ଚନ୍ଦନେଶ୍ୱର: ପଶ୍ଚିମବଙ୍ଗ ରାଜସ୍ୱ ବିଭାଗ ଓ ଦୀଘା-ଶଙ୍କରପୁର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍ ସୀମାନ୍ତ ସାହାବାଜିପୁରରେ ଗତକାଲି ଖୁଣ୍ଟ ପୋତି ଓଡ଼ିଶା ଜମିକୁ ଜବରଦଖଲ କରିଥିଲେ। ଏନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ପଶ୍ଚିମବଙ୍ଗର ଦାଦାଗିରିକୁ ତୀବ୍ର ବିରୋଧ କରିଥିଲେ। ଫଳରେ ଆଜି ବାଧ୍ୟହୋଇ ପଶ୍ଚିମବଙ୍ଗ ୨୦ରୁ ଅଧିକ ସିମେଣ୍ଟ ଖୁଣ୍ଟ ଉପାଡ଼ି ଦେଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଭୋଗରାଇ ବ୍ଲକ୍ ତଥା ଓଡ଼ିଶା ସୀମାନ୍ତ ସାହାବାଜିପୁର ଗାଁରେ ଖୁଣ୍ଟ ପୋତି ପଶ୍ଚିମବଙ୍ଗ ପକ୍ଷରୁ ଜମି ଜବରଦଖଲ କରାଯିବା ସଂପର୍କରେ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଏହାକୁ ନେଇ ବୁଦ୍ଧିଜୀବୀ ଓ ଗ୍ରାମବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ସ୍ଥାନୀୟ ପ୍ରଶାସନ ତତ୍ପର ହୋଇ ଉଠିଛି। ଭୋଗରାଇ ତହସିଲଦାର ସୂର୍ଯ୍ୟ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ବାଜିତପୁର ରାଜସ୍ବ ନିରୀକ୍ଷକ ଓମ ପ୍ରକାଶ ମହନ୍ତ ଆଜି ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ପ୍ରଶାସନିକ ତତ୍ପରତା ଓ ଗ୍ରାମବାସୀଙ୍କ ପ୍ରତିବାଦ ଜୋରଦାର୍ ହେବାରୁ ପଶ୍ଚିମବଙ୍ଗ ପୋତିଥିବା ୨୦ରୁ ଅଧିକ ଖୁଣ୍ଟ ଉପାଡ଼ିବାକୁ ବାଧ୍ୟ ହୋଇଛି। ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ସେ କହିଛନ୍ତି, ଓଡ଼ିଶାର ଇଞ୍ଚେ ଜମି ପଶ୍ଚିମବଙ୍ଗକୁ ଦିଆଯିବ ନାହିଁ। ସାହାବାଜିପୁର ସରପଞ୍ଚ ଅରୁଣ ଗିରି କହିଛନ୍ତି,ପଶ୍ଚିମବଙ୍ଗ ସରକାର ବାରମ୍ବାର ଓଡ଼ିଶା ମଧ୍ୟକୁ ପ୍ରବେଶ କରିବା ଦୁର୍ଭାଗ୍ୟଜନକ ଘଟଣା। ଉକ୍ତ ଅଞ୍ଚଳରେ ଓଡ଼ିଶା ଓ ପଶ୍ଚିମବଙ୍ଗର ପ୍ରାଶାସନିକ ଅଧିକାରୀମାନେ ଏକତ୍ରିତ ହୋଇ ସୀମା ନିର୍ଦ୍ଧାରଣ କରିବାକୁ ପୂର୍ବତନ ନାଏବ ସରପଞ୍ଚ ହରେକୃଷ୍ଣ ପ୍ରଧାନ, ଭଗବାନ ଚନ୍ଦ୍ର ବେହେରା, ସମାଜସେବୀ ବ୍ରଜକିଶୋର ସାମଲ, ହରେକୃଷ୍ଣ ପ୍ରଧାନ, ପ୍ରଦୀପ ବେହେରା, ସୁବଲ ସାମଲ ପ୍ରମୁଖ ଦାବି କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୯-୨୦ରେ ସୀମା ନିର୍ଦ୍ଧାରଣ ନ କରି ଦୀଘା-ଶଙ୍କରପୁର ଉନ୍ନୟନ କର୍ତ୍ତୃପକ୍ଷ ଉକ୍ତ ଅଞ୍ଚଳରେ ଖୁଣ୍ଟ ପୋତୁଥିଲା। ତତ୍କାଳୀନ ଭୋଗରାଇ ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ତତ୍କାଳୀନ ଭୋଗରାଇ ତହସିଲଦାର ପହଞ୍ଚି ମାପଚୁପ କରିଥିଲେ।