ଜମି ଦଲାଲଙ୍କ କାରନାମା, ୩ ଶହ ହେକ୍ଟର ରୟତି ଜମି ଜାଲିଆତି କରି ବୀମା ପଞ୍ଜୀକରଣ!

ପାଇକମାଳ: ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳର ଜଣେ ଜମି ଦଲାଲ ବାମଦେବ ସାହୁ ପାଇକମାଲ, ଝାରବନ୍ଧ ଅଞ୍ଚଳର ପାଖାପାଖି  ୫୦ରୁ ଊର୍ଦ୍ଧ୍ବ ଚାଷୀଙ୍କ ୩ ଶହ ହେକ୍ଟରରୁ ଅଧିକ ରୟତି ଜମି ଉପରେ ନିଜ ପୁଅ, ବୋହୂଙ୍କ ନାମରେ ପ୍ରଧାନମନ୍ତ୍ରୀ ଫସଲ ବୀମା ସକାଶେ ପଞ୍ଜୀକରଣ କରିଛନ୍ତି। ନିଜ ନାମରେ ପ୍ରିମିୟମ ଜମା କରି ଟଙ୍କା ହଡ଼ପ୍‌  ଯୋଜନା କରିଥିବା ଅଭିଯୋଗ ନେଇ ଚାଷୀମାନେ ବାମଦେବ ସାହୁଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି। ପାଇକମାଳ ଥାନା ଅନ୍ତର୍ଗତ କେନାବୁଦା ଗ୍ରାମର ସ୍ବର୍ଗତ ଅଲେଖ ସାହୁଙ୍କ ପୁଅ ବାମଦେବ ସାହୁଙ୍କ ପୁଅ ବେଦବର ସାହୁ ବୋଡ଼ାସମ୍ବର କୃଷକ ସଙ୍ଗଠନର ମାଣ୍ତିଆଢିପା  ପଞ୍ଚାୟତ ସଭାପତି ଅଛନ୍ତି।

ପୂର୍ବରୁ ମଧ୍ୟ ଅନ୍ୟ ଚାଷୀଙ୍କ ରୟତି ଜମିରେ ଫସଲ ବୀମା ପ୍ରିମିୟମ ଜମା କରି ଲକ୍ଷଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା। ଗତବର୍ଷ ମରୁଡ଼ି ଆଳରେ ଏଥର ବାମଦେବ ଓ ତାଙ୍କ ପୁତ୍ର ବେଦବର ନିଜ ପରିବାରର ସମସ୍ତ ସଦସ୍ୟଙ୍କ ନାମରେ ଅନ୍ୟ ଚାଷୀଙ୍କ ରୟତି ଜମିରେ ବୀମା ଟଙ୍କା ଜମା କରିଛନ୍ତି।  ଖବର ପାଇବା ପରେ କେନାବୁଦା ଗ୍ରାମର ଚାଷୀ  କ୍ଷୀରସାଗର ସାହୁ, ଦୀନବନ୍ଧୁ ସାହୁ, ଉକିଆ ସାହୁ, କୃଷ୍ଣ ସାହୁ ପାଇକମାଳ ଥାନାରେ ରିପୋର୍ଟ ଦେଇଛନ୍ତି। ବୁକ୍ରାମୁଣ୍ତା, କୁମୀର, କେନାବୁଦା, ମହାରାଣୀ ମେରୀପୁର, ମାଣ୍ତିଆଢିପାର ୫୦ରୁ ଅଧିକ ଚାଷୀଙ୍କ ବୀମା ଟଙ୍କା ହଡ଼ପ୍‌ ପାଇଁ ବାମଦେକ ଯୋଜନା କରିଥିବା ଜଣାପଡ଼ିଛି। ଉଭୟ ପିତା ପୁତ୍ରଙ୍କୁ ଗିରଫ କରାନଗଲେ ଚାଷୀମାନେ ଥାନାରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର