କୋରାପୁଟ: ନିଜ ଦେଶରେ ଜୀବନ ପ୍ରତି ବିପଦ ସୃଷ୍ଟି ହେବାରୁ ୨୨୦ ପରିବାର ଚାଲି ଆସିଥିଲେ ଭାରତ। କୋରାପୁଟ ଜିଲ୍ଲା ସୁନାବେଡ଼ା ଅଞ୍ଚଳରେ କ୍ୟାମ୍ପ ପ୍ରତିଷ୍ଠା କରି ଭାରତ ସରକାର ସମସ୍ତ ପରିବାରକୁ ଶରଣ ଦେଲେ। ପରବର୍ତ୍ତୀ ସମୟରେ ଏହି ପରିବାର ସ୍ଥାନୀୟ ବାସିନ୍ଦାରେ ପରିଣତ ହୋଇଛନ୍ତି। କିନ୍ତୁ, ୬୦ବର୍ଷ ହେଲା ଏହି ପରିବାର ମୁଣ୍ଡ ଗୁଞ୍ଜିବାକୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ନିଜସ୍ବ ଜମି ନଥିବା କାରଣରୁ ଅଧିକାଂଶ ସରକାରୀ ଯୋଜନାରୁ ବି ବଞ୍ଚିତ ହୋଇଛନ୍ତି। ଶେଷରେ ଏହି ପରିବାରଙ୍କ ଦୀର୍ଘ ବର୍ଷର ଦାବି ପୂରଣ ହେବା ସହ ଦୁଃଖ ଦୂର ହେବାକୁ ଯାଉଛି। ସମସ୍ତ ଶରଣାର୍ଥୀ ପରିବାରକୁ ଜମି ଯୋଗାଇ ଦେବାକୁ ସରକାର ସ୍ଥିର କରିଛନ୍ତି। ଜମି ପ୍ରିମିୟମ୍ ବାବଦ ଖର୍ଚ୍ଚ ମଧ୍ୟ ସରକାର ବହନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ କ୍ୟାବିନେଟ୍ରେ ଏହି ପ୍ରସ୍ତାବ ଉପରେ ମୋହର ବାଜିଲେ ଆନୁଷ୍ଠାନିକ ଘୋଷଣା ହେବ। କୋରାପୁଟ ଜିଲ୍ଲା ପ୍ରଶାସନର ସୁପାରିସ ଆଧାରରେ ରାଜ୍ୟ ସରକାର ଏହି ପଦକ୍ଷେପ ନେବାକୁ ଯାଉଥିବା ଜଣାପଡ଼ିଛି।
ସ୍ଥାୟୀ ଭାବେ ଜମି ପଟ୍ଟା ଯୋଗାଇ ଦେବାକୁ ପୂର୍ବରୁ ଅନେକ ଥର ଏହି ପରିବାର ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିଥିଲେ। ଶେଷରେ ଏହି ନିବେଦନକୁ ବିଚାରକୁ ନିଆଯାଇଛି। ଯେଉଁ ଜମିରେ ବର୍ତ୍ତମାନ ସେମାନେ ରହୁଛନ୍ତି ତାହାର ଆନୁମାନିକ ମୂଲ୍ୟ ୮କୋଟି ଟଙ୍କା ହେବ। ସରକାର ଉକ୍ତ ଜମି ଯୋଗାଇ ଦେବାକୁ ନିଷ୍ପତ୍ତି ନେଇ ଜମିର ପ୍ରିମିୟମ୍ ମୂଲ୍ୟ ଭରଣା କରିବାକୁ ସ୍ଥିର କରିଛନ୍ତି। ସେହିପରି ଏହି ପରିବାର ଗୁଡ଼ିକ ବିଭିନ୍ନ ସମୟରେ ନେଇଥିବା ଋଣ ଏବଂ ସୁଧ ବାବଦରେ ୮ଲକ୍ଷ ୬୫ହଜାର ଟଙ୍କା ବକେୟା ରହିଛି। ଯାହାକୁ ସରକାର ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଜମି ପଟ୍ଟା ଯୋଗାଇ ଦେବା ପୂର୍ବରୁ ଚିହ୍ନଟ ହୋଇଥିବା ଜମିରେ ହୋଇଥିବା ଜବରଦଖଲକୁ ଉଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି। ଏଡିଏମ୍ ସୋମନାଥ ପ୍ରଧାନ କହିଛନ୍ତି, ଡିପି କ୍ୟାମ୍ପ ବାସିନ୍ଦା ବହୁବାର ବିଭିନ୍ନ ଦାବି ନେଇ ପ୍ରଶାସନ ନିକଟରେ ପହଞ୍ଚିଛନ୍ତି। ସେମାନଙ୍କ ଦାବିକୁ ବିଚାରକୁ ନିଆଯାଇଛି। ଜିଲ୍ଲାର ଅନ୍ୟ ସ୍ଥାନରୁ ଅନୁରୂପ ଅଭିଯୋଗ ଏପର୍ଯ୍ୟନ୍ତ ମିଳିନି। ଯଦି ଅନ୍ୟ ଅଞ୍ଚଳରେ ଏମିତି କିଛି ପରିବାର ବସବାସ କରୁଛନ୍ତି, ସେମାନଙ୍କ ଦାବିକୁ ମଧ୍ୟ ବିଚାରକୁ ନିଆଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/gdjgjdjggg-1.jpg)