଂକ୍ରାନ୍ତରେ ତଥ୍ୟ ଦିଆଯାଉନି ବୋଲି ସେ ସମୟରେ ବିରୋଧୀ ଦଳ ନେତା ଅଭିଯୋଗ କରିଥିଲେ। ଏହାକୁ ନେଇ ସରକାର ଓ ଶାସକ ଦଳ ସଭ୍ୟମାନଙ୍କୁ କଠୋର ଭାଷାରେ ସମାଲୋଚନା କରିଥିଲେ ବିରୋଧୀ। ହେଲେ ତାହାର କୌଣସି ପ୍ରଭାବ ପଡ଼ି ନ ଥିଲା ସରକାରଙ୍କ ଉପରେ। ସଂଖ୍ୟାର ତାକତ୍ ଦେଖାଇ ସରକାର ବିରୋଧୀଙ୍କ ସ୍ୱରକୁ ଚାପି ଦେଇଥିଲେ। ବିରୋଧୀ ଦଳ ନେତା ଓ ସଭ୍ୟମାନେ ପ୍ରବଳ ପ୍ରତିବାଦ କରି ଗୃହର ମଧ୍ୟ ଭାଗରେ ଧାରଣା ଦେଇଥିଲେ ଓ ତରବରିଆ ଭାବେ ଏହାକୁ ପାରିତ କରାଯାଇ ଥିଲା। ଏପରିକି ବିରୋଧୀ ଦଳ ବିଧାନସଭା ବର୍ଜନ ଘୋଷଣା କରିଥିଲେ।
ଦୀର୍ଘ ଦିନ ଧରି ଏହି ବିଲ୍ ରାଷ୍ଟ୍ରପତି ଭବନରେ ପଡିରହିଥିଲା। ଶେଷରେ ରାଷ୍ଟ୍ରପତି ଏହି ବିଲ୍ରେ ଆବଶ୍ୟକ ସଂଶୋଧନ କରିବାକୁ ପ୍ରସ୍ତାବ ଦେଇ ଫେରାଇ ଦେଇଥିବା କୁହାଯାଉଛି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ କୌଣସି ସୂଚନା ମିଳି ନାହିଁ। ୨୦୧୫ ମେ ୨୮ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଥି ପାଇଁ ଅଧ୍ୟାଦେଶ ଜାରି କରାଯାଇ ଥିଲା ।