ପର୍ଯ୍ୟଟନର ବିକାଶ ପାଇଁ ସୃଷ୍ଟି ହେବ ଜମି ବ୍ୟାଙ୍କ

ପର୍ଯ୍ୟଟନ ପରାମର୍ଶଦାତା କମିଟି ବୈଠକରେ ନିଷ୍ପତ୍ତି

ଭୁବନେଶ୍ୱର/ନୂଆଦିଲ୍ଲୀ : ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ନିମନ୍ତେ ଜମି ବ୍ୟାଙ୍କ ସୃଷ୍ଟି କରିବେ। ଏହି ବ୍ୟାଙ୍କ ହାତରେ ୧ ହଜାର ଏକର ଜମି ରହିବ। ପର୍ଯ୍ୟଟନର ଅଭିବୃଦ୍ଧି ନିମନ୍ତେ ହୋଟେଲ୍‌ ଶିଳ୍ପକୁ ପ୍ରୋତ୍ସାହିତ କରିବା ପାଇଁ ଘରୋଇ ପୁଞ୍ଜିନିବେଶକାରୀଙ୍କୁ ଆକର୍ଷିତ କରିବା ହେଉଛି ଏହାର ପ୍ରମୁଖ ଆଭିମୁଖ୍ୟ।

ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ପର୍ଯ୍ୟଟନ ପରାମର୍ଶଦାତା କମିଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରର ପ୍ରାୟ ୯ ପ୍ରତିଶତ ଅଭିବୃଦ୍ଧି ଘଟିଛି। ଓଡ଼ିଶାକୁ ବିଗତ ବର୍ଷମାନଙ୍କ ତୁଳନାରେ ଏଥର ଅଧିକ ସଂଖ୍ୟକ ଦେଶୀ ବିଦେଶୀ ପର୍ଯ୍ୟଟକ ଆସୁଛନ୍ତି। ସେଥିପାଇଁ ହୋଟେଲ୍‌ ଶିଳ୍ପର ଅଭିବୃଦ୍ଧି ଅପରିହାର୍ଯ୍ୟ। ଏହାକୁ ଦୃଷ୍ଟିରେ ରଖି ରାଜଧାନୀ ଭୁବନେଶ୍ୱରରେ ୧୦ଟି ପ୍ଲଟ୍‌ ଚିହ୍ନଟ କରାଯାଇଛି। ସେଗୁଡ଼ିକୁ ନିଲାମ କରାଯିବ। ଏହାବ୍ୟତୀତ, ଭୁବନେଶ୍ୱର, ପୁରୀ, ଦାରିଙ୍ଗିବାଡ଼ି, କୋରାପୁଟ, ରାୟଗଡ଼ା ଆଦି ସ୍ଥାନମାନଙ୍କରେ ହୋଟେଲ୍‌ ସ୍ଥାପନ ପାଇଁ ଜମି ଆବଣ୍ଟନ କରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ।

ବୈଠକର ସୂଚନାନୁସାରେ ୨୦୧୭ରେ ଓଡ଼ିଶାକୁ ୧ କାଟି ୪୧ ଲକ୍ଷ ୧୧ ହଜାର ୨୪୩ଜଣ ଲକ୍ଷ ପର୍ଯ୍ୟଟକ ଆସିଥିଲେ। ଏଥିମଧ୍ୟରୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷ। ବିଶେଷ କରି ଆମେରିକା, ବ୍ରିଟେନ୍‌, ଜାପାନ, ଜର୍ମାନୀ, ଇଟାଲି, ଚୀନ, ନେଦରଲ୍ୟାଣ୍ଡ, ଅଷ୍ଟ୍ରେଲିଆ ଦେଶରୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିଛନ୍ତି। ସେହିପରି ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟାରେ ମଧ୍ୟ ଅଭିବୃଦ୍ଧି ଘଟିଛି।

ଇତି ମଧ୍ୟରେ ରାଜ୍ୟରେ ୩୦ଟି ଜୈବ ପର୍ଯ୍ୟଟନ କ୍ଷେତ୍ରର ବିକାଶ କରାଯାଇଛି। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସିି) ତରଫରୁ ପର୍ଯ୍ୟଟନର ଅଭିବୃଦ୍ଧି ସଂକ୍ରାନ୍ତ ୭ଟି ଫିଲ୍ମ ପ୍ରସ୍ତୁତ କରାଯାଇଛି। ଗତବର୍ଷ ପ୍ରାୟ ୫୮୫ କୋଟିର ୧୨ଟି ପ୍ରକଳ୍ପ ପ୍ରସ୍ତାବକୁ ସିଙ୍ଗଲ୍‌ ଓ୍ଵିଣ୍ଡୋ ଅନୁମୋଦନ କମିଟି ମଞ୍ଜୁରି ଦେଇଛି। ପର୍ଯ୍ୟଟନ ସ୍ଥାନଗୁଡ଼ିକରେ ପରିମଳ ବ୍ୟବସ୍ଥା ବଜାୟ ରଖିବା ସହିତ ସେଗୁଡ଼ିକୁ ସଫାସୁତୁରା ରଖିବା ପାଇଁ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ପର୍ଯ୍ୟଟନ ବିଭାଗକୁ ନିର୍ଦେଶ ଦେଇଥିଲେ। ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଗୃହ ବିଭାଗର ଏସିଏସ୍‌ ଅସୀତ ମହାନ୍ତି, ଅର୍ଥ ବିଭାଗ ପ୍ରମୁଖ ସଚିବ ତୁହିନକାନ୍ତ ପାଣ୍ଡେ, ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ମୋନା ଶର୍ମା, ନିର୍ଦେଶକ ଡ. ନିତିନ୍‌ ଭାନୁଦାସ ଜଓ୍ଵାଲେ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର