ବାଙ୍କିବାହାଲ- ଟପରିଆ ରାସ୍ତା ପ୍ରକଳ୍ପ: ପ୍ରଦୂଷଣ ଓ ୨୦୦୫ର ଜମିହରାଙ୍କୁ କ୍ଷତିପୂରଣ ବିନା ପୁଣି ଜମି ଅଧିଗ୍ରହଣ

ସୁନ୍ଦରଗଡ଼: ହେମଗିର ବ୍ଲକ ରତନସରା, ରତନପୁରର ଅନେକ ଜମିହରାଙ୍କୁ କ୍ଷତିପୂରଣ ନଦେଇ ବାଙ୍କିବାହାଲରୁ ଟପରିଆ ଦେଇ ଛତିଶଗଡ଼କୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ଓ ଉନ୍ନତିକରଣ କାମ ଆରମ୍ଭ କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ୨୦୦୫ରେ ଏହି ରାସ୍ତା ନିର୍ମାଣ ପାଇଁ ଅଧିଗ୍ରହଣ କରାଯାଇଥିବା ଜମିର କ୍ଷତିପୂରଣ ମଧ୍ୟ ଏଯାଏ ଦିଆଯାଇ ନାହିଁ। ଆଉ ଏବେ ବିନା ଆଲୋଚନା ଓ କ୍ଷତିପୂରଣରେ ପୁଣି ଜମି ଅଧିଗ୍ରହଣ କରାଯାଉଛି। ଅବଶ୍ୟ କିଛି ଗାଁ ଛତାବର, ବିଲେଇମୁଣ୍ତା, ଚକରା, ବେଲଢିପା, କନ୍ଦାଧୁଡ଼ା, ଟପରିଆକୁ ରାସ୍ତାର କ୍ଷତିପୂରଣ ମିଳିଛି। କିନ୍ତୁ ରାସ୍ତା ନିର୍ମାଣ ବେଳେ ମନଇଚ୍ଛା ଗଛ କାଟିନେବା, ଡାଇଭର୍ସନ ରାସ୍ତା ତିଆରି କରିବା ଓ ଜିଲ୍ଲାପାଳଙ୍କ ସହ ଅନୁଷ୍ଠିତ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଏଯାଏ ପ୍ରଭାବିତ ଅଞ୍ଚଳବାସୀଙ୍କୁ ପ୍ରଦୂଷଣଜନିତ କ୍ଷତିପୂରଣ ଦିଆଯାଇ ନାହିଁ।

ଏସବୁ ପ୍ରସଙ୍ଗ ଉପରେ ଆଜି ହେମଗିର ବ୍ଲକ୍ ଚକରା ଚଣ୍ଡିଗୁଡ଼ି ଠାରେ ଜନଶକ୍ତି ବିକାଶ ପରିଷଦ ବିଚାରବିମର୍ଶ କରିଛି। ପରିଷଦ ସଭାପତି ବୀରେନ୍ଦ୍ର ପଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଆଗାମୀ ରଣନୀତି ପାଇଁ ପ୍ରଭାବିତ ଲୋକଙ୍କୁ ଡାକି ନିଷ୍ପତ୍ତି ନେବାକୁ ପ୍ରସ୍ତାବ ଗ୍ରହଣ କରାଯାଇଛି। ସୂଚନାଯୋଗ୍ୟ, ୧୯୫୨ରେ ତିଆରି ହୋଇଥିବା ବାଙ୍କିବାହାଲ-ଟପରିଆ ରାସ୍ତାରେ ଏମସିଏଲର କୋଇଲା ପରିବହନକୁ ନେଇ ବିବାଦରେ ରହିଛି। ତେବେ ନିର୍ମାଣ ପରଠୁ ଅନେକ ସମୟରେ ରାସ୍ତା ଉନ୍ନତିକରଣ ଓ ପ୍ରଶସ୍ତକରଣ କରାଯାଇଛି।

ବିଶେଷ କରି ୨୦୦୫ରେ ଦୁଇ ଥାକିଆ ରାସ୍ତା ନିର୍ମାଣ ବେଳେ ବହୁ ଲୋକଙ୍କ ୨ ଡିସିମିଲରୁ ଅଧ ଏକର ଯାଏ ଚାଷ ଜମି, ଘର, ଘରଡିହ ମନମୁଖୀ ଦଖଲକୁ ନିଆଯାଇଥିବା ବେଳେ ବହୁ ଗଛ କାଟି ଦିଆଯାଇଥିଲା। କିନ୍ତୁ ତାର ସର୍ଭେ ବା ଚିହ୍ନଟ କରାଯାଇ ନାହିଁ। ତେଣୁ ପ୍ରଭାବିତ ଲୋକେ ଏଥିପାଇଁ ସ୍ବର ଉଠାଇଛନ୍ତି। ସେ ସମୟରେ ରାସ୍ତାରେ ଗାଁର ତ୍ରିବିକ୍ରମ ମାଝୀ, କଣ୍ଠମଣି ମାଝୀ, କହ୍ନେଇ ନାରଏକ, ବଂଶୀ ମେହେରଙ୍କ ସମେତ ଭଗବାନ କଉଡ଼ି, ପ୍ରସୃତ ଭୋଏ, ନିଦ୍ରାବତୀ ଅମାତ, ହୀରାସିଂ ମେହେର, ବାଳି ମେହେର, ପୁନିଲାଲ ମେହେର, ସୁରତି ଧୃଆ, ମହେନ୍ଦ୍ର ଧୃଆ, ସୁନ୍ଦରାସାଏ ଧୃଆ, ଭଜରାମ ମାଝୀ, କ୍ଷୀରଧର ବଡ଼େକ, ଉଜଳ ଗଣ୍ଡା, ମୋରସିଂ ଖଡ଼ିଆ, ଜନକରାମ ପଟେଲ, ଦଶରୁ ମେହେର, ଦେଓକରଣ ଦଣ୍ଡସେନା, ପୁରନ୍ଧର ବାଗ, ବୃନ୍ଦବତୀ ଗଣ୍ଡା, ହେମାନନ୍ଦ କାଲୋ, ତିଲକରାମ ନାଏକ, ପଟକୋ ବାଗ, ତୁମ୍ବା ବାଗ, ସନ୍ଧ୍ୟାରାଣୀ ମାଝୀ, ବଳଦେବ ମାଝୀ, ରୂପଧର ସତନାମୀ ପ୍ରମୁଖଙ୍କ ଚାଷ ଜମି, ଘର ଡିହ ଯାଇଥିଲା। ତେଣୁ ଏହାର ସରଜମିନ ସର୍ଭେ କରି ପୂର୍ବରୁ ହରାଇଥିବା ଜମି ଚିହ୍ନଟ ପୂର୍ବକ କ୍ଷତିପୂରଣ ସହ ଏବର କ୍ଷତିପୂରଣ ଦେଇ କାମ ଆରମ୍ଭ କରିବାକୁ ଲୋକେ ଦାବି କରିଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ରାଜେନ୍ଦ୍ର ନାଏକ, ସୁକଦେବ ପଧାନ, ନରେଶ ମେହେର, ମମତା ସା, ଦୀନବନ୍ଧୁ ସା, ଭଗବାନ ବାଗ, ଅଶୋକ ପଧାନ, କେଶବ ଜଗତ, ମନୋରଞ୍ଜନ ପଧାନ, ଗଜେନ୍ଦ୍ର ପଧାନ, ବାବଲୁ ଭୋଇ, ଟଙ୍କଧର ଦେହେରୀ, ବଂଶୀଧର କଉଡ଼ି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର