ଭୁବନେଶ୍ୱରରେ ସରକାରୀ ଜମି ଜବର ଦଖଲ ଅଭିଯୋଗ ନେଇ ଜନସ୍ୱାର୍ଥ ମାମଲା

କଟକ : ରାଜଧାନୀ ଭୁବନେଶ୍ୱରରେ ଶତାଧିକ ଏକର ସରକାରୀ ଜମି ଜବର ଦଖଲରେ ରହିଛି। ଘରୋଇ ମେଡିକାଲ କଲେଜ, ଇଂଜିନିୟରିଂ କଲେଜ ଓ ଶିଳ୍ପ ସଂସ୍ଥା ବିଶେଷ ଭାବେ ବହୁ ପରିମାଣର ସରକାରୀ ଜମି ଜବର ଦଖଲ କରିଛନ୍ତି। ଜବର ଦଖଲ ପରେ ଏହି ସରକାରୀ ଜମି ମଧ୍ୟରୁ କିଛି ଉପରେ ବିଭିନ୍ନ ପ୍ରକାର ନିର୍ମାଣ କରାଯାଇଛି ଓ ବ୍ୟବସାୟିକ କାର୍ଯ୍ୟରେ ଏହାର ବ୍ୟବହାର କରାଯାଉଛି। ଏପରି ଅଭିଯୋଗ କରି ଖୋର୍ଦ୍ଧା ଜିଲ୍ଲା କଲ୍ୟାଣପୁରର ଅଚ୍ୟୁତାନନ୍ଦ ସ୍ୱାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି। ଜନସ୍ୱାର୍ଥ ମାମଲା ଆବେଦନରେ ଉଲ୍ଲେଖ କରାଯାଇଛି ଯେ ସରକାରୀ ଜମିରେ ଗ୍ରାମ୍ୟ ଜଙ୍ଗଲ, ରାସ୍ତା, ଶ୍ମଶାନ, ଖେଳ ପଡିଆ ରହିଥିବା ବେଳେ ଏହା ସର୍ବସାଧାରଣଙ୍କ ବ୍ୟବହାରେ ଆସିଥାଏ। କିନ୍ତୁ ଭୁବନେଶ୍ୱରରେ ଏପରି ମୂଲ୍ୟବାନ ଜମି ବହୁ ଘରୋଇ ସଂସ୍ଥା ଜବର ଦଖଲ କରିଛନ୍ତି। ରେକର୍ଡରେ ଜମି ସରକାରଙ୍କ ନାଁରେ ରହିଛି। କିନ୍ତୁ ପ୍ରକୃତ ପକ୍ଷେ ଏହାକୁ ଘରୋଇ ସଂସ୍ଥା ଜବର ଦଖଲ କରି ବ୍ୟବହାର କରୁଛନ୍ତି। ଏ ପ୍ରସଂଗରେ କଣ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ଓ କେତେ ପରିମାଣର ଜମି ଜବରଦଖଲମୁକ୍ତ କରାଯାଇଛି ସେ ସଂପର୍କରେ ଜବାବ ରଖିବାକୁ ପ୍ରତିପକ୍ଷଙ୍କୁ ନିର୍ଦ୍ଦେଶ ପ୍ରଦାନ ପାଇଁ ଆବେଦନରେ ପ୍ରାର୍ଥନା କରାଯାଇଛି। ମାମଲାରେ ଆଇନ ସଚିବ, ମୁଖ୍ୟ ଶାସନ ସଚିବ, ରାଜସ୍ୱ ସଚିବ, ସାଧାରଣ ପ୍ରଶାସନ ବିଭାଗର ଇଷ୍ଟେଟ ନିର୍ଦ୍ଦେଶକ, ନଗର ଉନ୍ନୟନ ବିଭାଗ ସଚିବ, ବିଏମସି କମିସନର, ବିଡିଏ ଉପାଧ୍ୟକ୍ଷ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଭୁବନେଶ୍ୱର ତହସିଲଦାରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର