ଯାଜପୁର: ଦେଶର ଇସ୍ପାତ ରାଜଧାନୀ କଳିଙ୍ଗନଗରରେ ୧୩ଟି ବୃହତ୍ ଇସ୍ପାତ କାରଖାନା ରହିଛି। ଯାଜପୁର ଜିଲ୍ଲାରେ ୫ଟି ବୃହତ୍ ସିମେଣ୍ଟ କାରଖାନା, ଶତାଧିକ ଷ୍ଟୋନ୍ କ୍ରସର, ରାଇସ୍ ମିଲ, ମଦ ଫ୍ୟାକ୍ଟ୍ରି ସମେତ ଶତାଧିକ କଳକାରଖାନା ରହିଛି। ଅନେକ ସଂସ୍ଥା ବିଭିନ୍ନ ଉପାୟରେ ଜମି ଅଧିଗ୍ରହଣ କରିବାରେ ଲାଗିଛନ୍ତି। କେବଳ ଇଡ୍କୋ ମାଧ୍ୟମରେ କଳିଙ୍ଗନଗର ଶିଳ୍ପାଞ୍ଚଳ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଏବେସୁଦ୍ଧା ୮୮ଟି ସଂସ୍ଥା ୧୦ହଜାର ୨୧୬ ଏକର ଜମି ହାତେଇଛନ୍ତି। ଏଥିରୁ ଅନେକ ସଂସ୍ଥା ଜମି ନେଇ ଶିଳ୍ପ ପ୍ରତିଷ୍ଠା କରିନାହାନ୍ତି। ବରଂ, ଅନ୍ୟ ଶିଳ୍ପପତିଙ୍କ ସହିତ କୋଟି କୋଟି ଟଙ୍କାର ଗୁପ୍ତ ଚୁକ୍ତିନାମା କରିବା ଆରମ୍ଭ କରିଛନ୍ତି। ଶିଳ୍ପାନୁଷ୍ଠାନକୁ ସହାୟତା କରିବାକୁ ଜିଲ୍ଲାରେ ଡିପା (ଡିଷ୍ଟ୍ରିକ୍ ଇନଭେଷ୍ଟମେଣ୍ଟ ପ୍ରମୋସନ ଏଜେନ୍ସି) କାମ କରୁଛି। ଶହଶହ ଶିଳ୍ପାନୁଷ୍ଠାନ ଗଢ଼ିଉଠିବା ସତ୍ତ୍ବେ ଜିଲ୍ଲାର ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ସେପରି ପରିବର୍ତ୍ତନ ପ୍ରତିଫଳିତ ହେଉନାହିଁ। ଜମି ପରି ଜଳକୁ ମଧ୍ୟ ବେଶ୍ କିଛି ଶିଳ୍ପାନୁଷ୍ଠାନ ଇଡ୍କୋ ଜରିଆରେ ନାମକୁ ମାତ୍ର ନେଉଥିବା ବେଳେ କାରଖାନା ପରିସରରେ ଏକାଧିକ ବୋରିଂ କରି ଭୂତଳ ଜଳ ଶୋଷି ଚାଲିଛନ୍ତି। ସରକାରୀ ତଥ୍ୟ ମୁତାବକ ଜିଲ୍ଲାରେ ମାତ୍ର ୪୮ଟି ସଂସ୍ଥା ଜଳ ବ୍ୟବହାର କରୁଛନ୍ତି। ଏପରିକି ପାଣି ବୋତଲ କରି ବିକ୍ରି କରୁଥିବା ସଂସ୍ଥା ମଧ୍ୟ ଜଳକର ଦେଉନାହାନ୍ତି। ଜିଲ୍ଲାରେ ଏବେ ଭୟଙ୍କର ପାନୀୟଜଳ ସଙ୍କଟ ଦେଖାଦେଲାଣି। ବ୍ୟବସାୟିକ ଫାଇଦା ପାଇଁ ବୋରିଂ ଖନନ ଯୋଗୁଁ ସାଧାରଣ ଲୋକଙ୍କ ପାଇଁ ପାନୀୟ ଜଳ ଚିନ୍ତାର କାରଣ ହୋଇଛି।
ଅପରପକ୍ଷରେ, କାରଖାନା ପାଇଁ ପ୍ରଦୂଷଣ ଓ ସୀମିତ ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧି, ମାତ୍ରାଧିକ ଟ୍ରାଫିକ୍ ସମସ୍ୟା, ଦରଦାମ ବୃଦ୍ଧି, ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସେବାରେ ଭାଗ ଯୋଗୁଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ନାହିଁ ନଥିବାର ପ୍ରତିଦ୍ବନ୍ଦ୍ବିତାର ସମ୍ମୁଖୀନ ହେଉଛନ୍ତି। ଶିଳ୍ପାନୁଷ୍ଠାନ ଓ ସ୍ଥାନୀୟ ଜନସାଧାରଣଙ୍କ ସମସ୍ୟା ଓ ବିକାଶକୁ ନେଇ ସେତୁ ଭଳି କାମ କରୁଥିବା ୨୦୦୬ ଆର୍ଆର୍ ପଲିସିକୁ ଖୋଲା ଉଲ୍ଲଂଘନ କରାଯାଉଛି। ବର୍ଷ ବର୍ଷ ଧରି ଆର୍ପିଡିଏସି ବୈଠକ କରାଯାଉନାହିଁ। ଏପରିକି ନୂତନ ଭାବେ ଦାୟିତ୍ବ ନେଇଥିବା କେନ୍ଦ୍ରାଞ୍ଚଳ ଆରଡିସି ରଞ୍ଜନ କୁମାର ଦାସ ଯାଜପୁର ଜିଲ୍ଲାପାଳ ଭାବେ ଦାୟିତ୍ବ ନେବାଦିନ ଅର୍ଥାତ୍ ୨୦୧୬ରେ ଶେଷଥର ପାଇଁ ଆରପିଡିଏସି ବୈଠକ ହୋଇଥିଲା। ଶ୍ରୀ ଦାସ ପ୍ରାୟ ୫ବର୍ଷ ଜିଲ୍ଲାପାଳ ରହିଥିଲେ ହେଁ ଆଉ ବୈଠକ ହୋଇନଥିଲା। ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସମୟରେ ମଧ୍ୟ ଥରେ ହେଲେ ଆରପିଡିଏସି ବୈଠକ ବସିପାରିଲା ନାହିଁ। ଆରଡିସିଙ୍କ ଅଧ୍ୟକ୍ଷତାରେ ଆରପିଡିଏସି ବୈଠକ ବସିବାର ବ୍ୟବସ୍ଥା ଥିବାବେଳେ ନୂତନ ଆର୍ଡିସି ଶ୍ରୀ ଦାସ କେବେ ବୈଠକ ଆହ୍ବାନ କରିବେ ତାକୁ ଅପେକ୍ଷା କରିଛନ୍ତି କଳିଙ୍ଗନଗର ଅଧିବାସୀ। ଏଠାରେ ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧୀନରେ ଥିବା ଜଗତସିଂହପୁର ଜିଲ୍ଲାର ଆରପିଡିଏସି ବୈଠକ ୨୦୨୩ ଅଗଷ୍ଟ ୨୪ରେ ବସିଥିଲା। ସେହିପରି ଅନୁଗୁଳ, ଝାରସୁଗୁଡ଼ା ଭଳି ଶିଳ୍ପ ଥିବା ଜିଲ୍ଲାଗୁଡ଼ିକରେ ଆରପିଡିଏସି ବୈଠକ ହେଉଥିବାବେଳେ ଯାଜପୁର ଜିଲ୍ଲାରେ ଏହି ବୈଠକକୁ ପ୍ରଶାସନର ଭୟ କାହିଁକି ବୋଲି ପ୍ରଶ୍ନ ଉଠୁଛି।