ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅତାବିରା ପଞ୍ଚାୟତ ଭୁନ୍ଦୁପାଲି ଗ୍ରାମରେ ପୁଅ ରୂପଲାଲ କୁଅଁର (୩୩)ର ଟାଙ୍ଗିଆ ଚୋଟରେ ବାପା ପ୍ରେମଦାସ କୁଅଁର (୫୫)ଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ପ୍ରେମଦାସଙ୍କ ୩ ପୁଅ ଓ ୨ ଝିଅ। କୌଣସି କାରଣରୁ ରୂପଲାଲଙ୍କ ସ୍ତ୍ରୀ ଘର ଛାଡ଼ି ଚାଲିଯାଇଛନ୍ତି। ଅନ୍ୟ ୨ ପୁଅ ବାହାରେ ରୁହନ୍ତି। ବୁଧବାର ୨ ଝିଅ ଏକ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ଯାଇଥିଲେ।
ଦିନ ପ୍ରାୟ ୨ଟାରେ ଘରେ କେହି ନଥିବା ବେଳେ ରୂପଲାଲ ତାଙ୍କ ବାପା ପ୍ରେମଦାସଙ୍କ ସହ ଜମିବାଡ଼ିକୁ ନେଇ ଝଗଡ଼ା କରିଥିଲେ। ପରେ ଉତ୍ତ୍ୟକ୍ତ ହୋଇ ରୂପଲାଲ ହଠାତ୍ ଟାଙ୍ଗିଆରେ ବାପାଙ୍କ ମୁଣ୍ଡକୁ ଚୋଟ ମାରିଥିଲେ। ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା। ଚିକିତ୍ସା ପାଇଁ ବୁର୍ଲା ବଡ଼ଡାକ୍ତରଖାନାକୁ ନିଆଯାଇଥିଲା। ଗୁରୁବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ପ୍ରେମଦାସଙ୍କ ମୃତ୍ୟୁ ଘଟିଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ରୂପଲାଲଙ୍କୁ ପୁଲିସ ଅଟକ ରଖି ତଦନ୍ତ କରୁଛି। ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ପୁଲିସ ଜବତ କରିଛି।