ଖୋର୍ଦ୍ଧା : ଖୋର୍ଦ୍ଧା ଉପକଣ୍ଠ ସାରୁଅ ଗାଁ'ର କେତେକ ବାସିନ୍ଦା ରାଜ୍ୟର ପ୍ରତିଷ୍ଠିତ ଓଡ଼ିଆ ଟିଭି ଚାନେଲ ଓଟିଭି ମାଲିକଙ୍କ ବିରୋଧରେ ଜମି ହଡ଼ପ ନେଇ ଅଭିଯୋଗ କରିଛନ୍ତି। ଆଜି ପୂର୍ବାହ୍‌ଣରେ ସାରୁଅ ମୌଜାର ପ୍ରାୟ ୪୦ରୁ ୫୦ ବାସିନ୍ଦା ଜିଲ୍ଲାପାଳଙ୍କୁ ଭେଟି ବେଆଇନ ଜମି ଦଖଲ ନେଇ ଲିଖିତ ଭାବେ ଦେଇଥିବା ଅଭିଯୋଗ ଦେଇଥିଲେ। ଅଭିଯୋଗ ଅନୁସାରେ ସାରୁଅ, ଜୟମଙ୍ଗଳ ଗାଁ'ର ଲୋକଙ୍କୁ ଡରାଇ ଧମକାଇ ସମ୍ପୃକ୍ତ କମ୍ପାନିର ମାଲିକ ୨୦୧୪ରୁ ଜମି ଦଖଲ କରିଛନ୍ତି। ଚାରିପଟେ ପାଚେରି ନିର୍ମାଣ କରିଛନ୍ତି। ପୋଖରୀ, ବିଲବାଡ଼ିକୁ ରାସ୍ତା ବନ୍ଦ କରିଛନ୍ତି। ଏହାର ପ୍ରତିବାଦ କଲେ ମାମଲା ରୁଜୁ କରି ଗିରଫ କରୁଛନ୍ତି ଓ ଗୁଣ୍ତା ଲଗାଇ ଧମକଚମକ ଦେଉଛନ୍ତି। ଏଣୁ ସେମାନଙ୍କ ଜମି ଓ ଜୀବନର ସୁରକ୍ଷା ଯୋଗାଇଦେବାକୁ ସେମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।

Advertisment

ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ କହିଛନ୍ତି ଯେ ଏହି ଅଭିଯୋଗ ହସ୍ତଗତ ହୋଇଛି। ଲୋକଙ୍କ ଜମି ଜବର ଦଖଲ ହୋଇଛି କି ନାହିଁ ସେନେଇ ଅନୁସନ୍ଧାନ କରାଯାଇ ଓପିଏଲ୍ଇ ଓ ଓଏଲ୍ଆର୍ ଆଇନାନୁସାରେ ଉପଯୁକ୍ତ ପଦକ୍ଷେପ ନିଆଯିବ। ଯଦି କମ୍‌ ଦରରରେ ବିକାକିଣା ହୋଇଥିବ ତେବେ ତଦନ୍ତ କରାଯାଇ ଅଣ୍ତର ଭାଲ୍ୟୁଏସେନ୍ ମାମଲା ରୁଜୁ କରିବୁ। ଲୋକଙ୍କ ଧମକଚମକ ଦେବା ଘଟଣାରେ ସେ କହିଛନ୍ତି ଯେ ଏହା ପୁଲିସର କାମ ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଏହା ଉପରେ ପଦକ୍ଷେପ ନେବ।