ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ବନ୍ତଳା ପଞ୍ଚାୟତ କପାଷ୍ଟିକିରୀ ଗ୍ରାମରେ ବୁଧବାର ସକାଳୁ ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ ଘଟିଛି। ନିଜ ଭାଉଜଙ୍କ ଜୀବନ ନେଇଯାଇଛି ଦିଅର। କୁରାଢ଼ିରେ ବେକକୁ ହାଣି ଅତି ବୀଭତ୍ସ ଭାବେ ହତ୍ୟା କରିବା ପରେ ଫେରାର ହୋଇଯାଇଥିଲା ଅଭିଯୁକ୍ତ। ପୁଲିସ ପରେ ଅଭିଯୁକ୍ତକୁ ଅଟକ ରଖିଛି। ମୃତ ମହିଳା ହେଲେ କପାଷ୍ଟିକିରୀ ଗ୍ରାମର ଗୌରାଙ୍ଗ ନାୟକଙ୍କ ପତ୍ନୀ ଅନିତା ନାୟକ (୫୦)। ସେ ସକାଳୁ ଉଠି ଘର ଦାଣ୍ତ ଝାଡ଼ୁ କରୁଥିବା ବେଳେ ହଠାତ୍ ପଛପଟୁ ତାଙ୍କର ଦିଅର ଜୟନ୍ତ ନାୟକ ଆସି ଅତର୍କିତ ଆକ୍ରମଣ କରିଥିଲା। ଅନିତାଙ୍କ ପାଟିରେ ହାତ ଦେଇ ତାଙ୍କୁ ଘର ଭିତରକୁ ଟେକିନେଇ ଯାଇଥିଲା। ଘର ଭିତରେ ତା’ର ସ୍ତ୍ରୀ ମାନ ନାୟକଙ୍କ ସହାୟତାରେ ଅନିତାଙ୍କ ତଣ୍ଟି କାଟି ହତ୍ୟା କରିଥିଲା। ଘଟଣାସ୍ଥଳରେ ଅନିତାଙ୍କ ମୃତ୍ୟୁ ହେବା ପରେ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ସ୍ବାମୀସ୍ତ୍ରୀ ଦୁହେଁ ଘୋଷାରି ଆଣି ଦାଣ୍ତରେ ପକାଇ ଦେଇଥିଲେ। ଘର ପଛପଟ କବାଟ ଖୋଲି ତାଙ୍କ ପୁଅଝିଅଙ୍କୁ ନେଇ ସେଠାରୁ ସମସ୍ତେ ଫେରାର ହୋଇଯାଇଥିଲେ।

Advertisment

ଅନିତାଙ୍କ ପୁଅ ଲକ୍ଷ୍ମୀଧର ଦୂରରୁ ଥାଇ ଏହା ଦେଖି ହତବାକ୍‌ ହୋଇ ଗାଁ ଲୋକଙ୍କୁ ଡାକ ପକାଇଥିଲା। ମାତ୍ର ସେତେବେଳକୁ ସବୁକିଛି ଶେଷ ହୋଇଯାଇଥିଲା। ମଝି ଦାଣ୍ତରେ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ି ରହିଥିଲା। ଏନେଇ ସେ ବୈରୀ ଥାନାକୁ ଜଣାଇଥିଲେ। ଥାନାଅଧିକାରୀ ପ୍ରଦୀପ୍ତ କାନୁନ୍‌ଗୋ, ଏଏସ୍‌ଆଇ ସୁବ୍ରତ ସାହୁ, ଜେ ଆବେଦିନ, ନାରାୟଣ ପ୍ରସାଦ ବେହେରାଙ୍କ ସମେତ ପୁଲିସ ଫୋର୍ସ କପାଷ୍ଟିକିରୀ ଗ୍ରାମରେ ପହଞ୍ଚି ମୃତଦେହ ଜବତ କରିଥିଲେ। ପରେ ସାଇଣ୍ଟିଫିକ ଟିମ୍ ଆସି ଅନୁସନ୍ଧାନ କରିଛନ୍ତି। ଶବ ବ୍ୟବଚ୍ଛେଦ ପାଇଁ ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ପୁଅ ଲକ୍ଷ୍ମୀଧରଙ୍କ ଅଭିଯୋଗକୁ ଭିତ୍ତି କରି ବୈରୀ ଥାନାରେ ୨୧/୨୩ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ଜୟନ୍ତ ଓ ତା’ର ସ୍ତ୍ରୀ ମାନ ନାୟକଙ୍କୁ ପୁଲିସ୍‌ ଖୋଜୁଛି। ଜମିବାଡ଼ି ବିବାଦରୁ ପୂର୍ବରୁ ଦୁଇ ପରିବାର ମଧ୍ୟରେ ବହୁବାର ଝଗଡ଼ା ହୋଇଥିଲା ବୋଲି ସାହିଲୋକଙ୍କଠାରୁ ସୂଚନା ମିଳିଛି।