ଜଳଭଣ୍ଡାର ଭିତରେ ଭୂମିହୀନଙ୍କୁ ଜମି: ସର୍ଭେ ନ କରି ତହସିଲ ଦେଇଛି ଜମିପଟ୍ଟା

କେନ୍ଦୁଝର : ଜଳଭଣ୍ଡାର ଭିତରେ ଅକାତକାତ ପାଣି। ଆଉ ଏହି ପାଣି ଭିତରେ ଘର କରିବାକୁ ଭୂମିହୀନଙ୍କୁ ଦିଆଯାଇଛି ଜମିପଟ୍ଟା। ଜମି ପାଇଥିବା ଭୂମିହୀନ ପରିବାର ଜାଗା ଖୋଜିବା ବେଳେ ଏସବୁ ଅରଡ଼େଇ ଜଳଭଣ୍ଡାର ଭିତରେ ଥିବା ଜଣାପଡ଼ିଛି। ଜଣେ କି ଦୁଇଜଣ ନୁହେଁ, ପ୍ରାୟ ୧୫ଜଣ ଭୂମିହୀନଙ୍କୁ କେନ୍ଦୁଝର ସଦର ଓ ବାଂଶପାଳ ତହସିଲ ପକ୍ଷରୁ ଜଳଭଣ୍ଡାର ଭିତରେ ଜମିପଟ୍ଟା ପ୍ରଦାନ କରାଯାଇଛି।

କେନ୍ଦୁଝର ସଦର ଓ ବାଂଶପାଳ ତହସିଲ ସୀମାରେ ରହିଛି ଅରଡ଼େଇ ଜଳଭଣ୍ଡାର। ୧୯୭୨ମସିହାରେ ଏହି ଜଳଭଣ୍ଡାର ପାଇଁ ସେତେବେଳେ ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କ ଦ୍ୱାରା ଶିରୀଷପାଳ, ତୁଳସୀଚଉଁରା, ନାରାୟଣପୁର, ବେଲଦା, ସରାସ, ବଳଭଦ୍ରପୁର, ରାଙ୍କି, ହରିଡ଼ାଗୋଠ, ଡିମିରିବାହାଳ, ଅତିବୁଦ୍ଧିପଡ଼ା, ମୋତିଟାଙ୍ଗିରି ଆଦି ଗ୍ରାମର ୫୦ ଏକରରୁ ଅଧିକ ଜମି ଅଧିଗ୍ରହଣ ହୋଇଥିଲା। ଜମି ଅଧିଗ୍ରହଣ ବେଳେ ସ୍ୱାଭାବିକ ଭାବେ ତହସିଲ ପକ୍ଷରୁ ରେକର୍ଡ ସଂଶୋଧନ କରାଯାଇ ଲୋକଙ୍କ ନାମରୁ ଜମି କଟାଯାଇ ଜଳସମ୍ପଦ ବିଭାଗ ନାମରେ ହେବା କଥା। କିନ୍ତୁ, ପ୍ରଶାସନର ଅବହେଳା ପାଇଁ ୫୦ବର୍ଷ ହେଲା ଏହି ଜମିପଟ୍ଟାର ସଂଶୋଧନ ହୋଇପାରୁ ନାହିଁ।

ସରକାରୀ ତଥ୍ୟ ଅନୁସାରେ, ବର୍ତ୍ତମାନର ବାଂଶପାଳ ବ୍ଲକ୍‌ କୋଡ଼ିପଶା ଗ୍ରାମ ପୂର୍ବରୁ ସଦର ତହସିଲ ଅଧୀନରେ ଥିଲା। କୋଡ଼ିପଶା ଗ୍ରାମର କିଛି ବ୍ୟକ୍ତିଙ୍କୁ କେନ୍ଦୁଝର ସଦର ତହସିଲ ପକ୍ଷରୁ ୧୯୯୫-୯୬ ମସିହାରେ ଜଳଭଣ୍ଡାର ମଧ୍ୟରେ ଥିବା ଜମିକୁ ଭୂମିହୀନଙ୍କୁ ବାଣ୍ଟି ଦିଆଯାଇଛି। ସେହିପରି ୨୦୧୭-୧୮ ମସିହାରେ ଆଉ କିଛି ଭୂମିହୀନଙ୍କୁ ବାଂଶପାଳ ତହସିଲ ଜମିପଟ୍ଟା ଦିଆଯାଇଛି। ଏସବୁ ଜମି ମଧ୍ୟ ଜଳଭଣ୍ଡାର ମଧ୍ୟରେ ରହିଛି। ଭୂମିହୀନଙ୍କ ପାଖରେ ପଟ୍ଟା ଅଛି ସିନା ଭୂମି ନାହିଁ। ଅରଡ଼େଇ ଜଳଭଣ୍ଡାର ନିକଟବର୍ତ୍ତୀ କୋଡ଼ିପଶା ଗ୍ରାମର ବିଶ୍ବନାଥ ଜୁଆଙ୍ଗଙ୍କୁ ପ୍ଲଟ୍‌ ନମ୍ବର ୧୪୬/୮୫୪ରେ ୪ ଡିସିମିଲ ଜମି ଯୋଗାଇ ଦିଆଯାଇଛି। ସେହିପରି ନିଚ୍ଚା ଜୁଆଙ୍ଗଙ୍କୁ ୧୪୬/୮୫୫ ନମ୍ବର ପ୍ଲଟ୍‌ରେ ୪ ଡସିମିଲ, ଦେବ ଜୁଆଙ୍ଗଙ୍କୁ ୧୪୬/୮୫୭ ପ୍ଲଟ୍‌, ରୟା ଜୁଆଙ୍ଗଙ୍କୁ ୧୪୬/୮୫୮ ପ୍ଲଟ୍‌, ଚମ୍ପି ଜୁଆଙ୍ଗଙ୍କୁ ୧୪୬/୮୫୯ ପ୍ଲଟ୍‌, ଗୋବିନ୍ଦ ଜୁଆଙ୍ଗଙ୍କୁ ୧୪୬/୮୬୦ ପ୍ଲଟ୍‌, କୁଞ୍ଜି ଜୁଆଙ୍ଗଙ୍କୁ ୧୪୬/୮୬୧ ପ୍ଲଟ୍‌, ଶୁକଦେବ ଜୁଆଙ୍ଗଙ୍କୁ ୧୪୬/୮୬୨ ପ୍ଲଟ୍‌, ରତ ଜୁଆଙ୍ଗଙ୍କୁ ୧୪୬/୮୬୪ ପ୍ଲଟ୍‌, ନର ଜୁଆଙ୍ଗଙ୍କୁ ୧୪୬/୮୬୮ ପ୍ଲଟ୍‌, ସୀତା ଜୁଆଙ୍ଗଙ୍କୁ ୧୪୬/୮୭୧ ପ୍ଲଟ୍‌, ହରିହର ଜୁଆଙ୍ଗଙ୍କୁ ୧୪୬/୮୭୩ ପ୍ଲଟ୍‌, ସୁକୁମାରୀ ମୁଣ୍ଡାଙ୍କୁ ୧୪୬/୮୮୩ ପ୍ଲଟ୍‌, ତୁଳସୀ ହେସାଙ୍କୁ ୧୪୬/୮୮୪, ସୁକାନ୍ତି ମୁଣ୍ଡାଙ୍କୁ ୧୪୬/୮୮୫ ନମ୍ବର ପ୍ଲଟ୍‌ରେ ୪ ଡିସିମିଲ ଲେଖାଏଁ ଜମିର ପଟ୍ଟା ଯୋଗାଇ ଦିଆଯାଇଛି। କିନ୍ତୁ ଏସବୁ ଜମି ଜଳଭଣ୍ଡାର ଭିତରେ ରହିଛି। ଜଳଭଣ୍ଡାର ଭିତରେ ଥିବା ଜମିକୁ ତହସିଲ କିଭଳି ଭୂମିହୀନଙ୍କୁ ବାଣ୍ଟି ଦେଲା ତାହା ସମସ୍ତଙ୍କୁ ବିସ୍ମିତ କରୁଛି।

ଅନ୍ୟପକ୍ଷରେ, ତ୍ରୁଟି ସଂଶୋଧନ ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଚିଠି ନମ୍ବର ୧୬୩୫ ତା ୦୭/୦୫/୨୦୨୦, ଚିଠି ନମ୍ବର ୧୮୦୬ ତା ୧୯/୫/୨୦୨୦ , ଚିଠି ନମ୍ବର ୩୧୯୩ ତା ୨୯/୧୦/୨୦୨୦, ଚିଠି ନମ୍ବର ୧୬୭୫ ତା ୩୦/୦୩/୨୦୨୧, ଚିଠି ନମ୍ବର ୭୭୫ ତା୧୬/୦୩/୨୦୨୨ରେ ପାଞ୍ଚଥର ବାଂଶପାଳ ଓ କେନ୍ଦୁଝର ସଦର ତହସିଲଦାରଙ୍କୁ ଅବଗତ କରାଯାଇଛି। କିନ୍ତୁ, ତହସିଲ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନି।

ସମ୍ବନ୍ଧିତ ଖବର