ମା’ ଶାରଳା ମନ୍ଦିରର ୫ ଶହ ଏକର ଜମି ହଡ଼ପ!

ଏଜିଙ୍କୁ ସହଯୋଗ କଲେନି ତହସିଲଦାର, ବାହାର ଜିଲ୍ଲା ଏଡିଏମ୍‌ମାନଙ୍କୁ ଚିଠି

ଭୁବନେଶ୍ୱର : ଝଙ୍କଡ଼ ମା’ ଶାରଳାଙ୍କ ୫ଶହ ଏକର ସମ୍ପତ୍ତି ହଡ଼ପ ହୋଇଛି। ମନ୍ଦିର ଅଫିସ ଏହି ସମ୍ପତ୍ତି ପରିମାଣ ୧୧୭ ଏକର କହୁଥିଲେ ମଧ୍ୟ ଗୋଟିଏ ଏକରର କାଗଜପତ୍ର ପ୍ରମାଣ ନାହିଁ। ଅଡିଟ୍‌ କରିବା ବେଳେ ଏଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆଣିଛନ୍ତି ଆକାଉଣ୍ଟାଣ୍ଟ୍ ଜେନେରାଲ (ଏଜି)। ଜମିର ବିବରଣୀ ପାଇବାରେ ତିର୍ତ୍ତୋଲ ତହସିଲଦାର ସହଯୋଗ କରୁନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ, ଜମିଗୁଡ଼ିକର ସ୍ଥିତି ସମ୍ବନ୍ଧରେ ଜାଣିବା ପାଇଁ ପଡ଼ୋଶୀ ଜିଲ୍ଲାର ୫ଜଣ ଏଡିଏମ୍‌ଙ୍କୁ ଏଜି ଚିଠି ଲେଖିଥିବା ଜଣାପଡିଛି। ସରକାରଙ୍କ ସୁପାରିସ କ୍ରମେ ମା’ ଶାରଳା ମନ୍ଦିରର ଅଡିଟ୍‌ ଏଜି କରୁଛନ୍ତି। ଅଡିଟ୍‌ର ପ୍ରାଥମିକ ପର୍ଯ୍ୟାୟ‌ରେ ଏହି ଜମି ଲୁଟ୍‌ ସହ ଅନେକ ଅନିୟମିତତା ଉପରେ ଏଜି ଅଙ୍ଗୁଳି ଉଠାଇଛନ୍ତି।

ସୂଚନା ମୁତାବକ, ଦେବୋତ୍ତର ବିଭାଗ ଅଧୀନରେ ଥିବା ପ୍ରଥମେ ୬୧ ମଠ ମନ୍ଦିର ଓ ପରେ ୧୫୦ ମଠ ମନ୍ଦିର ସଂପର୍କରେ ଏଜି ଅଡିଟ୍‌ କରୁଛନ୍ତି। ମା’ ଶାରଳା ମନ୍ଦିରରୁ ଆରମ୍ଭ ହୋଇଥିବା ଅଡିଟ୍‌ରେ ଏଜି ଦର୍ଶାଇଛନ୍ତି ଯେ ଏଠାରେ ଜଣେ ସ୍ଥାୟୀ ନିର୍ବାହୀ ଅଧିକାରୀ(ଇଓ) ନାହାନ୍ତି। ଲ୍ୟାଣ୍ଡ ଅଫିସର ହିଁ ଇଓ ଭାବରେ ଦାୟିତ୍ୱ ନେଇଛନ୍ତି। ଏହି ମନ୍ଦିର ସହ ସେ ଗୋରଖନାଥ ମନ୍ଦିରର ଦାୟିତ୍ୱ ମଧ୍ୟ ନେଇଛନ୍ତି। ଏଣୁ ସପ୍ତାହରେ ସେ ଗୋଟିଏ ଦିନ ଆସନ୍ତି। ତାଙ୍କର ଏହି ଶାରଳା ମନ୍ଦିର ବାବଦରେ କୌଣସି ପ୍ରକାରର ଆଗ୍ରହ ନାହିଁ।

