ମୁଣ୍ଡ ଟେକିଲା ଜମି ଆନ୍ଦୋଳନ: ଅଣଆଦିବାସୀଙ୍କ ଜମିରେ ଚାଷ କଲେ ଆଦିବାସୀ

ନାରାୟଣପାଟଣା : କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ସକ୍ରିୟ ହେଲେ ଆଦିବାସୀ। ବହୁବର୍ଷର ବ୍ୟବଧାନ ପରେ ପୁଣି ମୁଣ୍ଡ ଟେକିଲା ଜମି ଆନ୍ଦୋଳନ। ଗୁରୁବାର ସକାଳେ ସ୍ଥାନୀୟ କୁମ୍ଭାର ସାହି ନିକଟରେ ରହିଥିବା ଖାଲି ଜମିରେ ହଳ ବୁଲାଇଛନ୍ତି। ପ୍ରାୟ ୧୦ଏକର ଜମିରେ ଚାଷ କରି ଫେରି ଯାଇଥିବା ଜଣାପଡ଼ିଛି। ଏହା ଜାଣିବା ପରେ ସଂପୃକ୍ତ ଜମିର ଅଣଆଦିବାସୀ ମାଲିକ ସେଠାରେ ପହଞ୍ଚିଥିଲେ। ତେବେ ହଠାତ୍‌ ଏମିତି ଘଟଣା ଘଟିବା ପଛର କାରଣ ସ୍ପଷ୍ଟ ହୋଇପାରିନି। କିନ୍ତୁ ଘଟଣା ପରେ ନିରବତା ସହିତ ସ୍ଥାନୀୟ ଅଞ୍ଚଳରେ ଅଜଣା ଭୟ ସୃଷ୍ଟି ହୋଇଛି।

ନାରାୟଣପାଟଣା ବ୍ଲକ୍‌ରେ ୨୦୦୮ ମସିହାରେ ଜମି ଆନ୍ଦୋଳନ ମୁଣ୍ଡ ଟେକିଥିଲା। ସେହିସମୟରେ ପ୍ରଶାସନର ନିଷ୍କ୍ରିୟତା ଯୋଗୁ ବହୁ ସଂଖ୍ୟାରେ ଆଦିବାସୀ ଚାଷୀ ମୂଲିଆ ଆଦିବାସୀ ସଂଘରେ ଯୋଗଦେଇଥିଲେ। ବ୍ଲକ୍‌ର ହଜାର ହଜାର ଏକର ଜମିରେ ନାଲି ପତାକା ପୋତି ଅଣଆଦିବାସୀଙ୍କ ଜମିକୁ ନିଜ କବ୍‌ଜାକୁ ନେଇ ଚାଷ କରିଥିଲେ। ପରବର୍ତ୍ତୀ ସମୟରେ ଅଶାନ୍ତି ବଢ଼ିଥିବା ବେଳେ ଥାନା ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ସେହି ଘଟଣାରେ ସଂଘର ଦୁଇ ଜଣ ଆଗଧାଡିର ନେତା ମୃତ୍ୟୁବରଣ କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣକୁ ନେବା ପାଇଁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଯାହାଫଳରେ ହଜାର ହଜାର ଆଦିବାସୀ ସଂଘ ଛାଡି ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ। କିଛି ଆଦିବାସୀ ଜେଲ୍ ବି ଯାଇ ସଜା କଟା ଫେରିଥିଲେ। ଯେଉଁଥିରେ ସଂଘର ସଭାପତି
ବି ସାମିଲ ଥିଲେ। ଜମି ଆନ୍ଦୋଳନ ଥଣ୍ଡା ପଡ଼ିବାପରେ ଏଠାରେ ବିକାଶମୂଳକ କାମ ଆଗେଇ ଚାଲିଛି। ଏମିତି ସ୍ଥିତିରେ ଆଜିର ଘଟଣା ନିଶ୍ଚିତ ରୂପେ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ସାଜିଛି। ଆଗରୁ ପରିସ୍ଥିତି କେଉଁ ରୂପ ନେବ ତାହା ଉପରେ ଗୁଇନ୍ଦା ବିଭାଗ ନଜର ରଖିଛି।

