ରାଉରକେଲା: ରାଉରକେଲା ପାଲଟିଛି ଜମି ମାଫିଆଙ୍କ ଚରାଭୁଇଁ। ପ୍ରଥମେ ଖୋଲା ଅଞ୍ଚଳକୁ ଜବରଦଖଲ କରୁଛନ୍ତି। ପରେ ସେଠାରେ ଘର ତିଆରି ଆସ୍ଥାନ ଜମାଉଛନ୍ତି। ତହସିଲ ବିଭାଗ କର୍ମଚାରୀ ଓ ଅଧିକାରୀଙ୍କ ସଲାସୁତୁରାରେ ସବୁ ଅନୈତିକ କାର୍ଯ୍ୟ ଚାଲିଛି। ସଂପ୍ରତି ଏଭଳି ଏକ ସରକାରୀ ଜମି ଜବରଦଖଲ ଓ ତାକୁ ନିଜ ନାଁରେ ପଟ୍ଟା କରିବା ଭଳି ଦୃଶ୍ୟ ସାମ୍ନାକୁ ଆସିଛି। ରାଜସ୍ବ ବିଭାଗର ଜଣେ ପୂର୍ବତନ କର୍ମଚାରୀଙ୍କ ଏଭଳି ଜମି ହଡ଼ପ ସବୁ ସୀମା ସରହଦ ପାର କରିଦେଇଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ଯେଉଁ ସରକାରୀ ଜମିକୁ ନିଜ ନାଁରେ ପଟ୍ଟା କରାଯାଇଛି, ସେଠାରେ ପାନପୋ‌ଷ ଉପଖଣ୍ଡ ହସପିଟାଲ, ମର୍ଗ ହାଉସ୍‌ ରହିଛି। ଅତଏବ, ଏହି ମର୍ଗ ହାଉସ୍‌, ହସପିଟାଲର ମାଲିକ ପାଲଟିଯାଇଛନ୍ତି ଏହି ପୂର୍ବତନ ରାଜସ୍ବ କର୍ମଚାରୀ।

Advertisment

ରାଉରକେଲା ତହସିଲ ୟୁନିଟ ନଂ ୪୦, ଖତିୟାନ କ୍ରମିକ ନଂ ୩୦୭ ଅଧୀନରେ ଥିବା ମୋଟ ୨୨ ଏକର ୯୯ ଡେସିମିଲ ସରକାରୀ ଜମି ରହିଛି। ଏଥିରୁ ୨ ଏକର ୭.୯ ଡିସିମିଲ ଜାଗାକୁ ଦାଣ୍ଡିଆପଲ୍ଲୀ ଅଞ୍ଚଳରେ ରହୁଥିବା ତଥା ରାଜସ୍ବ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ନିଜ ନାଁରେ ପଟ୍ଟା କରିଦେଇଛନ୍ତି। ଏହି ଜମିର ଆନୁମାନିକ ମୂଲ୍ୟ ପ୍ରାୟ ୨୦ କୋଟି ହେବ। ଏହି ଜମିରେ ପାନପୋଷ ଉପଖଣ୍ଡ ଚିକିତ୍ସାଳୟ, ଶବ ବ୍ୟବଚ୍ଛେଦ ଗୃହ ଏବଂ ଏହାର ଚତୁର୍ପାଶ୍ୱରେ ଥିବା ଅଞ୍ଚଳ ରହିଛି। ଶବ ବ୍ୟବଚ୍ଛେଦ ଗୃହ ବି ଜବରଖଲକାରୀ ଙ୍କ ଲୋଲୁପ ଦୃଷ୍ଟିରୁ ବାଦ୍‌ ପଡ଼ିନାହିଁ। ଏହାକୁ ମଧ୍ୟ ନିଜ ନାଁ ରେ ପଟ୍ଟା କରାଇନେବାରେ ସକ୍ଷମ ହୋଇଛନ୍ତି ଏହି ବ୍ୟକ୍ତି।

publive-image

ପ୍ରକୃତରେ ଏହି ଜମିକୁ ନିଜ ନାଁକୁ ନେବାକୁ ଏହି ପୂର୍ବତନ କର୍ମଚାରୀ ଜଣକ ୨୦୧୪ ମସିହାରୁ ପ୍ରୟାସ କରିଆସୁଥିଲେ। ତେବେ ଏହା ସମ୍ଭବ ହୋଇପାରୁନଥିଲା। ମାତ୍ର ୨୦୨୦ ମସିହାରେ ତତ୍କାଳୀନ ତହସିଲଦାରଙ୍କ ସମୟରେ ରେଭେନ୍ୟୁ କେସ୍‌ ନଂ-୩୩/୨୦୧୪ ଓ ମ୍ୟୁଟେସନ୍‌ କେସ୍‌ ନଂ ୫୫୧/୨୦୨୦ ବଳରେ ନିଜ ନାଁରେ ପଟ୍ଟା କରିଦେଇଛନ୍ତି। ଏଭଳି ଅନୈତିକ କାର୍ଯ୍ୟକଳାପ ନେଇ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଥିଲା। ଏଣୁ ତତ୍କାଳୀନ ତହସିଲଦାର ଏହାକୁ ଗତ ଡିସେମ୍ବର ୧୮ରେ ପଟ୍ଟା ଖାରଜ କରିବାକୁ ନିର୍ଦ୍ଦେଶ(୩୬/୨୦୨୦) ଦେଇଛନ୍ତି। ଏହି ନିର୍ଦ୍ଦେଶ ପରେ ତତ୍କାଳୀନ ତହସିଲଦାର ଆଏଏସ୍‌ ଟ୍ରେନିଂ ପାଇଁ ଚାଲିଯାଇଛନ୍ତି। ତେବେ ଏହି ଜମି ବର୍ତ୍ତମାନ ସରକାରୀ ଖତିୟାନକୁ ଫେରିବ ନା ନାହିଁ ସେନେଇ ନା ନା ପ୍ରଶ୍ନ ସୃଷ୍ଟି ହେଲାଣି। ଭାରପ୍ରାପ୍ତ ରାଉରକେଲା ତହସିଲଦାର ଅଭିଜିତ ମହାନ୍ତଙ୍କୁ ପଚାରିବାରୁ କହିଲେ, ଏହି ଜବରଦଖଲ ବିଷୟରେ ଆମେ ଅବଗତ ଅଛୁ। ପୂର୍ବ ତହସିଲଦାର ଯେଉଁ ନିର୍ଦ୍ଦେଶ ବଳରେ ପଟ୍ଟା ଦେଇଥିଲେ, ତାକୁ ଆଉ ଏକ ନିର୍ଦ୍ଦେଶ ବଳରେ ଖାରଜ କରିଦେଇଛନ୍ତି। ଯେଉଁ ପଟ୍ଟା ବାଜରିଛି, ତାକୁ ସରକାରୀ ଖାତାକୁ ଫେରାଇ ଅଣାଯିବ। ଏହି ମାମଲା ଉପଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନ କରାଯିବବୋଲି କହିଛନ୍ତି।