ମନ୍ଦିର ପରିଚାଳନାରେ ୩୦ ଜଣ କର୍ମଚାରୀ ଅଛନ୍ତି ଯେଉଁମାନେ ଏହି କାମ ପାଇଁ ଯୋଗ୍ୟ ନୁହନ୍ତି। କେବଳ ଓଡ଼ିଆ ଛଡ଼ା ଅନ୍ୟ ଭାଷା ଏମାନେ ଜାଣନ୍ତି ନାହିଁ। କମ୍ପ୍ୟୁଟର ଚଳାଇବା ଦୂରର କଥା ଏମାନେ କାଲ୍‌କୁଲେଟର ମଧ୍ୟ ଚଳାଇପାରନ୍ତି ନାହିଁ। ଆର୍ଥିକ କାରବାରରେ ବ୍ୟବହୃତ ଭାଉଚର ହାତଲେଖା ବ୍ୟବହାର ହୋଇଛି ଯାହାର କୌଣସି ପ୍ରମାଣ ନାହିଁ। ‘ରାଉଳ’ଙ୍କ ସହ ମିଶି ମନ୍ଦିର କର୍ମଚାରୀ ଦୁର୍ନିୀତି କରିଛନ୍ତି।

ଦୈନନ୍ଦିନ ନୀତିରେ ପ୍ରତିବର୍ଷ ମନ୍ଦିର ପ୍ରଶାସନ ୮୦ରୁ ୮୫ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛି। କିନ୍ତୁ ଯେଉଁ ଖର୍ଚ୍ଚ ସବୁ ଦର୍ଶାଯାଇଛି ତାହା ଅନାବଶ୍ୟକ ଓ ଅତିରଞ୍ଜିତ ହୋଇଛି। ୨୦୧୩-୧୪ ଆର୍ଥିକ ବର୍ଷର ଖର୍ଚ୍ଚ ତୁଳନାରେ ବିଗତ ବର୍ଷମାନଙ୍କରେ ଖର୍ଚ୍ଚ ପରିମାଣ ହଠାତ୍‌ ୨ଶହ ପ୍ରତିଶତ ବଢ଼ି ଯାଇଛି, ଯାହା ଉପରେ ସନ୍ଦେହ ହେଉଛି। ମନ୍ଦିରକୁ ଆସୁଥିବା ଦାନ ଓ ହୁଣ୍ଡିର ୨୫ ପ୍ରତିଶତ ସେବକ ଓ ପୂଜକ ନେଇଯାଆନ୍ତି ଯଦିଓ କୌଣସି ଆଇନ୍‌ରେ ଏଭଳି ବ୍ୟବସ୍ଥା ନାହିଁ। ଏଣୁ ଏହା ବେଆଇନ ବୋଲି ଏଜି ଦର୍ଶାଇଛନ୍ତି। ବର୍ଷ ବର୍ଷ ଧରି ଏଭଳି ଚାଲିଛି ଓ ଏହାର ପରିମାଣ ‘କୋଟି’ରେ ହେବ ବୋଲି ଏଜି ଆଶଙ୍କା ପ୍ରକାଶ କରିଛନ୍ତି।

ସେବା ପୂଜା ବାବଦରେ ପରିଚାଳନା କର୍ତ୍ତୃପକ୍ଷ କିଛି ଜାଣନ୍ତି ନାହିଁ, କେତେ ଜମି କିଏ ଭୋଗ କରୁଛି? କିଏ କେତେକ ଦଖଲ କରିଛି? ଏ ବାବଦରେ ମଧ୍ୟ ତଥ୍ୟ ଉପଲବ୍ଧ ନାହିଁ। ସେବକଙ୍କ ଉପ‌ରେ କର୍ତ୍ତୃପକ୍ଷଙ୍କର କୌଣସି ନିୟନ୍ତ୍ରଣ ନାହିଁ। ଯିଏ ପୂଜା ପାଳିରେ ଥାଏ ସେ ଗାଡ଼ି ପୂଜା, ମୁଣ୍ଡନ, ଚଣ୍ତୀପାଠ, ଯାଚନା ବାବଦରେ ଆସୁଥିବା ଅର୍ଥ ବଳପୂର୍ବକ ନେଇ ଯାଏ। ଟଙ୍କାଟିଏ ମନ୍ଦିର ପାଏ ନାହିଁ।

ସମ୍ବନ୍ଧିତ ଖବର