ଅନ୍ୟପକ୍ଷରେ, ,ଆଜି କିଛି ଆଦିବାସୀ ବଳ ପୂର୍ବକ ଅନ୍ୟର ଜମିରେ ହଳ ବୁଲାଇବା ଆଦୌ ସ୍ବାଭାବିକ ଘଟଣା ନୁହେଁ ବୋଲି କୁହାଯାଉଛି। ଘଟଣା ସଂପର୍କରେ କେହି ମୁହଁ ଖୋଲୁ ନଥିବା ବେଳେ ଏହା ପଛରେ କିଏ ରହିଛି ତାହା ଏବେ ବଡ଼ ପ୍ରଶ୍ନ। ଅନ୍ୟପକ୍ଷରେ ଏଭଳି ସମ୍ବେଦନଶୀଳ ଘଟଣା ସଂପର୍କରେ ପ୍ରଶାସନ ନିକଟରେ କେହି ଅଭିଯୋଗ କରି ନଥିବା ତହସିଲଦାର କହିଛନ୍ତି। ଆଜିର ଘଟଣା ବିଷୟରେ ଚର୍ଚ୍ଚା ଆରମ୍ଭ ହୋଇ ପୁଣି ଥରେ ଚାଷୀ ମୂଲିଆ ଆଦିବାସୀ ସଂଘ ମୁଣ୍ଡ ଟେକିଲା ବୋଲି ନାନା ଆକଳନ କରାଯାଉଛି। ତେଣୁ ଏହି ଘଟଣାର ସତ୍ୟତା ଜାଣିବା ପାଇଁ ନାରାୟଣପାଟଣା ଚାଷୀ ମୂଲିଆ ଆଦିବାସୀ ସଂଘ ସଭାପତି ନାଚିକା ଲିଙ୍ଗାଙ୍କୁ ଯୋଗାଯୋଗ କରିବାରୁ ଘଟଣା ବିଷୟରେ ଆଦୌ କିଛି ଜାଣି ନଥିବା କହିଛନ୍ତି। ଏହି ଘଟଣାରେ ତାଙ୍କର କିମ୍ବା ସଂଘର କୌଣସି ସମ୍ପୃକ୍ତି ନାହିଁ। ଆଇନ ପ୍ରତି ବିଶ୍ବାସ ରହିଛି ଏବଂ ସମ୍ମାନ ଜଣାଉଛୁ। ଆଇନକୁ କେବେ ମଧ୍ୟ ହାତକୁ ନେବାକୁ ଚେଷ୍ଟା କରିବୁନି। ସାମ୍ବିଧାନିକ ବିଧି ବ୍ୟବସ୍ଥାରେ ଏବଂ ଗଣତାନ୍ତ୍ରିକ ପଦ୍ଧତିରେ ଆମେ ବିଶ୍ବାସ କରୁ ବୋଲି ନାଚିକା ପ୍ରକାଶ କରିଛନ୍ତି।

ନୂଆ କଥା ହେଲା ଜମିରେ ଆଦିବାସୀ ହଳ ବୁଲାଇଥିଲେ ବି ନାଲି ଝଣ୍ଡା ପୋତି ନଥିଲେ। ଏପରିକି ସର୍ବସାଧାରଣରେ କୌଣସି ପ୍ରକାର ବୟାନ ତଥା ଘୋଷଣା କରିନାହାନ୍ତି। କିଛି ଜମି ମାଲିକ ଘଟଣାରେ ସତ୍ୟତା ରହିଥିବା କହିଛନ୍ତି। ଜମିରେ କିଏ ହଳ କଲା, ଏହା ପଛରେ କାହାର ନିର୍ଦ୍ଦେଶ ରହିଛି ତାହା ଅନୁଧ୍ୟାନ ଗୁଇନ୍ଦା ବିଭାଗ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର