ଜମି ବିବାଦ ଘଟଣା: ତହସିଲ କାର୍ଯ୍ୟାଳୟରେ ତାଲା ପକାଇଲା କୁଡୁମି ସମାଜ

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ନଳପଙ୍ଗା ଗ୍ରାମର ମହାନ୍ତ ସଂପ୍ରଦାୟର ଲୋକଙ୍କ ସହ ରାଜ୍ୟ କୁଡୁମି ସମାଜ ପକ୍ଷରୁ ହରିଚନ୍ଦନପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗତ ୩୧ ତାରିଖରୁ ମହାନ୍ତ ଓ ଜୁଆଙ୍ଗଙ୍କ ମଧ୍ୟରେ ଥିବା ଜମି ବିବାଦର ସମାଧାନ ଦାବିରେ ଧାରଣା ଦେଇଛନ୍ତି। ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ବୁଧବାର ସକାଳ ୬ ଟାରେ ଧାରଣାରେ ବସିଥିବା ଲୋକମାନେ ତହସିଲ କାର୍ଯ୍ୟାଳୟରେ ତାଲା ପକାଇବା ସହିତ ହରିଚନ୍ଦନପୁର – ରେବଣାପଳାସପାଳ ରାସ୍ତା ଅବରୋଧ କରିଥିଲେ।

ନଳପଙ୍ଗା ଗ୍ରାମର ୩୩ ମହାନ୍ତ ପରିବାର ଗ୍ରାମ ନିକଟରେ ଥିବା ୭୨ ଏକର ଜମିରେ ପିଢି ପରେ ପିଢି ଚାଷ ବାସ କରିବା ସହ ପରିବାର ଗୁଜୁରାଣ କରିଆସୁଥିଲେ । ଯାହାକି ମହାନ୍ତ ସଂପ୍ରଦାୟର ଲୋକଙ୍କ ନାମରେ ଜମି ପଟ୍ଟା ଥିବା ଦେଖାଯାଇଛି। ଗ୍ରାମରେ ଥିବା ଆଦିମ ଜନଜାତି ଜୁଆଙ୍ଗ ସଂପ୍ରଦାୟ ଲୋକଙ୍କ ସହିତ ମହାନ୍ତ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଏହି ଜମି ପାଇଁ ବିବାଦ ଲାଗିରହିଛି। ୬ ବର୍ଷ ହେଲା ଦୁଇ ସମ୍ପ୍ରଦାୟ ମଧ୍ୟରେ ଜମି ବିବାଦର ଆପୋସ ବୁଝାମଣାରେ ସମାଧାନ ନହେବା କାରଣରୁ ମାମାଲା କୋର୍ଟରେ ପହଞ୍ଚିଥିଲା। ପରେ ମାମଲା ପଶ୍ଚିମାଞ୍ଚଳ ଆରଡିସିଙ୍କ ନିକଟରେ ପହଞ୍ଚିବା ପରେ ୭୨ଏକର ପଟ୍ଟା ଜମି ମହାନ୍ତ ସଂପ୍ରଦାୟଙ୍କୁ ଦଖଲ ଦେବା ସହ ଓ ୧୦୦ ଏକରରୁ ଊର୍ଦ୍ଧ୍ବ ସରକାରୀ ଜମି ଜୁଆଙ୍ଗଙ୍କୁ ଦଖଲ ଦେବା ପାଇଁ ୨୦୧୮ ମସିହାରୁ କେନ୍ଦୁଝର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏହି ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଦୁଇ ସଂପ୍ରଦାୟ ମଧ୍ୟରେ ବିବାଦ ଦେଖାଦେଇଥିଲା। ନିଜର ପଟ୍ଟା ଜମିରୁ ବେଦଖଲ ମହାନ୍ତ ସଂପ୍ରଦାୟ ବାରବାର ଗୁହାରି କରିବା ସତ୍ତ୍ବେ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ତତ୍ପରତା ନଦେଖି ଶେଷରେ ୩୧ ତାରିଖରୁ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯାଇଥିଲା। ୯ଦିନ ଧରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲେ ମଧ୍ୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ବୁଧବାର ଦିନ ଧାରଣାକାରୀମାନେ ହରିଚନ୍ଦନପୁର୍ ତହସିଲ୍ କାର୍ଯ୍ୟାଳୟରେ ତାଲା ପକାଇବା ସହିତ ହରିଚନ୍ଦନପୁର୍ – ରେବଣାପଳାସପାଳ ରାସ୍ତା ଅବରୋଧ କରିଥିଲେ। ଯେପର୍ଯ୍ୟନ୍ତ ପ୍ରଶାସନ ଏଦିଗରେ କୌଣସି କାର୍ଯ୍ୟାନୁଷ୍ଠାନ ନନେଇଛି ସେପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ବୋଲି ରାଜ୍ୟ କୁଡୁମି ସମାଜର ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ମହାନ୍ତ ଓ ଆବାହକ ଡାକ୍ତର ମହାନ୍ତ କଡା଼ ଚେତାବନୀ ଦେଇଛନ୍ତି। ଧାରଣାରେ ଜିଲ୍ଲାର ପୂର୍ବତନ ବିଜେପି ସଭାପତି ରାଧାକାନ୍ତ ମହାନ୍ତ, ସମାଜର ରାଜ୍ୟ ଉପଦେଷ୍ଟା ଆବୁନ ଚରଣ ମହାନ୍ତ, ସୁନ୍ଦରଗଡ ଜିଲ୍ଲା ବଣେଇର ଧରଣୀଧର ମହାନ୍ତ, ସୁକିନ୍ଦା ବ୍ଲକ ସଭାପତି ସହଦେବ ମହାନ୍ତ, ରାଇରଙ୍ଗପୁରର ନବୀନ ଚନ୍ଦ୍ର ମହାନ୍ତ, କଙ୍କଡାହାଡ଼ର ରଂଜନ କୁମାର ମହାନ୍ତ, କରଞ୍ଜିଆର କାବୁଲ ମହାନ୍ତ, ଚମ୍ପୁଆର ସୁନୀଲ ମହାନ୍ତ, ନରହରି ମହାନ୍ତ, ଶ୍ୟାମ ସୁନ୍ଦର ମହାନ୍ତ, ନିରୁପମା ମହାନ୍ତ, ଲକ୍ଷ୍ମୀଧର ମହାନ୍ତ, ଡମ୍ବରୁଧର ମହାନ୍ତ, ସୁଶାନ୍ତ ମହାନ୍ତ, ସୁମିତ୍ରା ମହାନ୍ତ, ପ୍ରମିଳା ମହାନ୍ତ, ଧନୁର୍ଜୟ ମହାନ୍ତ, ଗୋଲଖ ମହାନ୍ତ, ପ୍ରହଲ୍ଲାଦ ମହାନ୍ତ, ବଳରାମ ମହାନ୍ତଙ୍କ ସମେତ କେନ୍ଦୁଝର, ସୁନ୍ଦରଗଡ, ମୟୂରଭଞ୍ଜ, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର କୁଡୁମି ସମାଜର ଏକ ହଜାରରୁ ଊର୍ଦ୍ଧ୍ବ ଲୋକ ସାମିଲ ହୋଇଥିଲେ।

ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଘଟଣା ସ୍ଥଳରେ ୫ ପ୍ଲାଟୁନ ପୁଲିସ ଫୋର୍ସ, ଘଟଗାଁ ଏସଡ଼ିପିଓ ଅସିତ ରଂଜନ ମହାନ୍ତି, ହରିଚନ୍ଦନପୁର ଥାନା ଅଧିକାରୀ ସୁସ୍ମିତା ଦେବତା, ଦୈତାରୀ ଥାନା ଅଧିକାରୀ ତୁଳସୀ ମଞ୍ଜରି ଭୂୟାଁ, ପଣ୍ଡପଡା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ, ଘଟଗାଁ ଥାନା ଅଧିକାରୀ ଘନଶ୍ୟାମ ବେହେରା ଉପସ୍ଥିତ ଥିଲେ। କେନ୍ଦୁଝର ଉପ-ଜିଲ୍ଲାପାଳ ରାମଚନ୍ଦ୍ର କିସ୍କୋ, ବିଡ଼ିଓ ପ୍ରଭୁ କଲ୍ୟାଣ ଦାସ, ତହସିଲଦାର ପ୍ରଶାନ୍ତ କୁମାର ସେଠୀ, ଏସଡିପିଓ ଶ୍ରୀ ମହାନ୍ତି ଏବଂ କୁଡୁମି ସମାଜର ଏକ ପ୍ରତିନିଧି ଦଳକୁ ନେଇ ଜମି ବିବାଦର ସମାଧାନ ପାଇଁ ହରିଚନ୍ଦନପୁର ବ୍ଲକ ସଭା ଗୃହ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କୌଣସି ସମାଧାନ ହୋଇ ନପାରିବାରୁ କୁଡୁମି ସମାଜ ବୈଠକରୁ ଉଠି ଚାଲି ଯାଇଥିଲେ। ପରେ ଉପ ଜିଲ୍ଲାପାଳ ଶ୍ରୀ କିସ୍କୋ ଧାରଣାସ୍ଥଳକୁ ଯାଇ ଆସନ୍ତାକାଲି କେନ୍ଦୁଝରରେ ଜିଲ୍ଲାପାଳଙ୍କ ଉପସ୍ଥିତରେ ଜମି ବିବାଦର ସମାଧାନ ପାଇଁ ଏକ ବୈଠକ ବସିବ ବୋଲି ପ୍ରତିଶ୍ରୁତି ଦେବା ପରେ କୁଡୁମି ସମାଜ ଅସ୍ଥାୟୀ ଭାବେ ଧାରଣାରୁ ଓହରିଛନ୍ତି । ତହସିଲ କାର୍ଯ୍ୟାଳୟରେ ତାଲା ପଡ଼ି ରହିଥିବ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜମି ବିବାଦର ସମାଧାନ ହେଲେ ତାଲା ଖୋଲାଯିବ, ନଚେତ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଶ୍ରୀ ମହାନ୍ତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର