ନକ୍ସଲ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଚାଲିଗଲା ନାବାଳକର ଜୀବନ

ମୃତ୍ୟୁମୁଖରୁ ବର୍ତ୍ତି‌ଲେ ପଡୋଶୀ ପରିବାର

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଥମୁନି ନକ୍ସଲଙ୍କ ଆତଙ୍କ। କେତେବେଳେ ମୋବାଇଲ ଟାୱାର ତ ଅନ୍ୟ କେତେବେଳେ ପଞ୍ଚାୟତ କୋଠାକୁ ବିସ୍ଫୋରଣ ଉଡାଇ ନିଜର ଉପସ୍ଥିତି ଜାହିର କରୁଛନ୍ତି। ଗତକାଲି ସଂଧ୍ୟାରେ ଜଙ୍ଗଲରେ ବିଛାଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ନିରୀହ ଶିଶୁର ଜୀବନ ଯାଇଛି। ନିକଟସ୍ଥ ଜଙ୍ଗଲକୁ ପରିବାର ସହ ପତ୍ର ତୋଳିବାକୁ ଯାଇଥିବାବେଳେ ଏହି ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରେ ୧୪ ବର୍ଷ ନାବାଳକର ମୃତ୍ୟୁ ହୋଇଥିଲା। ପଡୋଶୀ ପରିବାର ଅନ୍ୟ ସଦସ୍ୟ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ସ୍ଥାନୀୟ ପୁଲିସ ନାବାଳକର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଜଙ୍ଗଲରେ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରିଛି। ମିଳିଥିବା ସୂଚନା ମୁତାବକ ପଶ୍ଚିମ ସିଂହଭୂମ ଜିଲ୍ଲା ‌ଟଣ୍ଟୋ ଥାନା ଅନ୍ତର୍ଗତ ଜଙ୍ଗଲକୁ କେରି କୋଡା ପୁତର ନାରା କୋଡା ପଡୋଶୀ ପରିବାର ସଦସ୍ୟଙ୍କ ସହ ଶାଳପତ୍ର ତୋଳିବାକୁ ଯାଇଥିଲେ।

ପତ୍ର ତୋଳି ଘରକୁ ଫେରୁଥିଲେ। ମାଟି ରାସ୍ତାରେ ନକ୍ସଲସଙ୍ଗଠନ ପକ୍ଷରୁ ବିଛାଯାଇଥିବା ଲ୍ୟାଣ୍ଡମାଇନ୍‌ ଉପରେ ନାରାର ଗୋଡ ପଡିଯାଇଥିଲା। ହଠାତ୍‌ ବିସ୍ଫୋରଣ ହେବାରୁ ‌ନାରାର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଗତକାଲି ରାତିରେ ନାରାର ଶବକୁ ଉଦ୍ଧାର କରାଯାଇ ପାରି ନଥିଲା। ଆଜି ସକାଳେ ସିଆର୍‌ପିଏଫ୍‌ ଓ ସ୍ଥାନୀୟ ପୁଲିସ ସହାୟତାରେ ନାରାର ଶବକୁ ଉଦ୍ଧାର କରାଯାଇଥିଲା। ଉଲ୍ଲେଖଯୋଗ୍ୟ, ଗତ ଦୁଇଦିନ ତଳେ ନକ୍ସଲମାନେ ଗୋଏଲକେରା ଥାନା ଅନ୍ତର୍ଗତ କୋଲ୍ଳାଣ ସଂରକ୍ଷିତ ଜଙ୍ଗଲରେ ଥିବା ମୋବାଇଲ ଟାୱାରକୁ ବିସ୍ଫୋରଣରେ ଉଡାଇ ଦେଇଥିଲେ। ସୀମାନ୍ତରେ ନିଜର ଉପସ୍ଥିତି ଜାହିର କରିବାକୁ ଗତକାଲି ବିଳମ୍ବିତ ରାତିରେ ନକ୍ସଲମାନେ ସଂଘବଦ୍ଧ ଭାବେ ମାରଣାସ୍ତ୍ର ଧରି ଟାୱାର ନିକଟରେ ପହଞ୍ଚିଥିଲେ। ପାଟୁଙ୍ଗ ସ୍କୁଲ ନିକଟରେ ଥିବା ମୋବାଇଲ ଟାୱାରକୁ ବିସ୍ଫୋରଣ ଉଡାଇ ଦେଇଥିଲେ। ବିସ୍ଫୋରଣରେ ଡିଜି ସେଟ୍‌ ସହ ଅନ୍ୟ ଉପକରଣ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ସ୍ଥାନୀୟଙ୍କ ଲୋକଙ୍କ ନେଟୱାର୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଗତ ୫/୬ ମାସ ପୂର୍ବରୁ ‌ମୋବାଇଲ ଟାୱାର ସ୍ଥାପନ କରାଯାଇଥିଲା।

ସମ୍ବନ୍ଧିତ ଖବର