ଗାଁ ଲୋକଙ୍କୁ ଅନ୍ଧାରରେ ରଖି ଓସିପିଏଲ୍‌ର ଜମି ଅଧିଗ୍ରହଣ ମସୁଧା

ଲୋକଙ୍କ ସମ୍ମତି ପାଇଁ ହୋଇନି ଗ୍ରାମସଭା!

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ୍‌ କୋଇଲା ଖଣି ବିସ୍ଥାପିତ ଓ ପ୍ରଭାବିତ ଲୋକେ ବହୁ ସମୟରେ କମ୍ପାନିର ଅଣଦେଖା ଓ ଅବ‌ହେଳା ଯୋଗୁଁ ଛଟପଟ ହେଉଥିବା ନଜରକୁ ଆସିଛି। ବିସ୍ଥାପନ ପୁନର୍ବାସ ଓ ଥଇଥାନ ନୀତି ଅନୁଯାୟୀ କ୍ଷତିପୂରଣ ଓ ଥଇଥାନ ନକରି ବିଭିନ୍ନ ଆଳରେ ଦିନ ଗଡ଼ାଇ ଲୋକଙ୍କୁ ଭଣ୍ଡି କମ୍ପାନି ନିଜ ଅମାର ଭରିବାରେ ଲାଗିଥିବା ଅଭିଯୋଗ ହୋଇଛି। ଚୁକ୍ତି ମୁତାବକ ଲୋକଙ୍କ ଜୀବନଜୀବିକା, ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ, ନିଯୁକ୍ତି ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ ଯୋଗୁଁ ଲୋକଙ୍କ ଧୈର୍ଯ୍ୟଚ୍ୟୁତି ଘଟୁଥିବା ଓ ଅନେକ ସମୟରେ ଏହା ବିରୋଧରେ ଲୋକେ ରାଜରାସ୍ତାକୁ ମଧ୍ୟ ଓହ୍ଲାଉଥିବା ଦେଖିବାକୁ ମିଳିଛି। ଏମ୍‌ସିଏଲ ଓ ଏନ୍‌ଟିପିସିରେ ନାମରେ ଏପରି ଅଭିଯୋଗ ଥିବା ବେଳେ ଏବେ ଓଡ଼ିଶା କୋଲ ଆଣ୍ଡ ପାୱାର ଲିମିଟେଡ୍‌ (ଓସିପିଏଲ) ବିରୋଧରେ ଆସିତର ଅଭିଯୋଗ। ହେମଗିର ତହସିଲ ମନୋହରପୁର କୋଇଲା ଖଣି ପାଇଁ ଜମି ଅଧିଗ୍ରହଣ କରିବାକୁ ଥିବା ଏହି କମ୍ପାନି ଲୋକଙ୍କୁ ଏଯାଏ ଅନ୍ଧାରରେ ରଖିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ବିସ୍ଥାପନ ଓ ଜମି ଅଧିଗ୍ରହଣ ସମ୍ପର୍କରେ ଡୁରୁବଗା ପଞ୍ଚାୟତର ଲୋକଙ୍କୁ କମ୍ପାନି କୌଣସି ବିଶେଷ ସୂଚନା ଦେଇ ନଥିବା ପ୍ରକାଶ ପାଇଛି।
ଏକ ସୂଚନା ଅନୁସାରେ ଓସିପିଏଲ୍‌ ହେମଗିର ତହସିଲ ଡୁରୁବଗା ପଞ୍ଚାୟତର ଡୁରୁବଗା ଗାଁର ୧୦ ଏକର ରୟତି ଜମି ଓ ୮ ଏକର ସରକାରୀ ଜମି, କତରବଗାରେ ୫୬ ଏକର ରୟତି ଓ ୯୭ ଏକର ସରକାରୀ ଜମି, କାଠଫାଳି ଗାଁରେ ୯୮ ଏକର ରୟତି ଓ ୪ ଶହ ଏକର ସରକାରୀ ଜମି, ପରାମାନନ୍ଦପୁରରେ ୭୬ ଏକର ରୟତି ଓ ୨୨୭ ଏକର ସରକାରୀ ଜମି ମୋଟ ୯୯୦ ଏକର ଜମି ଅଧିଗ୍ରହଣ କରିବାର ପ୍ରସ୍ତାବ ରଖିଛି। କିନ୍ତୁ ଏସବୁ ଗାଁ ଲୋକଙ୍କୁ ନିୟମ ଅନୁସାରେ ଜମି ଅଧିଗ୍ରହଣ, ବିସ୍ଥାପନ ଓ ଥଇଥାନ ସମ୍ପର୍କିତ ସୂଚନା ପ୍ରଦାନ କରି ନାହିଁ।

ଗତବର୍ଷ ମନୋହରପୁର କୋଇଲା ଖଣି ପାଇଁ ଏସବୁ ଗାଁ ବିସ୍ଥାପିତ ହେବ ବୋଲି ସୂଚନା ଦିଆଯାଇଥିଲା। ତା’ ପରଠାରୁ ଆଉ କମ୍ପାନି କୌଣସି ସୂଚନା ଦେଇ ନଥିବା ବେଳେ ୨୦୨୦ ଜାନୁଆରିରେ ୭-୧ ଓ ୨୦୨୦ ଜୁଲାଇ ୧୬ରେ ୯-୧ ଲାଗୁ କରିଥିବା ଘୋଷଣା କରିଛି। କିନ୍ତୁ ଏ ସମ୍ପର୍କରେ ଡୁରୁବଗା, କାଠଫାଳି, ପରମାନନ୍ଦପୁର, କତରବଗା ଲୋକଙ୍କୁ କୌଣସି ନୋଟିସ କି ସୂଚନା ଦିଆଯାଇ ନଥିବା ବେଳେ ୯-୧ ଲାଗୁ ହେବାର ୨ ମାସ ପରେ ଗତ ସେପ୍ଟେମ୍ବର ୧୨ ତାରିଖରେ ଜିଲ୍ଲା ଭୂଅର୍ଜନ ଅଧିକାରୀ ପରମାନନ୍ଦପୁର ଯାଇ ଏ ସମ୍ପର୍କିତ ନୋଟିସ ପ୍ରଦାନ ପୂର୍ବକ ଜୁଲାଇ ୧୬ ପରେ ତିଆରି ହୋଇଥିବା ଘରର କ୍ଷତିପୂରଣ ଦିଆଯିବ ନାହିଁ ବୋଲି ପ୍ରକାଶ କରିଥିଲେ। ଯାହାକୁ ଲୋକେ ପ୍ରବଳ ବିରୋଧ କରିଥିଲେ। ଏଯାଏ ଗ୍ରାମରେ ଜମି ଅଧିଗ୍ରହଣ ପାଇଁ କୌଣସି ଗ୍ରାମସଭା କରାଯାଇ ନଥିବା କି ଲୋକଙ୍କ ମତ ନିଆଯାଇ ନଥିବା ବେଳେ ହଠାତ ଏପରି ନୋଟିସର ମାନେ କ’ଣ ବୋଲି ପଚାରିଥିଲେ। ପ୍ରଥମେ ଗ୍ରାମସଭା ଡାକି ଲୋକଙ୍କ ମତ ନିଆଯିବା ସହ ଜମି, ଘରବାଡ଼ିର ମୂଲ୍ୟ ନିର୍ଦ୍ଧାରଣ, ଥଇଥାନ ଓ କ୍ଷତିପୂରଣରେ ବିସ୍ଥାପିତ ଓ ପ୍ରଭାବିତ ପରିବାରମାନଙ୍କୁ କେଉଁ ସବୁ ସୁବିଧା ଦିଆଯିବ ସେ ସମ୍ପର୍କରେ ଚୁକ୍ତି କରିବା ପରେ ଜମି ଅଧିଗ୍ରହଣ ପାଇଁ ସୁଯୋଗ ଦିଆଯିବ ବୋଲି କହିଥିଲେ। ଏହା ପରେ ଅଧିକାରୀ ଫେରି ଆସିଥିବା ସୂଚନା ମିଳିଛି।

ଏ ସମ୍ପର୍କରେ କମ୍ପାନିର ଜଣେ ଅଧିକାରୀ ଗ୍ରାମସଭା କରାଯାଇ ନଥିବା ଅଭିଯୋଗକୁ ସ୍ବୀକାର କରିଛନ୍ତି। ସିବି ଆକ୍ଟରେ ଗ୍ରାମସଭାର ଆବଶ୍ୟକତା ନଥିବା ସେ କହିଛନ୍ତି। ତେବେ ସୁନ୍ଦରଗଡ଼ ପଞ୍ଚମ ଅନୁସୂଚୀ ଅନ୍ତର୍ଭୁକ୍ତ ଅଞ୍ଚଳ ହୋଇଥିବାରୁ ଏଠାରେ ସରକାରୀ ହେଉ କି ବେସରକାରୀ କୌଣସି କାର୍ଯ୍ୟ ଆରମ୍ଭ ପୂର୍ବରୁ ଗ୍ରାମସଭାର ସହମତି ଜରୁରୀ ଥିବା ସମ୍ପର୍କରେ କମ୍ପାନିର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ‘କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଥିବାରୁ ସେସବୁ କଥା ସେ ତର୍ଜମା କରିବେ’ ବୋଲି କହିଥିଲେ। ତେବେ ଗ୍ରାମସଭା‌ ଜରିଆରେ ଗ୍ରାମବାସୀଙ୍କ ସହ ଆଲୋଚନା ନକରି ଯାଏ ଓସିପିଏଲକୁ ଏସବୁ ଗ୍ରାମରେ କୌଣସି ପ୍ରକାରେ ଜମି ଅଧିଗ୍ରହଣ କି ଅନ୍ୟ କୌଣସି ବିସ୍ଥାପନ ସମ୍ପର୍କିତ କାର୍ଯ୍ୟ କାର୍ଯ୍ୟକାରୀ କରିବାକୁ ଦିଆଯିବ ନାହିଁ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର