ଅନୁଗୁଳ : ଜମି ଜାଲିଆତି। ଚଞ୍ଚକତା କରି ମା ନାଁରେ ଥିବା ଜମିକୁ ପୁଅ ନାଁରେ କରିଦେଲେ। ଅନୁଗୁଳ ଜିଲ୍ଲା ବଅଁରପାଳ ତହସିଲ୍‌ଦାର ଜିତେନ୍ଦ୍ର ସାହୁଙ୍କ ନାଁରେ ଏମିତି ଜାଲିଆତି ଅଭିଯୋଗ ଆଣିଛନ୍ତି ଅନୁଗୁଳ ସହର ଶିକ୍ଷକପଡ଼ାସ୍ଥିତ ଉଦୟନାଥ ମହାନ୍ତିଙ୍କ ସ୍ତ୍ରୀ ମନୋରମା ମହାନ୍ତି (୮୪)। କେବଳ ତହସିଲଦାର ନୁହନ୍ତି, ଏ ଜମି ଜାଲିଆତି ଘଟଣାରେ ଅନୁଗୁଳର ଆସିଷ୍ଟାଣ୍ଟ୍‌ ସବ୍‌-ରେଜିଷ୍ଟ୍ରାର ଦୋଳଗୋବିନ୍ଦ ସାହୁଙ୍କୁ ବି ସେ ଦାୟୀ କରିଛନ୍ତି। ତହସିଲ୍‌ଦାର, ସବ୍‌-ରେଜିଷ୍ଟ୍ରାର ମିଳିମିଶି ଏ ଜମିକୁ ପୁଅ ନାଁରେ ପଟ୍ଟା କରାଇ ଦେଇଛନ୍ତି ବୋଲି ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅନୁଗୁଳ ଟାଉନ୍‌ ଥାନା ପୁଲିସ ଦଫା ୪୬୮, ୪୨୦, ୨୯୪, ୫୦୬ ଓ ୧୨୦ରେ କେସ୍‌ ନମ୍ବର ୪୫୩ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment

ଶ୍ରୀମତୀ ମହାନ୍ତିଙ୍କ ଅଭିଯୋଗ ମୁତାବକ, ବଅଁରପାଳ ତହସିଲ୍‌ ରାଣୀଗୋଡ଼ା ଜଙ୍ଗଲର ଖାତା ନମ୍ବର ୪୦୧, ପ୍ଲଟ୍ ନମ୍ବର ୨୦୯ରେ ସେ ରେକର୍ଡଦାର ଅଛନ୍ତି। ଜମି ଆବଣ୍ଟନକୁ ନେଇ କୋର୍ଟରେ ପୂର୍ବରୁ ମାମଲା ହୋଇଥିଲା। କୋର୍ଟ ନିର୍ଦ୍ଦେଶ ମୁତାବକ, ଦୁଇ ପୁଅ ଏବଂ ତାଙ୍କ ମଧ୍ୟରେ ଜମିକୁ ଭାଗବଣ୍ଟା କରାଯାଇଥିଲା। ତାଙ୍କ ଭାଗରେ ପଡ଼ିଥିବା ଜମିକୁ ଶ୍ରୀମତୀ ମହାନ୍ତି ବିକ୍ରି କରିବାକୁ ଚାହୁଁଥିଲେ। ଜମି ବିକ୍ରି କରିବାକୁ ଗଲାବେଳକୁ ସେଥିରୁ ସାତ ଡେସିମିଲ୍ ଜମି ତାଙ୍କ ପୁଅ ପ୍ରଭାତ ରଞ୍ଜନ ମହାନ୍ତିଙ୍କ ନାଁରେ ରେଜିଷ୍ଟ୍ରି ହୋଇଥିବା ସେ ଜାଣିବାକୁ ପାଇଥିଲେ। ତହସିଲଦାର ଶ୍ରୀ ସାହୁ ଚଞ୍ଚକତା କରି ଏମିତି କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ସେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାରୁ ମ୍ୟୁଟେସନ୍‌ କେସ୍‌ ଖାରଜ କରାଯାଇ ପୁଣି ତାଙ୍କ ନାଁକୁ ଜମି ଫେରିଥିଲା।

ସେ ଜମିକୁ ପୁଣିଥରେ ବିକ୍ରି କରିବା ପାଇଁ ଅନୁଗୁଳ ରେଜିଷ୍ଟ୍ରି ଅଫିସ୍‌କୁ ଯାଇଥିଲେ। କିନ୍ତୁ, ରେଜିଷ୍ଟ୍ରି ଅଧିକାରୀ ଶ୍ରୀ ଜେନା ତାଙ୍କ ଦଲିଲ୍‌କୁ ଗ୍ରହଣ କରିବା ପରିବର୍ତ୍ତେ ତାଙ୍କୁ ଦୁର୍ବ୍ୟବହାର କରି ଅଫିସ୍‌ରୁ ତଡ଼ିଦେଲେ ବୋଲି ଶ୍ରୀମତୀ ମହାନ୍ତି ଏତଲାରେ ଦର୍ଶାଇଛନ୍ତି। ଏନେଇ ଉପରୋକ୍ତ ଦୁଇ ଅଧିକାରୀଙ୍କ ବିରୋଧରେ ଶ୍ରୀମତୀ ମହାନ୍ତି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟଙ୍କ ଏତଲା କ୍ରମେ ଅନୁଗୁଳ ଟାଉନ୍‌ ଥାନା ପୁଲିସ ତହସିଲ୍‌ଦାର ଶ୍ରୀ ସାହୁ, ରେଜିଷ୍ଟ୍ରି ଅଧିକାରୀ ଶ୍ରୀ ସାହୁ, ପୁଅ ପ୍ରଭାତ ରଞ୍ଜନ ମହାନ୍ତି ଓ ବୋହୂ ସ୍ନିଗ୍‌ଧା ପଟ୍ଟନାୟକଙ୍କ ନାଁରେ ମାମଲା ରୁଜୁ କରିଛି।

କିନ୍ତୁ, ଅଭିଯୋଗକୁ ମିଥ୍ୟା ବୋଲି ବଅଁରପାଳ ତହସିଲ୍‌ଦାର ଓ ରେଜିଷ୍ଟ୍ରି ଅଧିକାରୀ କହିଛନ୍ତି।