ବାରିପଦାରେ ମାତିଛନ୍ତି ଜମି ମାଫିଆ; ଜରାଳି-ସରାଳୀ-ଶୁକଜୋଡ଼ା ନଦୀକୁ ବି ଛାଡ଼ିଲେନି

ଭାଙ୍ଗିଦେଲେ କୋଟି କୋଟି ଟଙ୍କା ବ୍ୟ‌ୟରେ ନିର୍ମିତ ପଥର ପ୍ୟାକିଂ, ଚାଲିଛି ବେଆଇନ ନିର୍ମାଣ, ପ୍ଲଟିଂ କରି ଜମି ବିକ୍ରିର ମସୁଧା

ବାରିପଦା: ବାରିପଦାରେ ପୌରପରିଷଦରେ ମାତିଛନ୍ତି ଜମି ମାଫିଆ। ଏମାନଙ୍କର ଉତ୍ପାତ କ୍ରମଶଃ ବୃଦ୍ଧିପାଇବାରେ ଲାଗିଛି। ଏପରିକି ସହରବାସୀଙ୍କ ସୁରକ୍ଷା ପ୍ରତି ମଧ୍ୟ ଏହି ମାଫିଆମାନେ ଆଖି ବୁଜି ଦେଇଛନ୍ତି। ପ୍ରାକୃତିକ ଜଳ ଉତ୍ସକୁ ମଧ୍ୟ ଛାଡ଼ୁନାହାନ୍ତି ଏମାନେ। ବାରିପଦା ପୌରପରିଷଦରେ ପ୍ରବାହିତ ଜରାଳି-ସରାଳୀ-ଶୁକଜୋଡ଼ା ନଦୀକୁ ମଧ୍ୟ କବ୍‌ଜା କରିନେଲେଣି ଏହି ମାଫିଆ। କୋଟି କୋଟି ଟଙ୍କା ବ୍ୟୟରେ ଜନବସତିକୁ ସୁରକ୍ଷା ଦେବା ନିମ‌ନ୍ତେ ନିର୍ମିତ ପଥର ପ୍ୟାକିଂକୁ ଭାଙ୍ଗି କରୁଛନ୍ତି ବେଆଇନ ନିର୍ମାଣ କାର୍ଯ୍ୟ।

ଏନେଇ ସାଧାରଣରେ ଦେଖାଦେଇଛି ତୀବ୍ର ଅସନ୍ତୋଷ। ତେଣୁ ମଧୁବନ ଉନ୍ନୟନ ପରିଷଦ ଏବଂ ସିନିୟର୍‌ ସିଟିଜେନ୍‌ ଫୋରମ୍‌, ବାରିପଦା ମୟୂରଭଞ୍ଜ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି। କାହିଁ କେଉଁ କାଳରୁ ପ୍ରବାହିତ ଜରାଳୀ-ସରାଳୀ ନଦୀ ଶଯ୍ୟାରେ ବେଆଇନ ନିର୍ମାଣ କାର୍ଯ୍ୟ ଫଳରେ ବାରିପଦାର ସହର ପ୍ରତି ବିପଦର ଆଶଙ୍କା ରହିଛି। ଏହି ନଦୀ ଦେଇ ନିର୍ଗତ ହେଉଥିବା ବନ୍ୟାଜଳ ବେଆଇନ ନିର୍ମାଣ ଫଳରେ ବାଧାପ୍ରାପ୍ତ ହେବ। ଯାହା ଫଳରେ ବାରିପଦା ସହରର ଏକାଧିକ ୱାର୍ଡ ବନ୍ୟାଜଳ ଦ୍ବାରା ପ୍ରଭାବିତ ହେବ।

ସେହିପରି ଏପରି ବେଆଇନ ନିର୍ମାଣ ଫଳରେ ଐତିହାସିକ ନଦୀର ସତ୍ତା ହଜିଯିବାକୁ ବସିଛି। ଯାହାକି ସଂସ୍କୃତିସମ୍ପନ୍ନ ବାରିପଦା ସହରପ୍ରତି ଏକ ଉପହାସ ବୋଲି ଫୋରମ୍‌ର ସଭାପତି ଡ. ଯୋଗେନ୍ଦ୍ର ନାଥ ପଣ୍ଡା ଅଭିଯୋଗ କରିଛନ୍ତି। ପୂର୍ବରୁ ଏହି ବେଆଇନ ନିର୍ମାଣ କାର୍ଯ୍ୟକୁ ଶତାଧିକ ମହିଳା ଓ ବରିଷ୍ଠ ନାଗରିକମାନେ ଯାଇ ଏହାକୁ ବିରୋଧ କରିଥିଲେ। ମାତ୍ର କୌଣସି ସୁଫଳ ମିଳିପାରିନାହିଁ। ତେଣୁ ପ୍ରଶାସନ ଏହି ବେଆଇନ କାମକୁ ତୁରନ୍ତ ବନ୍ଦ କରିବାକୁ ଶ୍ରୀ ପଣ୍ଡା ଦାବି କରିଛନ୍ତି।

ଉ‌ଲ୍ଲେଖଯୋଗ୍ୟଯେ ୨୦୧୪-୧୫ ଆର୍ଥିକ ବର୍ଷରେ କବର ଖାନା ପାଖରୁ ବାରୁଣୀ ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ଅର୍ଥ ବ୍ୟୟରେ ନିର୍ମାଣ ହୋଇଥିଲା ପଥର ପ୍ୟାକିଂ। ନଦୀର ଉଭୟ ପାର୍ଶ୍ବକୁ କୁ ଭାଙ୍ଗି ହୋଇଛି ବେଆଇନ ନିର୍ମାଣ । ରାଜ୍ୟ ସରକାରଙ୍କ ଅର୍ଥରେ ନିର୍ମିତ ଏହି ପଥର ପ୍ୟାକିଂ ନଦୀର ଉଭୟ ପାର୍ଶ୍ବରେ ଥିବା ଜନବସତିକୁ ସୁରକ୍ଷା ଦେବା ନିମ‌ନ୍ତେ ଉଦ୍ଦିଷ୍ଟ ଥିଲା। ମାତ୍ର ସରକାରୀ ଭାବେ ନିର୍ମିତ ଏହି ପଥର ପ୍ୟାକିଂକୁ ମଧ୍ୟ ଜମି ମାଫିଆ ଛାଡ଼ିନାହାନ୍ତି। ଯାହାକି ସେମାନଙ୍କର ସରକାରୀ ବାବୁମାନଙ୍କ ସହିତ ଥିବା ଭିତିର ସମ୍ପର୍କର ଫଳ।

ଏନେଇ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିବା ସହିତ ଜମି ମାଫିଆଙ୍କ ଏପରି କାର୍ଯ୍ୟକୁ ତୀବ୍ର ସମାଲୋଚନା କରିଛନ୍ତି ମଧୁବନ ଉନ୍ନୟନ ପରିଷଦ ସମ୍ପାଦକ ବିକ୍ରମ କେଶରୀ ଜେନା। ତାଙ୍କ କହିବା ଅନୁଯାୟୀ ୱାର୍ଡ ନଂ-୯ରେ ବନ୍ୟା ଜଳ ନିଷ୍କାସନ ସବୁ‌ବେଳେ ମୁଖ୍ୟ ସମସ୍ୟା ହୋଇ ରହିଆସିଛି। ମାତ୍ର ଜରାଳୀ-ସରାଳୀ-ଶୁକଯୋଡ଼ା ନଦୀ ଭିତରେ ବେଆଇନ ନିର୍ମାଣ ଫଳରେ ୱାର୍ଡବାସୀ ଭୟଭୀତ ହୋଇପଡ଼ିଛନ୍ତି। ବନ୍ୟା‌ ହେଲେ ଏହି ନଦୀ ଦେଇ ଆଉ ପାଣି ନିଷ୍କାସନ ହୋଇପାରିବ ନାହିଁ । ଫଳରେ ସହର ମଧ୍ୟକୁ ସହଜରେ ପାଣି ପଶିବ।

ସେହିପରି ସରକାରୀ ଅର୍ଥରେ ନିର୍ମିତ ପଥର ପ୍ୟାକିଂକୁ ଭାଙ୍ଗିବା ମଧ୍ୟ ବେଆଇନ। ତେଣୁ ଏପରି କାର୍ଯ୍ୟ କରିଥିବା ଜମି ମାଫିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଶ୍ରୀ ଜେନା। ଏହି ବେଆଇନ ନିର୍ମାଣ ଫଳରେ ଉକ୍ତ ସ୍ଥାନରେ ଥିବା ଐତିହାସିକ କଥାବସ୍ତୁ ମଧ୍ୟ ବିପଦରେ ରହିଛି। ତେଣୁ ସରକାରୀ ବାବୁଙ୍କ ସହିତ ମଧୁଚନ୍ଦ୍ରିକା କାରଣରୁ ନିୟମକାନୁନକୁ ମୋଡ଼ି ମକଚି ମନମୁଖୀ କାମ କରୁଥିବା ମାଫିଆଙ୍କୁ ସାବାଡ଼୍‌ କରିବାକୁ ପ୍ରଶାସନ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ ବୋଲି ଶ୍ରୀ ଜେନା ଦାବି କରିଛନ୍ତି।

 

ସମ୍ବନ୍ଧିତ ଖବର