ଜୟପୁର: ଜୟପୁର ବିମାନବନ୍ଦରର ରନୱେ ସଂପ୍ରତି ୧୨୦୦ମିଟର ରହିଛି। ରନୱେର ସଂପ୍ରସାରଣ ସହ ଏହାର ପରିଧି ବୃଦ୍ଧି ହେଲେ ଡିଜିସିଏ ୩-ସି ଅନୁମତି ଦେବେ। ଏହାକୁ ଦୃଷ୍ଟିରେ ରଖି ବାଙ୍କବିଜା, ଏକମ୍ବା ଆଡକୁ ଜମି ମାପ ଚୁପ ସର୍ଭେ ଶେଷ ପର୍ଯ୍ୟାୟରେ ପହଚିଂଛି। ଗୁରୁବାର ଏହାର ନିରୀକ୍ଷଣ ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ା, ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ କ୍ଷୀରଧର କନ୍ଧପାଣି କରିଥିଲେ। ତହସିଲଦାର ସୁଶ୍ରୀ ସାଗରିକା ଷଡଙ୍ଗୀ, ପୂର୍ତ୍ତବିଭାଗର ଏସଡିଓ ସୋମନାଥ ତ୍ରିପାଠୀ , କନିଷ୍ଠ ଯନ୍ତ୍ରୀ, ରାଜସ୍ବ ନିରୀକ୍ଷକ ଆଦି ଉପସ୍ଥିତ ରହିବା ସହ ମ୍ୟାପକୁ ଅନୁଧ୍ୟାନ କରିଥିଲେ।
ସୂଚନା ଅନୁଯାୟୀ, ପୂର୍ବରୁ ଜୟପୁର ବିମାନବନ୍ଦରର ରନୱେ ୧୨୦୦ମିଟର ରହିଛି। ଏଥିରୁ ୯୦୦ମିଟର ରନୱେରେ ବିମାନ ଉଡୁଛି। ବଳକା ୩୦୦ମିଟର ସେଭଳି ରହିଛି। ଏହା ବାଦେ ମଧ୍ୟ ଏହାକୁ ଆହୁରି ୧୫୦୦ମିଟର ଅଧିକା ରନୱେ ବୃଦ୍ଧି କରିବାକୁ ଯୋଜନା ରହିଛି। ଏହା ବୃଦ୍ଧି ହେବା ଦ୍ବାରା ରନୱେ ୨୭୦୦ମିଟର ହେବ। ତେବେ ଓସାର ୩୦୦ମିଟର ହେବ ନା ନାହିଁ ତାହା ବିଚାରାଧୀନ ରହିଛି। ଜମି ଅଧିଗ୍ରହଣ ବାଙ୍କବିଜା, ଏକମ୍ବା ଆଡକୁ କରାଯିବାର ସମ୍ଭାବନା ରହିଥିବା ଅଲୋଚନା କରାଯାଇଥିଲା। ରନୱେ ଲମ୍ବ ବୃଦ୍ଧି ପାଇଲେ ଏଠାକୁ ବଡ଼ ବିମାନ ଆସିବାର ସମ୍ଭାବନା ରହିଛି। ଜମି ଅଧିଗ୍ରହଣ କେତେ ହେବ, କେତେ ଟଙ୍କା ଏଥି ପାଇଁ ଖର୍ଚ୍ଚ ହେବ ଆଦିର ଆକଳନ କରାଯାଇଥିଲା। ଆଉ ଅଳ୍ପ ଦିନ ପରେ ସର୍ଭେ ସରିବା ପରେ ହିଁ କେତେ ଜମି ଅଧିଗ୍ରହଣ ହେବ ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ତହସିଲଦାର।