ମାଲକାନଗିରି: ଜୟପୁର-ମାଲକାନଗିରି ରେଳପଥକୁ ନେଇ ଏବେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଏହି କ୍ରମରେ ଆଜି ୱାଲଟିୟର ଡିଭିଜନର ଡେପୁଟି ରିଜିଓନାଲ ମ୍ୟାନେଜର ଅନୁପ ଶତପଥୀ ମାଲକାନଗିରି ଗସ୍ତରେ ଆସି ସୀମାକ୍ଷା କରିଛନ୍ତି। ସ୍ଥାନୀୟ ସର୍କିଟ ହାଉସ ଠାରେ ଡିଆରଏମ ଶ୍ରୀ ଶତପଥି ଜିଲ୍ଲା ରାଜସ୍ବ ଅଧିକାରୀମାନଙ୍କ ସହ ଏକ ସୀମାକ୍ଷା ବୈଠକରେ ଯୋଗ ଦେଇ କିପରି ତୁରନ୍ତ ଜମି ଅଧିଗ୍ରହଣ ପ୍ରକ୍ରିୟା ସମାପ୍ତ ହେବ ସେନେଇ ଆଲୋଚନା କରିଥିଲେ। ଶ୍ରୀ ଶତପଥୀଙ୍କ କହିବା ଅନୁଯାୟୀ ଜିଲ୍ଲା ପ୍ରଶାସନ ଯେତେ ଶୀଘ୍ର ଜମି ଅଧିଗ୍ରହଣ କାର୍ଯ୍ୟ ସମାପ୍ତ କରିବେ ସେତେ ଶୀଘ୍ର ରେଲବାଇ ତାର କାମ ଆରମ୍ଭ କରିବ।

Advertisment

ତେବେ କେତେ ଦିନ ଆହୁରି ଜିଲ୍ଲାବାସୀ ଅପେକ୍ଷା କରିବେ ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ଶତପଥୀ କହିଥିଲେ ଯେ, ଜମି ଅଧିଗ୍ରହଣ ଯେମିତି ସରିବ ରେଲଲାଇନ କାମ ଆସନ୍ତା ଚାରି ପାଞ୍ଚ ବର୍ଷ ମଧ୍ୟରେ ସମାପ୍ତ ହେବ। ଜୟପୁର-ମାଲକାନଗିରିକୁ ୧୨୬ କିଲୋମିଟର ପଡୁଥିବା ବେଳେ ରେଲବାଇ ତାର ମ୍ୟାପ ଜିଲ୍ଲା ରାଜସ୍ବ ବିଭାଗକୁ ହସ୍ତାନ୍ତର କରିସାରିଛି। ଯେଉଁ ରାସ୍ତା ଦେଇ ରେଳଲାଇନ ଯିବ ସେହି ରାସ୍ତାର ଅଧିଗ୍ରହଣ ଜିଲ୍ଲା ପ୍ରଶାସନ କରିବ।  ଏଥିପାଇଁ କାମ ଆରମ୍ଭ ହୋଇଛି। ପ୍ରାୟ ୨୦ ପ୍ରତିଶତ କାମ ସରିଥିବା ଶ୍ରୀ ଶତପଥୀ ପ୍ରକାଶ କରିଥିଲେ।

ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ କିନ୍ତୁ ମ୍ୟାପ କିଛି ମିଳିନଥିବା ଏବଂ ଜମି ଅଧିଗ୍ରହଣ ଅଧିକାରୀ ଜୟପୁରରେ ରହୁଥିବା ପ୍ରକାଶ କରିଥିଲେ।ପୂର୍ବରୁ ଜମି ଅଧିଗ୍ରହଣ ଅଧିକାରୀଙ୍କ ସହ ଆଲୋଚନା ସରିଯାଇଛି। ଆସନ୍ତା ୬ ମାସ ମଧ୍ୟରେ ହୁଏତ ଜମି ଅଧିଗ୍ରହଣ ସମାପ୍ତ ହେବ ବୋଲି କହିଥିଲେ। ଯେଉଁ ମ୍ୟାପ ରେଲବାଇ ଦେଇଛି ସେହି ରାସ୍ତାରେ କେଉଁ କେଉଁ ହିତାଧିକାରୀଙ୍କ ଜାଗା ପଡୁଛି ତାହା ଚିହ୍ନଟ କରିବା ସହ ସେମାନଙ୍କ ସହ ଆଲୋଚନା ଚାଲିଥିବା ଅତିରିକ୍ତ ଜିଲ୍ଲାପାଳ କହିଥିଲେ। ଅନ୍ୟଦିଗରେ ଡିଆରଏମ ଶ୍ରୀ ଶତପଥୀ କହିଥିଲେ ଯେ ରାଜ୍ୟ ସରକାର ଏଥିପାଇଁ ତତ୍ପରତା ଦେଖାଉଛନ୍ତି। ଟଂକାର ଅଭାବ ନାହିଁ। ପ୍ରାୟ ୧୧୦ କୋଟି ଟଂକା ଆସିଛି। ଯେଉଁ ପର୍ଯ୍ୟନ୍ତ ଜମିଅଧିଗ୍ରହଣ ସମାପ୍ତ ହେଉଥିବ, ସେତେ ପର୍ଯ୍ୟନ୍ତ ରେଲୱେ କାମ ଚାଲିବା ଆରମ୍ଭ ହେବ ବୋଲି କହିଥିଲେ।