ଭୁବନେଶ୍ବର: ଚଳିତ ବର୍ଷ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଜନତା ମଇଦାନଠାରେ ଅନୁଷ୍ଠିତ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍ ୨୦୨୨ ପାଇଁ ଆଜି ସକାଳ ୧୦ଟାରେ ଭୂମିପୂଜା ସମାରୋହ ଅନୁଷ୍ଠିତ ହେବ। ଶିଳ୍ପ ସଂଘ ଫିକି ସହଯୋଗରେ ଆୟୋଜନ କରାଯାଉଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସରକାରୀ ଅଧିକାରୀ, ଶିଳ୍ପ ଜଗତର ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ। ୨୦୧୬ ଓ ୨୦୧୮ରେ ପ୍ରଥମ ଦୁଇଟି ସଂସ୍କରଣକୁ ଆୟୋଜନ କରିବା ପରେ ଚଳିତ ବର୍ଷ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ର ତୃତୀୟ ସଂସ୍କରଣକୁ ଆୟୋଜନ କରାଯାଉଛି। ଅନ୍ୟ ପକ୍ଷରେ, ସୋମବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ର ସ୍ବତନ୍ତ୍ର ୱେବ୍ ପୋର୍ଟାଲ୍ https://www.mio.investodisha.gov.in ଏବଂ ମୋବାଇଲ୍ ଆପ୍‌କୁ ଉନ୍ମୋଚନ କରିଛନ୍ତି। କନ୍‌କ୍ଲେଭ୍‌କୁ ସଫଳ କରିବା ଲାଗି ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ସବୁ ବିଭାଗକୁ କହିଛନ୍ତି। ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି କାହାଣୀରେ ଏହାକୁ ଏକ ଐତିହାସିକ କାର୍ଯ୍ୟକ୍ରମରେ ପରିଣତ କରିବାକୁ ସେ ଆହ୍ବାନ ଦେଇଛନ୍ତି।

Advertisment

ଏଥର କନ୍‌କ୍ଲେଭ୍‌ରେ ୨୦ ଅଧିବେଶନ ଆୟୋଜନ କରାଯିବ

ମେକ୍ ଇନ୍ ଓଡ଼ିଶା ୱେବ୍ ପୋର୍ଟାଲ୍‌ରେ କନ୍‌‌କ୍ଲେଭ୍ ସମ୍ପର୍କିତ ସବୁ ତଥ୍ୟ ଉପଲବ୍ଧ ରହିଛି। ବିଭିନ୍ନ ପ୍ଲେନାରି, ପ୍ରସଙ୍ଗ ଆଧାରିତ ଅଧିବେଶନ, ବିଜନେସ୍ ଲିଡରସିପ୍ ଟକ୍, ବିଭିନ୍ନ କ୍ଷେତ୍ରକୁ ନେଇ ଆୟୋଜନ ହେବାକୁ ଥିବା ଅଧିବେଶନ ଏବଂ ବକ୍ତାମାନଙ୍କ ବିଷୟରେ ସେଥିରେ ସୂଚନା ରହିଛି। ଅତିଥିମାନେ କନ୍‌କ୍ଲେଭ୍‌ ପାଇଁ ପୋର୍ଟାଲ୍‌ରେ ପଞ୍ଜୀକରଣ କରିବା ସହ ଯାତାୟାତ ଓ ରହଣୀ ପାଇଁ ବୁକିଂ କରିପାରିବେ। ମୋବାଇଲ୍‌ ଆପ୍‌ଟି ଆଣ୍ଡ୍ରଏଡ୍ ପ୍ଲେ ଷ୍ଟୋର୍‌ ଓ ଆପଲ୍‌ ଆପ୍‌ ଷ୍ଟୋର୍‌ରେ ଉପଲବ୍ଧ ହୋଇଛି।

ମୁଖ୍ୟ ସଚିବ ସୁରେଶ ମହାପାତ୍ର କହିଛନ୍ତି ଯେ ପୂର୍ବ ଦୁଇ ସଂସ୍କରଣ ତୁଳନାରେ ଚଳିତ ବର୍ଷର କନ୍‌କ୍ଲେଭ୍‌କୁ ଆହୁରି ଉନ୍ନତ କରିବା ଲାଗି ଆମ ପାଖରେ ୩୦ ଦିନର ସମୟ ରହିଛି। କନ୍‌କ୍ଲେଭ୍‌ରେ ଆୟୋଜିତ ହେବାକୁ ଥିବା ଅଧିବେଶନଗୁଡ଼ିକର ବିବରଣୀ ପ୍ରସ୍ତୁତ ହୋଇଯାଇଛି। ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ ଏହି ପାଞ୍ଚ ଦିନିଆ କନ୍‌କ୍ଲେଭ୍‌ରେ ୨୦ଟି ଅଧିବେଶନ ଆୟୋଜନ କରାଯିବ। ଏହି କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ୧୦ ରୋଡ୍ ସୋ’ ଆୟୋଜନ କରିଛନ୍ତି। ସେଥିରୁ ଦୁବାଇ, ମୁମ୍ବାଇ, ନୂଆଦିଲ୍ଲୀ, ହାଇଦ୍ରାବାଦ ଓ ବେଙ୍ଗାଲୁରୁ ରୋଡ୍ ସୋ’ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଯୋଗ ଦେଇଥିଲେ।