ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଓଡ଼ିଶା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ପ୍ରତିଷ୍ଠା ପାଇଁ ଶ୍ରୀଘ୍ର ଜମି ଯୋଗାଇ ଦେବା ପାଇଁ ରାଜ୍ୟସଭା ସଦସ୍ୟ ଡ. ସସ୍ମିତ ପାତ୍ର କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି।

Advertisment

ଆଜି ଡ. ପାତ୍ର ଏହି ପ୍ରସଙ୍ଗକୁ ରାଜ୍ୟସଭାରେ ସ୍ପେଶାଲ ମେନ୍‌ସନ୍ ଜରିଆରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶ୍ରୀ ପାତ୍ର କହିଥିଲେ ଯେ ଓଡ଼ିଶା ସଂସ୍କୃତି ଓ ପରମ୍ପରାର ରାଜ୍ୟ। ଓଡ଼ିଶୀ ନୃତ୍ୟକୁ ବିଶ୍ୱ ଦରବାରରେ ସ୍ବତନ୍ତ୍ର ପରିଚୟ ମିଳିଥିବା ବେଳେ ଓଡ଼ିଆ ଭାଷା ଦେଶର ଷଷ୍ଠ ଶାସ୍ତ୍ରୀୟ ଭାଷା ରୂପେ ମର୍ଯ୍ୟାଦା ପାଇଛି। ଏଥିସହିତ ଓଡ଼ିଶାର ପାରମ୍ପରିକ ଖାଦ୍ୟ, ଚାଲିଚଳଣ, ହସ୍ତତନ୍ତ ଓ ହସ୍ତଶିଳ୍ପ, ବୟନକଳା ନିଜର ବୈଶିଷ୍ଟ୍ୟ ପାଇଁ ଦେଶ ଓ ଦେଶ ବାହାରେ ସବୁ ପ୍ରସିଦ୍ଧି ଅର୍ଜନ କରିଛି। ଓଡ଼ିଶା ସଂସ୍କୃତିକୁ ଜାତୀୟ ରାଜଧାନୀରେ ଉପସ୍ଥାପନା କରିବା ପାଇଁ ଦିଲ୍ଳୀରେ ସ୍ଥାୟୀ କୋଠା କିମ୍ବା ସାଂସ୍କୃତିକ କେନ୍ଦ୍ର ଓ ପାଠାଗାର ପ୍ରତିଷ୍ଠା ଲାଗି ନିଷ୍ପତ୍ତି ନିଆଯାଇଥିଲା। ଗତବର୍ଷ ସେପ୍ଟମ୍ବର ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀଙ୍କୁ ପତ୍ର ଲେଖି ଦିଲ୍ଲୀରେ ସାସ୍କୃତିକ କେନ୍ଦ୍ର ଓ ପାଠାଗାର ପ୍ରତିଷ୍ଠା ପାଇଁ ଜମି ଆବଣ୍ଟନ ପାଇଁ ଅନୁରୋଧ କରିଥିଲେ। କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖିବାର ୯ ମାସ ବିତିଯିବା ସତ୍ତ୍ୱେ ବର୍ତ୍ତମାନ ସୁଦ୍ଧା ଜମି ଆବଣ୍ଟନ କରାଯାଇ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଅନୁଯାୟୀ କେନ୍ଦ୍ର ସରକାର ଖୁବ୍‌ଶୀଘ୍ର ଦିଲ୍ଲୀରେ ଜମି ଆବଣ୍ଟନ କରିବାକୁ ନେଇ ତତ୍ପରତା ପ୍ରକାଶ କରିବେ ବୋଲି ଡ. ସସ୍ମିତ ପାତ୍ର ଆଶା ବ୍ୟକ୍ତ କରିଛନ୍ତି।