ଧର୍ମଶାଳା : ଧର୍ମଶାଳା ଅଞ୍ଚଳରେ ଉଜୁଡ଼ି ଯାଇଥିବା ପରିବେଶ ପୁଣିଥରେ ସବୁଜିମାରେ ହସି ଉଠିବ। ଖଣି ଉତ୍ତୋଳନ ଅଞ୍ଚଳରେ ବିରାଟ ଖାଲଗୁଡ଼ିକୁ ପୋତାଯାଇ ଲାଣ୍ଡବ୍ୟାଙ୍କ ସୃଷ୍ଟି କରାଯାଇପାରିବ। ସେହି ଜାଗାରେ ନୂତନ ଜଙ୍ଗଲ ସୃଷ୍ଟି ହେବ। ଏ ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ ଜିଲ୍ଲା ପ୍ରଶାସନ ସହଯୋଗରେ ଖୁବଶୀଘ୍ର କିପରି ଖାଦନ ଜନିତ ଗର୍ତ୍ତ ଗୁଡ଼ିକୁ କାରଖାନାରୁ ବାହାରୁଥିବା ପାଉଁଶରେ ପୋତାଯାଇ ବନୀକରଣ କରାଯିବ ବୋଲି  ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ କହିଛନ୍ତି। ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମ୍‌ ସମ୍ମିଳନୀ କକ୍ଷରେ ‘ସମ୍ବାଦ’ ତରଫରୁ ଅନୁଷ୍ଠିତ ‘ପରିବେଶ ପଞ୍ଚାୟତ’ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ଶ୍ରୀ ସାହୁ କହିଲେ, ପରିବେଶ ସୁରକ୍ଷିତ ନ ରହିଲେ ଆମେ କେହି ବଞ୍ଚି ପାରିବା ନାହିଁ।

Advertisment

ଏଥିସହ ‘ସମ୍ବାଦ’ ପକ୍ଷରୁ  ସ୍ଥାନୀୟ ବିଧାୟକ, ନିର୍ବାଚିତ ପ୍ରତିନିଧି ଓ ସଚେତନ ନାଗରିକଙ୍କୁ ଏକାଠି କରି ପରିବେଶ ସୁରକ୍ଷା ଦିଗରେ ହେଉଥିବା ଆଲୋଚନାକୁ ସେ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ବିଶିଷ୍ଟ ସାହିତ୍ୟିକ ଡ. ଗୌତମ ଜେନା  କହିଥିଲେ, ପରିବେଶର ସୁରକ୍ଷା ଓ ବର୍ଜ୍ୟବସ୍ତୁ ପରିଚାଳନା ବଡ଼ ଆହ୍ୱାନ। ଜୈବିକ ଉପାୟରେ ଚାଷକୁ ଯଥେଷ୍ଟ ଗୁରୁତ୍ବ ଦିଆଯିବା ଉଚିତ ବୋଲି ‌ସେ କହିଥିଲେ। ‘ସମ୍ବାଦ’ର ଯାଜପୁର ସଂସ୍କରଣ ମୁଖ୍ୟ ଗଦାଧର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ ଅତିଥି ପରିଚୟ ଦେଇଥିଲେ। ‘ସମ୍ବାଦ’ର ଧର୍ମଶାଳା ପ୍ରତିନିଧି ସୀତାକାନ୍ତ ସାମଲ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ‘କନକ ନ୍ୟୁଜ୍‌’ର ଧର୍ମଶାଳା ପ୍ରତିନିଧି ବିମଳ ପତି, ସମାଜସେବୀ ତଥା ବିଜେପି ନେତା ଜିତେନ୍ଦ୍ର ରାଉତ, ତୀର୍ଥରାଜ ପଣ୍ଡା, ପରିବେଶବିତ ଶ୍ରୀନିବାସ ଜେନା, ଜାରକା ସରପଞ୍ଚ ସୁଦାମ ଚରଣ ବେହେରା, ଯୁବନେତା ରାଜେଶ ପାଳ, ପୂର୍ବତନ ସରପଞ୍ଚ ଅମୂଲ୍ୟଧର ଜେନା, ଶିକ୍ଷାବିତ୍‌ ଯୁଗଳ କିଶୋର ଦାସ, ବିଜେପି ନେତା ନାରାୟଣ ମଲିକ, ରବୀନ୍ଦ୍ର ବରାଳ, ଅଭିଜିତ ବେହେରା, ସୌମ୍ୟରଂଜନ ଘଟୁଆରୀ, କିଶୋର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।