ପୁରୀରେ ଜମି କେଳେଙ୍କାରୀ, ମୃତକଙ୍କୁ ଜୀବିତ, ଜୀବିତଙ୍କୁ ମୃତ ଦର୍ଶାଇଲେ

ପୁରୀ: ଜମି ହାତେଇବା ଲାଗି ଚଞ୍ଚକତା। ବଞ୍ଚିଥିବା ଲୋକକୁ ମାରି ଦିଆଯାଉଛି ତ ମରି ଯାଇଥିବା ଲୋକକୁ ଜୀବିତ ଦର୍ଶାଯାଉଛି। ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ପୁରୀ ସଦର ବ୍ଲକ ବୀରହରେକୃଷ୍ଣପୁର ଅଞ୍ଚଳରେ। ଖୋଦ ରାଜସ୍ବ ନିରୀକ୍ଷକଙ୍କ ନାଁରେ ଆସିଛି ଏଭଳି ସଙ୍ଗିନ ଅଭିଯୋଗ। ମ୍ୟୁଟେସନ୍ ମାମଲାର ତଦନ୍ତ କରିବା ବେଳେ ରାଜସ୍ବ ନିରୀକ୍ଷକ ଚଞ୍ଚକତା କରି ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇଛନ୍ତି। ଏ ସଂପର୍କରେ ଖଣ୍ଡିଆବନ୍ଧର ବଟକୃଷ୍ଣ ପ୍ରଧାନ ସଦର ଥାନାରେ ଲିଖିତ ଅଭିଯୋଗ କରିବା ସହ ଏସ୍‌ପିଙ୍କୁ ବି ଏ ସଂପର୍କରେ ଲେଖି ଜଣାଇଛନ୍ତି।

ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଗୋପିନାଥପୁର ଖଣ୍ଡିଆବନ୍ଧ ଗ୍ରାମର ବଟକୃଷ୍ଣ ପ୍ରଧାନଙ୍କ ପରିବାରର ଅଂଶୀଦାରମାନେ ମ୍ୟୁଟେସନ୍ କେସ୍ ପାଇଁ ଆବେଦନ କରିଥିଲେ। ଏହି ଆବେଦନ ଆଧାରରେ କେସ୍ ନଂ-୨୬୩୧/୧୩ରେ ଏକ ମାମଲା ରୁଜୁ ପରେ ତତ୍କାଳୀନ ରାଜସ୍ବ ନିରୀକ୍ଷକ ଭୀମଚରଣ ପୂର୍ତି ଏହାର ସରଜମିନ୍ ତଦନ୍ତ କରି ହାରାମଣି ପ୍ରଧାନଙ୍କୁ ଜୀବିତ ବୋଲି ଦର୍ଶାଇଥିଲେ। କିନ୍ତୁ ହାରାମଣି ଏହାର ବର୍ଷକ ପୂର୍ବରୁ ୨୦୧୨ ନଭେମ୍ବର ୨୮ରେ ମରି ଯାଇଥିଲେ। ତଥାପି ରାଜସ୍ବ ନିରୀକ୍ଷକ ତାଙ୍କ ତଦନ୍ତ ରିପୋର୍ଟରେ ହାରାମଣିଙ୍କୁ ଜୀବିତ ଦର୍ଶାଇଥିଲେ। ସମାନ କେସ୍‌ରେ ରାଜସ୍ବ ନିରୀକ୍ଷକ ତାଙ୍କ ରିପୋର୍ଟରେ ସାଧୁ ପ୍ରଧାନଙ୍କ ସ୍ତ୍ରୀ ମାଳତୀ ପ୍ରଧାନଙ୍କୁ ମୃତ ଦର୍ଶାଇଥିବା ବେଳେ ମାଳତୀ ବର୍ତମାନ ଜୀବିତ ଅଛନ୍ତି। ସେହିଭଳି ମ୍ୟୁଟେସନ୍ କେସ୍ ନଂ-୩୬୭୩/୧୩ର ସରଜମିନ ତଦନ୍ତ କରି ରାଜସ୍ବ ନିରୀକ୍ଷକ ମାଧବ ପ୍ରଧାନଙ୍କ ସ୍ତ୍ରୀ ଶଶି ପ୍ରଧାନଙ୍କୁ ମୃତ ଓ ତାଙ୍କର କୌଣସି କନ୍ୟା ସନ୍ତାନ ନଥିବା ଦର୍ଶାଇଛନ୍ତି। କିନ୍ତୁ ଶଶି ଜୀବିତ ଥିବାବେଳେ ତାଙ୍କର ଏକ କନ୍ୟା ସନ୍ତାନ ବି ରହିଛି। କିନ୍ତୁ ଶଶି ପ୍ରଧାନଙ୍କୁ ଅନ୍ୟ ଏକ ମ୍ୟୁଟେସନ୍ କେସ୍‌ (ନଂ ୨୦୦/୧୫)ରେ ଜୀବିତ ଦର୍ଶାଯିବା ସହ ତାଙ୍କର କନ୍ୟା ଓ ପୁତ୍ର ସନ୍ତାନ ଅଛି ବୋଲି
ଦର୍ଶାଯାଇଛି। ମ୍ୟୁଟେସନ୍ କେସ୍ ନଂ-୧୧୧୧/୧୪ରେ ମାଧବ ପ୍ରଧାନ ନିଜ ନାମରେ ଜମି ରେକର୍ଡ଼ କରିବାକୁ ଆବେଦନ କରିଥିଲେ ବୋଲି ଦର୍ଶାଯାଇଛି। ଯେଉଁଥିରେ ମାଧବଙ୍କ ନାମରେ ଜମି ରେକର୍ଡ଼ଭୁକ୍ତ ବି ହୋଇଛି। କିନ୍ତୁ ମାଧବ ୨୦୦୩ ଅଗଷ୍ଟ ୮ରୁ ମରି ସାରିଛନ୍ତି। ସଦର ଥାନାରେ ହୋଇଥିବା ଅଭିଯୋଗ ମୁତାବକ, ସଂପୃକ୍ତ ରାଜସ୍ବ ନିରୀକ୍ଷକଙ୍କର ଏହା ମଧ୍ୟରେ ଅନ୍ୟତ୍ର ବଦଳି ହୋଇ ସାରିଲାଣି। ଅଭିଯୋଗକାରୀ ବଟକୃଷ୍ଣଙ୍କ କହିବା ମୁତାବକ, ସଂପୃକ୍ତ ରାଜସ୍ବ ନିରୀକ୍ଷକ ଏଠାରେ ଥିବା ସମୟରେ ୮୦ରୁ ଅଧିକ ମ୍ୟୁଟେସନ୍ କେସ୍‌ରେ ଏଭଳି ଚଞ୍ଚକତା କରିଛନ୍ତି। ତଥାପି ତାଙ୍କ ବିରୋଧରେ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏହାର ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ବଟକୃଷ୍ଣ ଦାବି କରିଛନ୍ତି। ଏ ସଂପର୍କରେ ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, ଯଦି ଏପରି କିଛି ଅସୁବିଧା ହୋଇଛି ତେବେ ଅପିଲ୍ କେସ୍ ପାଇଁ ଆବେଦନ କଲେ ଯାହା କିଛି କରି ହେବ। ନଚେତ୍ କିଛି ଉପାୟ ନାହିଁ। ଯେହେତୁ ଏହା ପୁରୁଣା କେସ୍, ଆବେଦନକାରୀମାନେ ଅପିଲ୍ କେସ୍ ଫାଇଲ୍ କଲା ପରେ ଆମେ କିଛି କାର୍ଯ୍ୟାନୁଷ୍ଠାନ ନେଇପାରିବୁ ବୋଲି ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର