ଗୋଚର ଜମି ହଡ଼ପ କରି ପ୍ଲଟିଂ, ରାଜସ୍ୱ ବିଭାଗ ଜାଣି ଚୁପ

ଖୋର୍ଦ୍ଧା: ପ୍ରାଶାସନିକ ଅଧିକାରୀଙ୍କ ଅପରାଗତା ହେଉ କିମ୍ବା ଜମି ମାଫିଆଙ୍କ ସହ ରାଜସ୍ୱ ବିଭାଗ କର୍ମଚାରୀଙ୍କୁ ସଲାସୁତରା, ଖୋର୍ଦ୍ଧା ଜିଲ୍ଲାର ଗୋଚର ଠାରୁ ଶ୍ମଶାନ ଜମିକୁ ବେଆଇନ କବ୍ଜା କରିବା ଏକ ନିୟମିତ ଘଟଣା ଘଟିଲାଣି । ଏନେଇ ଜନସାଧାରଣଙ୍କ ପକ୍ଷରୁ ଅନେକ ଥର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ବ୍ୟବସ୍ଥିତ ପଦକ୍ଷେପ ନିଆଯାଉନାହିଁ । ନିକଟରେ ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟରେ ଏହା ପୁଣିଥରେ ପ୍ରମାଣିତ ହୋଇଛି ।

ଜାଗୁଳାଇପଦର ମୌଜାର ଖାତା ନମ୍ବର ୧୫୦/୧୪୦ ପ୍ଲଟ ନମ୍ବର ୩୨୦ରେ ପୁରୀ ଓ ଭୁବନେଶ୍ୱରର କେତେକ ବ୍ୟକ୍ତି ଜମି କିଣି ଶ୍ରୀଜଗନ୍ନାଥ ବିହାର ନାମରେ ପ୍ଲଟିଂ କରିବା ଆରମ୍ଭ କରିଛନ୍ତି । କିନ୍ତୁ ସେହି ମୌଜାର ଓ ଗରସୁଆଁ ମୌଜାର ସରକାରୀ ଜମି ଖାତା ନମ୍ବର ୨୪୧ ପ୍ଲଟ ନମ୍ବର ୫୫୨ର ୧ ଏକର ୮୦ ଡେସିମଲ ଗୋଚର ଜମିକୁ ହଡ଼ପ କରି ସେମାନଙ୍କ ପ୍ଲଟିଂ ସହ ସଂଯୋଗ କରିବା ସହ ସେଠାରେ ସଡ଼କ ଆଦି ନିର୍ମାଣ କରିଛନ୍ତି। ଏନେଇ ସ୍ଥାନୀୟ ଗ୍ରାମବାସୀ ଜଟଣୀ ତହସିଲଦାର ଓ ରାଜସ୍ୱ ନିରୀକ୍ଷକଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା । ଏହାପରେ ସୂଚନା ଅଧିକାର କର୍ମୀ ବଟକୃଷ୍ଣ ପ୍ରଧାନ ଏଭଳି ଜମି ଜାଲିଆତି ସମ୍ପର୍କରେ ସୂଚନା ଅଧିକାର ଆଇନରେ ତଥ୍ୟ ସଂଗ୍ରହ କରିଥିଲେ । ତଥ୍ୟରେ ରାଜସ୍ୱ ବିଭାଗର ଜାଣତରେ ଏଭଳି ଗୋଚର ଜମିକୁ ଜମି ମାଫିଆ ହଡ଼ପ କରିଥିବା ସ୍ପଷ୍ଟ ହୋଇଛି । ଯଦିଓ ଗାଁର ଗୋଚର, ଶ୍ମଶାନ ଆଦି ଜମି ଏଭଳି ଦଖଲ କରିବା ଓପିଏଲ୍ଇ ଆଇ ୧୯୭୨ର ଖିଲାପ କରୁଛି, କିନ୍ତୁ ସ୍ଥାନୀୟ ରାଜସ୍ୱ ବିଭାଗ ଏହା ଜାଣି ଜମିକୁ ମୁକୁଳାଇବାକୁ କୌଣସି ଚେଷ୍ଟା କରିନାହିଁ ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ।

ଏନେଇ ଗ୍ରାମବାସୀ ଖୋର୍ଦ୍ଧା ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀଙ୍କୁ ଚଳିତ ମାସ ୧ ତାରିଖରେ ଲିଖିତ ଭାବେ ଜଣାଇଛନ୍ତି । ଯଦି ଗୋଚର ଜମିକୁ ଜମି ମାଫିଆଙ୍କ କବଳରୁ ମୁକ୍ତ କରାନଯାଏ ତେବେ ଆଗାମୀ ଦିନରେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧିତ ଖବର