ବିବାଦ ନ ଥିଲେ ୭୨ ଘଣ୍ଟାରେ ଜମିପଟ୍ଟା

ଜାନୁଆରିରୁ ଅନ୍‌ଲାଇନରେ ଜମି ପଟ୍ଟା ପାଇଁ ଆବେଦନ

ଭୁବନେଶ୍ବର: ଏଣିକି ଜମିର ମାଲିକ ଜଣେ ଥିଲେ ଏବଂ ମାଲିକାନା ନେଇ କୌଣସି ବିବାଦ ନ ଥିଲେ, ୭୨ ଘଣ୍ଟାରେ ଜମି ମାଲିକ ପଟ୍ଟା ପାଇପାରି‌ବେ। ନୂଆବର୍ଷର ଜାନୁଆରି ପହିଲାରୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରାଯିବ। କିନ୍ତୁ ଜମିର ମାଲିକାନା ଭାଇ ଭଉଣୀ ଭଳି ଏକାଧିକ ବ୍ୟକ୍ତିଙ୍କ ହାତରେ ଥିଲେ ସର୍ବାଧିକ ୯୦ ଦିନ ମଧ୍ୟରେ ସେମାନଙ୍କୁ ଜମି ପଟ୍ଟା ମିଳିପାରିବ। ଏହାଛଡ଼ା ରାଜ୍ୟ ସରକାରଙ୍କ ସବୁଠାରୁ ବଡ଼ ନିଷ୍ପତ୍ତି ହେଉଛି ଯେ ପ୍ରଚଳିତ ଦାଖଲ ଖାରଜ ମାମଲାରୁ ‘ଖାରଜ’ ବ୍ୟବସ୍ଥା ସମୂଳେ ହଟାଯିବ। ଫଳରେ ଜମି କିଣାବିକା କ୍ଷେତ୍ରରେ ଚାଲିଥିବା ଦୁର୍ନୀତି ଅନେକାଂଶରେ ଲୋପ ପାଇବ ବୋଲି ଆଶାସଞ୍ଚାର ହୋଇଛି।

ଏକାଧିକ ଜମି ମାଲିକଙ୍କୁ ୯୦ ଦିନରେ ପଟ୍ଟା
ଏଣିକି ଦାଖଲ ଖାରଜ ମାମଲାରୁ ହଟିବ ‘ଖାରଜ’

ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ସଚିବ ଡ. ଚନ୍ଦ୍ରଶେଖର କୁମାର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦେଶନାମା ଜାରି କରିଛନ୍ତି। ନିର୍ଦେଶନାମା ଅନୁଯାୟୀ ଏକାଧିକ ଜମି ମାଲିକ ନେଇ ବିବାଦୀୟ ମାମଲାର କାର୍ଯ୍ୟାନୁଷ୍ଠାନ ୯୦ ଦିନ ଭିତରେ ସାରି ସଂପୃକ୍ତ ଜମି ଆବେଦନକାରୀଙ୍କୁ ପଟ୍ଟା ଦିଆଯିବ। ଏହି କ୍ରମରେ ତହସିଲଦାର କିମ୍ବା ଅତିରିକ୍ତ ତହସିଲଦାରଙ୍କ ‌ନିକଟରେ ୧୦ ଦିନ ଭିତରେ ଆବେଦନ ନେଇ ଯାଞ୍ଚ ପ୍ରକ୍ରିୟା ସାରିବାକୁ ନିର୍ଦେଶ ଦିଆଯାଇଛି। ସଂପୃକ୍ତ ରାଜସ୍ବ ନିରୀକ୍ଷକ କ୍ଷେତ୍ରୀୟ ଅନୁସନ୍ଧାନ ପାଇଁ ନେବେ ୩୦ ଦିନ। ପରେ ତହସିଲଦାର ୫ ଦିନରେ କାର୍ଯ୍ୟ‌ ସଂପୂର୍ଣ୍ଣ ଓ ଚୂଡ଼ାନ୍ତ ଆଦେଶ ପ୍ରକାଶ କରିବେ। ରେକର୍ଡ ସଂଶୋଧନ ପାଇଁ ରେକର୍ଡ କିପରଙ୍କୁ ୧୦ ଦିନ, ଅପିଲ୍‌ ନିମନ୍ତେ ୩୦ ଦିନ ଏବଂ ପଟ୍ଟା ପ୍ରେରଣ ପାଇଁ ଆଉ ୫ ଦିନର ଅବଧି ଧାର୍ଯ୍ୟ କରାଯାଇଛି। ଏଥିପାଇଁ ସଫ୍ଟୱେରକୁ ପ୍ରସ୍ତୁତ କରିବାକୁ ଏନ୍‌ଆଇସିକୁ ନିର୍ଦେଶ ଦିଆଯାଇଛି। ଯାହାଫଳରେ ଧାର୍ଯ୍ୟ ସମୟସୀମା ପରେ ବ୍ୟବହାରକାରୀଙ୍କ ନିକଟକୁ ସତର୍କ ସୂଚନା ଯିବା ସହିତ ପୋର୍ଟାଲ୍‌ରେ ମଧ୍ୟ ସେ ସଂପର୍କିତ ତଥ୍ୟ ସ୍ଥାନିତ ହେବ। ଜମିଜମା ଦାଖଲ ଖାରଜ ମାମଲାରୁ ‘ଖାରଜ’ ବ୍ୟବସ୍ଥା ହଟାଇବା ପାଇଁ ସରକାର କଡ଼ା ନିଷ୍ପତ୍ତି ନେଇଥିବା ଡ. ଚନ୍ଦ୍ରଶେଖର କୁମାର ସୂଚାଇଛନ୍ତି। ଏହାର ଅର୍ଥ ହେଉଛି ଏଣିକି କାହାରି ଜମି ଦାଖଲ ଖାରଜ ମାମଲା ବନ୍ଦ ହେବନାହିଁ। ଜମି ମାଲିକ ପଟ୍ଟା ପାଇଁ ଆବେଦନ କଲେ ତାଙ୍କୁ ନିଶ୍ଚିତ ରୂପେ ପଟ୍ଟା ମିଳିବ। ଏ କ୍ଷେତ୍ରରେ ବ୍ୟତିକ୍ରମ ପରିଲକ୍ଷିତ ହେଲେ, ସଂପୃକ୍ତ ସବ୍‌ରେଜିଷ୍ଟ୍ରାରଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାରଣ ଏହା ଫଳରେ ଜମି କାରବାରରେ ଠକାମି ବା ଜାଲିଆତି ହୋଇଥିବା ସ୍ପଷ୍ଟ ହୋଇଯିବ। ସଂପୃକ୍ତ ଅତିରିକ୍ତ ଜିଲ୍ଲାପାଳଙ୍କର ଅନୁମତି ନେଇ ଜିଲ୍ଲା ରେଜିଷ୍ଟ୍ରାର କିମ୍ବା ସବ୍‌ରେଜିଷ୍ଟ୍ରାରଙ୍କ ବିରୁଦ୍ଧରେ ଏତଲା ଦାଏର କରାଯିବ। ଲୋକମାନଙ୍କୁ ତ୍ବରିତ ରାଜସ୍ବ ସେବା ଯୋଗାଇଦେବା ପାଇଁ ଯେଉଁ ଜିଲ୍ଲାରେ ରାଜସ୍ବ ନିରୀକ୍ଷକ ବା ଅତିରିକ୍ତ ରାଜସ୍ବ ନିରୀକ୍ଷକ, ଅମିନଙ୍କ ଅଭାବ ରହୁଛି, ସଂପୃକ୍ତ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ନୂଆ ପଦବି ସୃଷ୍ଟି ପାଇଁ ପ୍ରସ୍ତାବ ଦେବାକୁ ରାଜସ୍ବ ବିଭାଗ ପ୍ରମୁଖ ସଚିବ କହିଛନ୍ତି। ଯେଉଁ ତହସିଲରେ ଅଧିକ ସଂଖ୍ୟକ ମାମଲା ଗଡ଼ୁଛି, ସେସବୁ ତହସିଲକୁ ବିଭାଗୀୟ ବରିଷ୍ଠ ଅଧିକାରୀ ଗସ୍ତ କରି ସ୍ଥିତି ତଦାରଖ କରିବାକୁ ମଧ୍ୟ ସେ ନିର୍ଦେଶ ଦେଇଛନ୍ତିି। ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜସ୍ବ ବିଭାଗର ଏକ ନୂତନ ସଂସ୍କାରମୂଳକ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହା କାର୍ଯ୍ୟକାରୀ ହେ‌େଲ ଜମି କିଣାବିକା କ୍ଷେତ୍ରରେ ବ୍ୟାପକ ରୂପେ ଚାଲିଥିବା ଦୁର୍ନୀତି ରୋକିହେବ। ଏ‌ ନେଇ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ଏହି ନିଷ୍ପତ୍ତି ଅନୁଯାୟୀ ଜଣେ ଘରେ ବସି ଅନ୍‌ଲାଇନ ଯୋଗେ ଜମି ପଟ୍ଟା ପାଇଁ ଆବେଦନ ଓ ଅନ୍ୟାନ୍ୟ ଜମିଜମା କାରବାର କରିପାରିବେ। ୨୦୧୯ ଜାନୁଆରି‌ ମାସରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ ବୋଲି ଆଭାସ ମିଳିଛି।

ସମ୍ବନ୍ଧିତ ଖବର