କେନ୍ଦୁଝର : କେନ୍ଦୁଝର ସଦର ତହସିଲ ଏବଂ ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ବେଆଇନ ଜମି କିଣାବିକା ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି। ଏଥିରୁ ବାଦ୍ ପଡ଼ିନାହାନ୍ତି କେନ୍ଦୁଝରର ଆରାଧ୍ୟ ଦେବତା ବଳଦେବଜିଉ। ଶ୍ରୀଶ୍ରୀ ବଳଦେବଜିଉଙ୍କ ଜମିକୁ ମଧ୍ୟ ବେଆଇନ ଭାବେ ସତ୍ତ୍ବ ପରିବର୍ତ୍ତନ କରି ବିକ୍ରି କରି ଦିଆଯାଇଥିବା ଅଭିଯୋଗ ହୋଇଛି।
ପ୍ରାପ୍ତ ସୂଚନା ଅନୁସାରେ, କେନ୍ଦୁଝର ସଦର ତହସିଲ ଅନ୍ତର୍ଗତ କେନ୍ଦୁଝର ରାଜସ୍ୱ ନିରୀକ୍ଷକ ମଣ୍ଡୁଆ ସର୍କଲ ଅଧୀନ ଗୁମୁରା ମୌଜାରେ ଶ୍ରୀଶ୍ରୀବଳଦେବଜିଉଙ୍କ ଜମି ରହିଛି। ଖାତା ନମ୍ବର ୧୮, ପ୍ଲଟ୍ ନମ୍ବର ୭୫୦ରେ ଥିବା ୧.୪ ଏକର ବିଶିଷ୍ଟ ଏହି ଜମିକୁ ବେଆଇନ ଭାବେ ବିକ୍ରି କରି ଦିଆଯାଇଥିବା ସୂଚନା ମିଳିଛି। ସାଧାରଣତଃ ଦେବୋତ୍ତର ବିଭାଗ ଅଧୀନରେ ଥିବା ଭୂସମ୍ପତ୍ତି ବିକ୍ରି ହୋଇପାରିବା କଥା ନୁହେଁ। ମାତ୍ର ଏଠାରେ ଜାଲିଆତି କରି ଠାକୁରଙ୍କ ଜମି ବିକ୍ରି କରାଯାଇଛି। କାଗଜପତ୍ରରେ ପ୍ରଥମେ ଏହି ଜମି ଶ୍ରୀଶ୍ରୀ ବଳଦେବଜିଉ ନିଜଗଡ଼ ମାର୍ଫତ ଦେବୋତ୍ତର କମିସନର, ଭୁବନେଶ୍ୱରଙ୍କ ନାମରେ ରହିଥିଲା। ପରେ ଏହାକୁ ଓଡ଼ିଶା ସରକାରଙ୍କ ସତ୍ତ୍ବ ବୋଲି ଦର୍ଶାଯାଇ ଏହି ୧.୪ ଏକର ଜମିକୁ ବିକ୍ରି କରି ଦିଆଯାଇଛି।
ବିକ୍ରି ହୋଇଥିବା ଜମିର ସତ୍ତ୍ବ ପରିବର୍ତ୍ତନ ନେଇ କେଉଁ ପ୍ରକାର କାଗଜପତ୍ର ରହିଛି ସେନେଇ କେନ୍ଦୁଝର ସଦର ତହସିଲ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗା ଯାଇଥିଲା। ବିଶେଷକରି ଏହି ଜମିର ମାଲିକାନା ପରିବର୍ତ୍ତନ କିଭଳି ଓ କେବେ ହୋଇଛି ସେ ସମ୍ପର୍କିତ ତଥ୍ୟ ମଧ୍ୟ ମଗାଯାଇଥିଲା। ମାତ୍ର ତହସିଲ କାର୍ଯ୍ୟାଳୟ ପକ୍ଷରୁ ସେଭଳି କୌଣସି ସୂଚନା ନ ଥିବା ଦର୍ଶାଯାଇଛି। ତେବେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି, ବିକ୍ରେତାଙ୍କ ସହିତ କିଛି ଅସାଧୁ କର୍ମଚାରୀ ମିଶି ବଳଦେବଜିଉଙ୍କ ସମ୍ପତ୍ତିର ସତ୍ତ୍ବକୁ ଓଡ଼ିଶା ସରକାର କରି ବିକ୍ରି କରି ଦେଇଛନ୍ତି। ପୂର୍ବରୁ ମଧ୍ୟ ଏଭଳି ଦେବୋତ୍ତର ସମ୍ପତ୍ତିକୁ ବିକ୍ରି କରି ଦିଆଯାଇଛି। ରଘୁନାଥଜିଉଙ୍କ ଗୌଡୁଣୀବେଡ଼ାଠାରେ ଏକ ଜମିକୁ ମଧ୍ୟ ଏଭଳି ସମାନ ଢଙ୍ଗରେ ବିକ୍ରି କରାଯାଇଥିଲା। ଯାହାର ତଦନ୍ତ ବର୍ତ୍ତମାନ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/baladevjew.jpg)