ମିଲର୍ସ ମନମାନି ଯୋଗୁଁ ପାଉଁଶରେ ପୋତି ହେଉଛି ଜମି

ବରଗଡ଼ ଜିଲ୍ଲାରେ ୧୨୭ ରାଇସ ମିଲ୍‌, ପ୍ରଦୂଷଣ ବୋର୍ଡ ଶାଖା କାର୍ଯ୍ୟାଳୟ ନାହିଁ କି ଅଧିକାରୀଙ୍କ ଦେଖା ନାହିଁ

ବରଗଡ଼ : ବରଗଡ଼ ଜିଲ୍ଲା ପାଇଁ ଆଗାମୀ ଦିନରେ ପ୍ରଦୂଷଣ ଏକ ବଡ଼ ସମସ୍ୟା ଭାବେ ଉଭା ହେବାକୁ ଯାଉଛି। ବରଗଡ଼ ସହର ଏବଂ ଅନ୍ୟ ବ୍ଲକ୍‌ ଗୁଡ଼ିକରେ ପ୍ରଦୂଷଣ ବଢ଼ି ଚାଲିଛି। ଜିଲ୍ଲାରେ ତ ଯାନବାହାନ ସଂଖ୍ୟା ବଢ଼ୁଛି। ଏହାବାଦ୍‌ ମିଲ୍‌ଗୁଡ଼ିକର ପ୍ରଦୂଷଣ ଉପରେ ରୋକ୍‌ ଲଗାଇବା ପାଇଁ ଏଯାବତ୍‌ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଶାଖା କାର୍ଯ୍ୟାଳୟ ଜିଲ୍ଲାରେ ଖୋଲି ପାରିଲା ନାହିଁ। ଜିଲ୍ଲାରେ ବର୍ତମାନ ୧୨୭ଟି ଧାନ ମିଲ୍‌ ରହିଛି। ଏହାବାଦ୍‌ ଏସିସି ସିମେଣ୍ଟ କାରଖାନା ଅଛି। ମଧ୍ୟମ ଏବଂ ଛୋଟ ଧରଣର କଳକାରଖାନା ମଧ୍ୟ ମାଡ଼ି ଗଲାଣି। କିନ୍ତୁ ପ୍ରଦୂଷଣ ରୋକିବା ଦିଗରେ କୌଣସି ବିହିତ ପଦକ୍ଷେପ ହୋଇନାହିଁ।

Odisha Watch

ସୂଚନା ମୁତାବକ ବରଗଡ଼ ବ୍ଲକ ପରିସୀମାରେ ସର୍ବାଧିକ ୫୫ଟି ରାଇସ୍‌ ମିଲ୍‌ ରହିଛି। ଏହା ପଛକୁ ଅତାବିରାରେ ୩୩ଟି ମିଲ୍‌ ରହିଛି। ଅମ୍ବାଭୋନା ଏବଂ ଝାରବନ୍ଧ ବ୍ଲକକୁ ବାଦ୍‌ ଦେଲେ ଅନ୍ୟ ସବୁ ବ୍ଲକରେ ରାଇସ୍‌ ମିଲ୍‌ ରହିଛି। କିନ୍ତୁ ମିଲ୍‌ ଗୁଡ଼ିକ ସୃଷ୍ଟି କରୁଥିବା ମାତ୍ରାଧିକ ପ୍ରଦୂଷଣ ଉପରେ କାହାରି ନିଘା ନାହିଁ। ଗୁଡ଼ାଏ ରାଇସ୍‌ ପ୍ରଦୂଷଣ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି। ମିଲ୍‌ରୁ ନିର୍ଗତ ହେଉଥିବା ପାଉଁଶକୁ ଏଣେତେଣେ ପକା ଯାଉଛି। ବର୍ତମାନ ବର୍ଷା ହେଲେ ପାଉଁଶ ପାଣିଧାରରେ ବିଲକୁ ମାଡ଼ି ଯାଉଛି। ଚାଷୀମାନେ ଏନେଇ ଆପତ୍ତି ଅଭିଯୋଗ କରିବା ଆରମ୍ଭ କଲେଣି। ସେହିପରି ଅଧିକାଂଶ ମିଲ୍‌ରେ  ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁ ଏବଂ ବିଷାକ୍ତ ପାଣିର ପ୍ରକ୍ରିୟାକରଣ ବ୍ୟବସ୍ଥା ନାହିଁ। ଫଳରେ ଏସବୁ ସିଧାସଳଖ ବିଭିନ୍ନ ବାଟ ଦେଇ ଜଳାଶୟରେ ମିଶୁଥିବା ମଧ୍ୟ ନଜିର ରହିଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀମାନେ କାଁଭାଁ ଜିଲ୍ଲାକୁ ଆସିଥାନ୍ତି। ଯାହାର ଫାଇଦା ନେଇ ମିଲ୍‌ ମାଲିକ ଆଇନକାନୁନକୁ ସହଜରେ ଚକମା ଦେଇ ଖସି ଯାଉଛନ୍ତି।

ମିଲ୍‌ରୁ ନିର୍ଗତ ଧୂଆଁ ଏବ˚ ବିଷାକ୍ତ ଗୁଣ୍ତ ଆଖପାଖ  ଜମିଗୁଡ଼ିକରେ ଖେଳାଇ ହୋଇ ପଡ଼ୁଛି। ପ୍ରତିଦିନ ଏହି ପ୍ରକ୍ରିୟା ଜାରି ରହିଛି। ଫଳରେ ଧାନ ଏବ˚ ଅନ୍ୟ ପନିପରିବା ଜମିରେ ଧଳା ଆସ୍ତରଣ ଜମି ରହୁଛି। ଫଳନ୍ତି ଧାନକେଣ୍ତା କିଛି ଦିନ ପରେ ଝାଉଁଳି ପଡ଼ୁଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ପନିପରିବା ଚାଷରେ ବି ସମାନ ସମସ୍ୟା। ଜିଲ୍ଲାରେ କ୍ୟାନସର୍‌ ଭୟାବହତାକୁ ଦୃଷ୍ଟିରେ ରଖି ଲୋକେ ଜୈବିକ ଭାବେ ଉତ୍ପାଦିତ ପନିପରିବା ଖାଇବାକୁ ପସନ୍ଦ କରୁଛନ୍ତି।  କିନ୍ତୁ ମିଲ୍‌ରୁ ଉଡ଼ୁଥିବା ପାଉଁଶ ଗୁଣ୍ଡ ଜମି ଗୁଡ଼ିକ ଉପରେ ଛାଇ ହୋଇଛି। ପନିପରିବା, ଗଛଲତାରେ ଧଳା ରଂଗର ଆସ୍ତରଣ ଜମି ଯାଉଛି। ପତ୍ରଗୁଡ଼ିକ ସବୁଜ ବଦଳରେ ଧଳା ଦେଖା ଦେଉଛି।  ସାମାନ୍ୟ ପବନ କିମ୍ବା ବର୍ଷା ହେଲେ ପାଉଁଶ ଜମି ଉପରେ ଖେଳି ଯାଉଛି। ଏନେଇ ପୂର୍ବରୁ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ମିଲ୍‌ ମାଲିକମାନେ ବିଭିନ୍ନ ଆଳ ଦେଖାଉଛନ୍ତି। ଜିଲ୍ଲା ମୁଖ୍ୟାଳୟରେ ବୋର୍ଡର ଶାଖା କାର୍ଯ୍ୟାଳୟ ଖୋଲିବା ଜରୁରୀ ବୋଲି ମତପ୍ରକାଶ ପାଉଛି।

ସମ୍ବନ୍ଧିତ ଖବର