ଭିଡିଓ କନ୍ଫରେନ୍ସିଂ ଜରିଆରେ ତହସିଲଦାରମାନଙ୍କୁ ତାଗିଦ୍
ଫେବ୍ରୁଆରି ୧୦ରୁ ‘ମୋ ସରକାର’ରେ ମିଶିବ ରାଜସ୍ବ ବିଭାଗ
ଭୁବନେଶ୍ବର : ଆସନ୍ତାମାସ ୧୦ ତାରିଖରୁ ‘ମୋ ସରକାର’ କାର୍ଯ୍ୟକ୍ରମରେ ସାମିଲ ହେବ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ। ସରକାରଙ୍କ ବାରମ୍ବାର ତାଗିଦ୍ ପରେ ବି ରାଜ୍ୟର କେତେକ ତହସିଲରେ ଦାଖଲ-ଖାରଜ ମାମଲା ଫଇସଲା ନ ହୋଇ ପଡ଼ିରହିଛି। ରାଜସ୍ବ ବିଭାଗ ଅଧୀନରେ ପ୍ରଦାନ କରାଯାଉଥିବା ୩୧ ପ୍ରକାର ଜନସେବା ପାଇଁ ଆସିଥିବା ଆବେଦନ ପତ୍ରଗୁଡ଼ିକ ତ୍ବରିତ୍ ବିଚାର ନ କରି ପକେଇ ରଖାଯାଇଛି। ଆସନ୍ତା ଫେବ୍ରୁଆରି ୫ ତାରିଖ ସୁଦ୍ଧା ଏସବୁ ସମ୍ପୂର୍ଣ୍ଣ କର ନଚେତ୍ କାର୍ଯ୍ୟାନୁଷ୍ଠାନ ହେବ। ଆଜି ଲୋକସେବା ଭବନରେ ଜିଲ୍ଲାପାଳ, ଏଡିଏମ୍ ଓ ତହସିଲଦାରମାନଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ରାଜସ୍ବ ବିଭାଗ ସମୀକ୍ଷା କରିବା ଅବସରରେ ଏପରି ତାଗିଦ୍ କରିଛନ୍ତି ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର। ଆସନ୍ତାମାସ ପହିଲାରୁ ସବ ରେଜିଷ୍ଟ୍ରାର୍ ଅଫିସରେ ଜମି କିଣା-ବିକା କାଗଜପତ୍ର ଗୋଟିଏ ଦିନରେ ମିଳିବ। ଏପ୍ରିଲ ପହିଲାରୁ ଜମି କିଣାବିକା ହେବାର ଗୋଟିଏ ଘଣ୍ଟା ପରେ ସବରେଜିଷ୍ଟ୍ରାର୍ ଅଫିସ କବଲା ପ୍ରଦାନ କରିବ।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମୋ ସରକାର କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଉପରୁ-ତଳ ପର୍ଯ୍ୟନ୍ତ ବିଭାଗୀୟ ପ୍ରସ୍ତୁତି ଜୋରଦାର ଚାଲିଛି। ଜମି ପଟ୍ଟା ପ୍ରଦାନ, ଜାତିଗତ ପ୍ରମାଣ ପତ୍ର, ଆୟ ପ୍ରମାଣ ପତ୍ର, ନକ୍ସା, ସବ୍ରେଜିଷ୍ଟ୍ରାର୍ ଅଫିସରେ ଜମି କିଣାବିକା ପ୍ରଭୃତି ୩୧ ପ୍ରକାର ଜନସେବାକୁ ତ୍ବରିତ୍ ବେଗରେ ଲୋକଙ୍କ ପାଖରେ ପହଞ୍ଚାଇବାକୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରୁ ଜଣାପଡ଼ିଥିଲା ଯେ, ବିଭାଗୀୟ ନିର୍ଦ୍ଦେଶ ଆଗରୁ ଦିଆଯାଇଥିଲେ ବି ରାଜ୍ୟର ମୋଟ ୩୧୭ଟି ତହସିଲ ଭିତରୁ ପ୍ରାୟ ୨୫ଟି ତହସିଲ ଅଫିସରେ ସରକାରୀ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ ପୂରା ହୋଇନି। ଏଥିପାଇଁ ସେସବୁ ତହସିଲଦାରମାନଙ୍କୁ ଶେଷସୁଯୋଗ ଭାବେ ଆସନ୍ତା ମାସ ୫ ତାରିଖ କଣ୍ଟ ପ୍ରଦାନ କରାଯାଇଛି। ବକେୟା କାମ ପୂରା କରିବାକୁ ସରକାରୀ ଛୁଟିଦିନମାନଙ୍କରେ ବି ସମ୍ପୃକ୍ତ ତହସିଲଦାରମାନେ ଅଫିସ ଆସିବେ। ଜମି କିଣିବା ପରେ କ୍ରୟ କରିଥିବା ବ୍ୟକ୍ତିକୁ ଜମିର କାଗଜପତ୍ର ପାଇଁ ଆଉ ଥରେ ଯେପରି ସବ୍ ରେଜିଷ୍ଟ୍ରାର୍ ଅଫିସର ଦୌଡ଼ିବାକୁ ପଡ଼ିବନି ସେଥିପାଇଁ ରାଜସ୍ବ ବିଭାଗ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଛି। ସେହିପରି ତହସିଲ ସ୍ତରରେ ଜମି ପଟ୍ଟା ପ୍ରଦାନ ବ୍ୟବସ୍ଥାରେ ସଂସ୍କାର ଅଣଯାଇଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/land-a.jpg)