ବିଜୁ ଏକ୍ସପ୍ରେସ୍‌ ୱେ ପାଇଁ ଜମିଦେଇ ହଟହଟା

ସଂଶୋଧିତ ମୂଲ୍ୟ ପାଉ ନାହାନ୍ତି ଘେଁସ୍‌ବାସୀ, ଆନ୍ଦୋଳନ ଚେତାବନୀ

ସମ୍ବଲପୁର : ରାଜ୍ୟ ସରକାରଙ୍କ ମହତ୍ବାକାଂକ୍ଷୀ ପ୍ରକଳ୍ପ ‘ବିଜୁ ଏକ୍ସପ୍ରେସ୍ ୱେ’ ନିର୍ମାଣରେ ସହଯୋଗ କରି ଆଗୁଆ ନିଜ ଜମି ହସ୍ତାନ୍ତର କରିଥିବା ବରଗଡ଼ ଜିଲ୍ଲା ଘେଁସ ମୌଜାର ପ୍ରାୟ ୨୭ ଜଣ ଲୋକ ଘୋର ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କୁ ତାଙ୍କ ନ୍ୟାଯ୍ୟ ହକ୍ ଅନୁଯାୟୀ ଜମିର ମୂଲ୍ୟ ମିଳୁନାହିଁ। ବିକ୍ରି ଚୁକ୍ତି ଅନୁଯାୟୀ ଜିଲ୍ଲା କ୍ଷତିପୂରଣ ପରାମର୍ଶଦାତା କମିଟି (ଡିସିଏସି) ବୈଠକରେ ଜମିର କିସମ ଅନୁଯାୟୀ ଯଦି ଦର ସଂଶୋଧିତ ହେଲା, ତା’ହେଲେ ସରକାରଙ୍କ ନୂତନ ନିର୍ଦ୍ଧାରିତ ଦର ଅନୁସାରେ ଏହି ଲୋକମାନେ ଜମିର ମୂଲ୍ୟ ପାଇବା କଥା। କିଛିଲୋକ ଏହା ପାଇଛନ୍ତି ମଧ୍ୟ। କିନ୍ତୁ, ଯେଉଁମାନେ ଆଗୁଆ ଜମି ହସ୍ତାନ୍ତର କରି ଦେଇଥିଲେ ସେମାନେ ଏବେ ଉପେକ୍ଷାର ଶିକାର ହେଉଛନ୍ତି । ଗୋଟିଏ ମୌଜାରେ ସମାନ କିସମ ଜମି ପାଇଁ କେହି ୪ ଟଙ୍କା ପାଇଥିଲା ବେଳେ କେହି ମାତ୍ର ଟଙ୍କାଟିଏ ପାଇଛି। ଇତିମଧ୍ୟରେ ବିଜୁ ଏକ୍ସପ୍ରେସ୍‌ ୱେ ନିର୍ମାଣ ଶେଷ ହୋଇ ତା ଉପରେ ଗାଡ଼ି ଦୌଡ଼ିଲାଣି। ମାତ୍ର ୫ ବର୍ଷ ହେଲା ସାମୂହିକ ସ୍ବାର୍ଥପାଇଁ ଏହି ବୃହତ୍ ପ୍ରକଳ୍ପର ଅଗ୍ରଗତି ନିମନ୍ତେ ନିଜ ଭୂମି ଛାଡ଼ିଥିବା ଲୋକମାନେ ଏବେ ଏହାର ପ୍ରକୃତ ନିର୍ଦ୍ଧାରିତ ମୂଲ୍ୟ ପାଇବା ପାଇଁ ବାର ଦୁଆର ଦୌଡ଼ି ହଟହଟା ହେଉଛନ୍ତି।

ଦକ୍ଷିଣ ଓଡ଼ିଶା କୋରାପୁଟର ଚାନ୍ଦିଲିଠାରୁ ଉତ୍ତର ପଶ୍ଚିମ ଓଡ଼ିଶାର ଇସ୍ପାତ୍ ସହର ରାଉରକେଲାକୁ ଉନ୍ନତ ୪ ଥାକିଆ ସଡ଼କ ପଥରେ ଯୋଡ଼ିବା ପାଇଁ ରାଜ୍ୟ ସରକାର ୬୫୦ କିଲୋମିଟର ଲମ୍ବା ବିଜୁ ଏକ୍ସପ୍ରେସ୍ ୱେର ଘୋଷଣା କରିଥିଲେ। ଏହି ରାଜପଥ ନିର୍ମାଣ ବେଳେ ଅନ୍ୟାନ୍ୟ ଅଞ୍ଚଳ ଭଳି ବରଗଡ଼ ଜିଲ୍ଲା ଘେଁସ୍ ଅଞ୍ଚଳରୁ ବି ଆବଶ୍ୟକ ଜମି ଅଧିଗ୍ରହଣ କରା ଯାଇଥିଲା। ଏହି ଅଧିଗ୍ରହଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଯେବେ ବହୁ ଲୋକ ନିଜ ଜମି ଛାଡ଼ିବାକୁ ଅମଙ୍ଗ ହେଉଥିଲେ ସେତେବେଳେ ଘେଁସ ଅଞ୍ଚଳର କିଛି ଲୋକ ପ୍ରକଳ୍ପରେ ସହଯୋଗ ପାଇଁ ଆଗୁଆ ନିଜ ଜମି ଛାଡ଼ିବାକୁ ପ୍ରସ୍ତୁତ ହୋଇଥିଲେ। ସରକାର ତ୍ରୁଟିପୂର୍ଣ୍ଣ ଦର ନିର୍ଦ୍ଧାରଣ କରି ସେମାନଙ୍କଠାରୁ ଜମି ନେଇଥିଲେ। ସେମାନେ ଜମିର ଉଚିତ ମୂଲ୍ୟ ଦାବି କରିବାରୁ ପରବର୍ତ୍ତୀ ଡିସିଏସି ବୈଠକରେ ମୂଲ୍ୟ ସଂଶୋଧିତ ହୋଇ ପୁନଃନିର୍ଦ୍ଧାରଣ ହେଲେ ସେମାନଙ୍କୁ ପରିବର୍ତ୍ତିତ ଦର ଅନୁଯାୟୀ ଅତିରିକ୍ତ ରାଶି ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇ ବିକ୍ରି ଚୁକ୍ତିନାମା (ସେଲ୍ ଡିଡ୍‌)ରେ ଉଲ୍ଲେଖ କରାଗଲା। ଏହାକୁ ବିଶ୍ବାସ କରି ଏହି ଲୋକମାନେ ସରକାରଙ୍କୁ ଜମି ବିକ୍ରି କରିଦେଲେ। କିନ୍ତୁ; ଯେଉଁମାନେ ପରବର୍ତ୍ତୀ ସମୟରେ ଦର ପୁନଃନିର୍ଦ୍ଧାରିତ ହେଲେ ସଂଶୋଧିତ ମୂଲ୍ୟ ପାଇବେ ବୋଲି ଚୁକ୍ତି କରି ଆଗୁଆ ଜମି ହସ୍ତାନ୍ତର କରିଥିଲେ, ସେମାନଙ୍କୁ ସରକାରୀ ଅଧିକାରୀମାନେ ଅତିରିକ୍ତ ବର୍ଦ୍ଧିତ ମୂଲ୍ୟ ପ୍ରଦାନରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ପ୍ରଭାବିତ ଲୋକମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର