ଜମିବାଡ଼ି ବିବାଦ : କଟୁରିରେ ହାଣି ଯୁବକଙ୍କୁ ହତ୍ୟା

କିଶନନଗର : କିଶନନଗର ଥାନା ଅନ୍ତର୍ଗତ ବିଶ୍ୱାଳପଡ଼ା(ବାଲିଶୁକ୍ରୀ) ଗ୍ରାମର ଜଗା ଓରଫ ରମେଶ ଭୋଇ(୪୫)ଙ୍କୁ ଗତକାଲି ରାତିରେ କଟୁରିରେ ହାଣି ନୃଶଂସ ଭାବେ ହତ୍ୟା କରାଯାଇଛି।

ନିକଟସ୍ଥ ବଜାରରୁ ଚାଲିଚାଲି ଫେରୁଥିବା ଜଗାଙ୍କୁ ଘରଠାରୁ ମାତ୍ର ୨୦ମିଟର ଦୂର ଗାଁଦାଣ୍ଡରେ ଆକ୍ରମଣ କରାଯାଇଥିଲା। ଦୁର୍ବୃତ୍ତମାନେ ତାଙ୍କ ବେକକୁ କଟୁରିରେ ହାଣି ଦେଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପରିବାର ଲୋକ ଜଗାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ରଘୁନାଥପୁର ଡାକ୍ତରଖାନା ନେଇଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସ୍ବାମୀଙ୍କୁ ହତ୍ୟା କରାଯାଇଛି ବୋଲି ମୃତ ଜଗାଙ୍କ ପତ୍ନୀ ମିତା ଭୋଇ ଆଜି କିଶନନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବିଶ୍ବାଳପଡ଼ା ଗ୍ରାମର ଡାଙ୍ଗନ ଓରଫ ରାଜା ଭୋଇ, କାର୍ତ୍ତିକ ଭୋଇ ଓ ବଇ ଭୋଇ ହତ୍ୟାକାଣ୍ଡରେ ସମ୍ପୃକ୍ତ ବୋଲି ସେ ଏତଲାରେ ଦର୍ଶାଇଛନ୍ତି। ଏ ନେଇ ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯିବା ସହ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରଯାଉଥିବା ପୁଲିସ୍‌ ସୂଚନା ଦେଇଛି। ଆଜି ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ରକ୍ତ ନମୁନା, ହତ୍ୟାକାରୀଙ୍କ କପଡ଼ାର ଛିଣ୍ଡା ଅଂଶ, ହତ୍ୟାକାଣ୍ଡରେ ବ୍ୟବହୃତ କଟୁରି ଆଦି ଜବତ କରିଛି। ସାଲେପୁର ଏସ୍‌ଡିପିଓ ରଞ୍ଜିତ୍‌ କୁମାର ପୃଷ୍ଟି ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ପ୍ରକ୍ରିୟା ଅନୁଧ୍ୟାନ କରିଛନ୍ତି। ବ୍ୟବଚ୍ଛେଦ ପରେ ଆଜି ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ମୁତୟନ କରାଯାଇଛି।

ଅପରପକ୍ଷରେ ପୂର୍ବଶତ୍ରୁତାରୁ ଏହି ଘଟଣା ଘଟିଥିବା କୁହାଯାଉଛି। ହତ୍ୟାକାରୀଙ୍କ ପରିବାର ସହ ମୃତ ଜଗାଙ୍କର ଜମିବାଡ଼ି ଓ ଅନ୍ୟ କେତେକ ପ୍ରସଙ୍ଗକୁ ନେଇ ବିବାଦ ରହିଥିଲା। ଏକ ଜମିର ମାଲିକାନାକୁ ନେଇ ଦୁଇ ପରିବାର ମଧ୍ୟରେ ତିକ୍ତତା ହତ୍ୟାକାଣ୍ଡର ମୂଳ କାରଣ ବୋଲି ଆଲୋଚନା ହେଉଛି। ସେହିପରି ନିକଟସ୍ଥ ଛକରୁ ରାତିରେ ଜଗା ଚାଲିଚାଲି ଘରକୁ ଫେରୁଥିଲେ। ଘର ନିକଟରେ ଅଭିଯୁକ୍ତଙ୍କ କୁକୁର ଭୁକିବା ସହ ତାଙ୍କୁ କାମୁଡ଼ିବାକୁ ଉଦ୍ୟମ କରିଥିଲା। ଏହାକୁ ନେଇ ଅଭିଯୁକ୍ତମାନଙ୍କ ସହ ଜଗାଙ୍କର ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ କଟୁରିରେ ହାଣି ହତ୍ୟା କରାଯାଇଥିବା ଜଗାଙ୍କ ପରିବାର ଲୋକ ସୂଚନା ଦେଇଛନ୍ତି।

୨୮ବର୍ଷ ପୂର୍ବ ଘଟଣାର ପୁନରାବୃତ୍ତି!
୧୯୯୨ ମସିହାରେ ପରକିୟା ପ୍ରୀତି ଯୋଗୁଁ କଟୁରିରେ ହାଣି ଜଣକୁ ହତ୍ୟା କରାଯାଇଥିଲା। ଦୀର୍ଘ ୨୮ ବର୍ଷ ପରେ ଉକ୍ତ ସ୍ଥାନରେ ସେହିପ୍ରକାର ଘଟଣାର ପୁନରାବୃତ୍ତି ହୋଇଛି। ସ୍ଥାନ, ହତ୍ୟାରେ ବ୍ୟବହୃତ ଅସ୍ତ୍ର ଓ ଚରିତ୍ର ସମାନ ରହିଥିବା ବେଳେ କେବଳ ପ୍ରସଙ୍ଗ ବଦଳିଛି। ସେହିପରି ପୁଲିସ ଅଟକ ରଖିଥିବା ୩ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ କାଟି ଜେଲ୍‌ରୁ ଫେରିଥିବା ଜଣେ ବ୍ୟକ୍ତି ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର