ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ଜମି କିଣାବିକା ବୃଦ୍ଧି ପାଇବାରେ ଲାଗିଛି। କେବଳ ୨୦୨୨-୨୩ ବର୍ଷରେ ସମଗ୍ର ଜିଲ୍ଲାରେ ପ୍ରାୟ ୧୦ ହଜାରଟି ଜମି କିଣାବିକା ହୋଇଥିବା ସରକାରୀ ଭାବେ ଜଣାପଡ଼ିଛି। ଢେଙ୍କାନାଳ ତହସିଲ୍‌‌ ଅଧୀନରେ ସର୍ବାଧିକ ଜମି କିଣାବିକା ହୋଇଥିବା‌ବେଳେ କଙ୍କଡ଼ାହାଡ଼ ତହସିଲ୍‌ ଅଧୀନରେ ସର୍ବନିମ୍ନ ଜମି କିଣାବିକା ହୋଇଛି। ତେବେ ଢେଙ୍କାନାଳ ତହସିଲ୍‌ ଅଧୀନରେ ରହିବାକୁ ଲୋକେ ବେଶି ପସନ୍ଦ କରୁଥିବାରୁ ଏଠାରେ ଜମି ଦର ବି ଆଶାତୀତ ବୃଦ୍ଧି ପାଇଛି। ‌ଏଠାରେ ଜମି ଦର ବର୍ଷକ ଭିତରେ ‌ଅଢ଼େଇ ଗୁଣ ବଢ଼ିଥିବାବେଳେ ଷ୍ଟାମ୍ପ୍‌ ଫି ବାବଦରେ ରାଜ୍ୟ ସରକାର କେବଳ ୨୦୨୨-୨୩ ଆର୍ଥିକ ବର୍ଷରେ ୧୮କୋଟିରୁ ଅଧିକ ଟଙ୍କା ରାଜସ୍ବ ଆଦାୟ କରିଥିବା ସୂଚନା ମିଳିଛି।

Advertisment

ସୂଚନା ମୁତାବକ, ୨୦୨୦-୨୧ ଆର୍ଥିକ ବର୍ଷରେ ଢେଙ୍କାନାଳ ତହସିଲ୍‌ ଅଧୀନରେ ୨୯୬୪ଟି ଜମି କିଣାବିକା ହୋଇଥିଲା। ଏଥିସକାଶେ ରାଜ୍ୟ ସରକାର ଷ୍ଟାମ୍ପ୍‌ ଫି ବାବଦରେ ୭କୋଟି ୮୧ଲକ୍ଷ ୪୩ହଜାର ୯୫୨ଟଙ୍କା ରାଜସ୍ବ ପାଇଥିଲେ। ଯାହା ୨୦୨୧-୨୨ ବର୍ଷରେ ବୃଦ୍ଧି ପାଇଥିଲା। ଏହି ବର୍ଷ ୩୪୩୮ଟି ଜମି କିଣାବିକା ହୋଇ ଷ୍ଟାମ୍ପ୍‌ ଫି ବାବଦରେ ରାଜ୍ୟ ସରକାର ୯କୋଟି ୪୧ଲକ୍ଷ ୭୨ହଜାର ୮୫୨ଟଙ୍କା ରାଜସ୍ବ ଆଦାୟ କରିଥିଲେ। ତେବେ ୨୦୨୨-୨୩ ଆର୍ଥିକ ବର୍ଷରେ ଜମି ଦର ବହୁଗୁଣା ବୃଦ୍ଧି ପାଇଥିବା ଲକ୍ଷ୍ୟ କରାଯାଇଛି। ପୂର୍ବବର୍ଷ ତୁଳନାରେ ମାତ୍ର ୨୫ଟି ଜମି କିଣାବିକ‌ା ଅଧିକ ହୋଇଥିଲେ ହେଁ ଷ୍ଟାମ୍ପ୍‌ ଫି ବାବଦରେ ପ୍ରାୟ ୯ କୋଟି ଅଧିକ ରାଜସ୍ବ ଆଦାୟ କରି ପାରିଛନ୍ତି ରାଜ୍ୟ ସରକାର। ୨୦୨୨-୨୩ ଆର୍ଥିକ ବର୍ଷରେ ଢେଙ୍କାନାଳ ତହସିଲ୍‌ ଅଧୀନରେ ମୋଟ୍‌ ୩୬୮୮ଟି ଜମି କିଣାବିକା ହୋଇଥିବାବେଳେ ୧୮କୋଟି ୫୭ଲକ୍ଷ ୪୨ହଜାର ୨୫୬ ଟଙ୍କା ରାଜ୍ୟ ସରକାର ଷ୍ଟାମ୍ପ୍‌ ଫି ଆକାରରେ ରାଜସ୍ବ ପାଇଥିବା ଆଇଜିଆର୍‌ (ଇନ୍‌ସପେକ୍ଟର ଜେନେରାଲ୍‌ ଅଫ ରେଜିଷ୍ଟ୍ରେସନ୍‌) ଓଡ଼ିଶା ସୂତ୍ରରୁ ଜଣାପଡ଼ିଛି।
ତୁଳନାତ୍ମକଭାବେ ଦେଖିବାକୁ ଗଲେ ଢେଙ୍କାନାଳଠାରୁ ହି‌ନ୍ଦୋଳ ତହସିଲ୍‌ ଅଧୀନରେ ଜମି କିଣାବିକା ସବୁଠାରୁ ଅଧିକ ହୋଇଛି। ଗଲା ୩ବର୍ଷରେ ଏଠାରେ ୩୧୯୭ଟି ଜମି କିଣାବିକା ହୋଇଛି। ଷ୍ଟାମ୍ପ୍‌ ଫି ବାବଦରେ ହିନ୍ଦୋଳ ତହସିଲ୍‌ରୁ ୨୦୨୦-୨୧ ବର୍ଷରେ ୧କୋଟି ୪ଲକ୍ଷ ୭୯ହଜାର ୩୪୪ ଟଙ୍କା, ୨୦୨୧-୨୨ ବର୍ଷରେ ୧କୋଟି ୧୭ଲକ୍ଷ ୫୪ହଜାର ୬୮୩ ଟଙ୍କା ଓ ୨୦୨୨-୨୩ ବର୍ଷରେ ୧କୋଟି ୭୩ଲକ୍ଷ ୯୮ହଜାର ୧୭୦ଟଙ୍କା ରାଜସ୍ବ ଆଦାୟ ହୋଇଛି। ଅନ୍ୟପାଖେ ଓଡ଼ାପଡ଼ା ତହସିଲ୍‌ ଅଧୀନରେ କିନ୍ତୁ ଜମି ଦରରେ ହାତ ମାରି ହେବନି। ଏଠାରେ ହିନ୍ଦୋଳଠାରୁ ଢେର କମ୍ ଜମି କିଣାବିକା ହୋଇଥିଲେ ହେଁ, ଷ୍ଟାମ୍ପ୍‌ ଫି ଆକାରରେ ବହୁ ରାଜସ୍ବ ପାଇଛନ୍ତି ସରକାର। ଗଲା ୩ ବର୍ଷରେ ଏଠାରେ ୨୭୨୦ଟି ଜମି କିଣାବିକା ହୋଇଛି। ତେବେ ୨୦୨୦-୨୧ରେ ମାତ୍ର ୭୩୧ଟି ଜମି କିଣାବିକା ହୋଇ ଷ୍ଟାମ୍ପ୍‌ ଫି ବାବଦରେ ୧୦ କୋଟି ୨୧ଲକ୍ଷ ୧୩ହଜାର ୪୭୦ ଟଙ୍କା, ୨୦୨୧-୨୨ରେ ୯୦୪ଟି ଜମି କିଣାବିକା ହୋଇ ଷ୍ଟାମ୍ପ୍‌ ଫି ଆକାରରେ ୧୭କୋଟି ୧୬୭୮ଟଙ୍କା ଓ ୨୦୨୨-୨୩ରେ ୧୦୮୫ଟି ଜମି କିଣାବିକା ହୋଇ ଷ୍ଟାମ୍ପ୍‌ ଫି ବାବଦରେ ୧୫କୋଟି ୧୬ଲକ୍ଷ ୯୬ହଜାର ୪୭ଟଙ୍କା ରାଜ୍ୟ ସରକାର ରାଜସ୍ବ ପାଇଛନ୍ତି।

ଓଡ଼ାପଡ଼ାରେ ହାତ ମାରି ହେବନି
ହିନ୍ଦୋଳ ଜମି ସର୍ବାଧିକ ପସନ୍ଦ
କଙ୍କଡ଼ାହାଡ଼ରେ ଉଧଉନି ଦର

ସେହିଭଳି କାମାକ୍ଷାନଗରରେ ୩୧୯୭ଟି ଜମି କିଣାବିକା ହୋଇଛି ଗଲା ୩ବର୍ଷରେ। ଏଠାରୁ ଷ୍ଟାମ୍ପ୍‌ ଫି ବାବ‌ଦରେ ୨୦୨୦-୨୧ରେ ୧କୋଟି ୨୧ଲକ୍ଷ ୮୦ହଜାର ୮୦୭ଟଙ୍କା, ୨୦୨୧-୨୨ରେ ୧କୋଟି ୩୦ଲକ୍ଷ ୨୬୮ଟଙ୍କା ଓ ୨୦୨୨-୨୩ରେ ୨କୋଟି ୭୩ଲକ୍ଷ ୩୭ହଜାର ୬୭୩ଟଙ୍କା ରାଜ୍ୟ ସରକାର ରାଜସ୍ବ ପାଇଛନ୍ତି। ଗଁଦିଆ ତହସିଲ୍‌ରେ ଗତ ୩ବର୍ଷରେ ୨୪୪୧ଟି ଜମି କିଣାବିକା ହୋଇଛି। ଏଠାରେ ଷ୍ଟାମ୍ପ୍‌ ଫି ବାବ‌ଦରେ ୨୦୨୦-୨୧ରେ ୮୯ଲକ୍ଷ ୧୨ହଜାର ୭୬୯ଟଙ୍କା, ୨୦୨୧-୨୨ରେ ୮୨ଲକ୍ଷ ୧୭ହଜାର ୬୦୨ଟଙ୍କା ଓ ୨୦୨୨-୨୩ରେ ୧‌କୋଟି ୩୩ଲକ୍ଷ ୨୧ହଜାର ୩୪୧ଟଙ୍କା ରାଜ୍ୟ ସରକାର ରାଜସ୍ବ ପାଇଛନ୍ତି। ତେବେ ଭୁବନରେ ୧୨୮୮ଟି ଜମି କିଣାବିକା ହୋଇଥିବ‌ାବେଳେ ଗତ ୩ବର୍ଷ ମଧ୍ୟରେ କୌଣସି ବର୍ଷ ଷ୍ଟାମ୍ପ୍‌ ଫି ବାବଦ ରାଜସ୍ବ ଆଦାୟ ୧କୋଟି ଛୁଇଁନାହିଁ। କିନ୍ତୁ ପର୍ଜଙ୍ଗରେ ୧୬୭୯ଟି ଜମି ଗତ ୩ବର୍ଷରେ କିଣାବିକା ହୋଇଥିବାବେଳେ କେବଳ ୨୦୨୨-୨୩ ଆର୍ଥିକ ବର୍ଷରେ ୬୩୭ଟି ଜମି କିଣାବିକା ହୋଇ ୧କୋଟି ୫ଲକ୍ଷ ୧୨ହଜାର ୮୭୧ ଟଙ୍କା ଷ୍ଟାମ୍ପ୍‌ ଫି ବାବଦ ରାଜସ୍ବ ଆଦାୟ ହୋଇଛି।

ତେବେ କଙ୍କଡ଼ାହାଡ଼ ତହସିଲ୍‌ ଅଧୀନରେ ସବୁଠାରୁ କମ୍ ଜମି କିଣାବିକା ହୋଇଥିବା ଜଣାପଡ଼ିଛି। ଗତ ୩ବର୍ଷରେ ଜମି କିଣାବିକା ସଂଖ୍ୟା ୪ ଅଙ୍କ ଛୁଇଁ ପାରିନି। ୩ ବର୍ଷରେ ମାତ୍ର ୫୨୪ଟି ଜମି କିଣାବିକା ହୋଇଥିବା ବେଳେ କେବଳ ୨୦୨୨-୨୩ ଆର୍ଥିକ ବର୍ଷରେ ୨୦୫ଟି ଜମି କିଣାବିକା ହୋଇଛି। ଏଠାରେ ଷ୍ଟାମ୍ପ୍‌ ଫି ବାବ‌ଦରେ ୨୦୨୦-୨୧ରେ ୪୨ଲକ୍ଷ ୬୫୨ଟଙ୍କା ରାଜସ୍ବ ଆଦାୟ ହୋଇଛି। ୨୦୨୧-୨୨ରେ ଏହା ଖସି ୧୦ଲକ୍ଷ ୧୩ହଜାର ୯୬୯ଟଙ୍କାରେ ପହଞ୍ଚିଥିଲା। ହେଲେ ୨୦୨୨-୨୩ରେ ଏଠାରେ ୨୦୫ଟି ଜମି କିଣାବିକାରୁ ଷ୍ଟାମ୍ପ୍‌ ଫି ବାବଦରେ ୧୫ଲକ୍ଷ ୪୧ହଜାର ୩୦୨ ଟଙ୍କା ରାଜସ୍ବ ଆଦାୟ ହୋଇଛି। ଦେଖିବାକୁ ଗଲେ ୨୦୨୦-୨୧ ଆର୍ଥିକ ବର୍ଷ ତୁଳନାରେ କଙ୍କଡ଼ାହାଡ଼ରେ ୩ ବର୍ଷର ଷ୍ଟାମ୍ପ୍‌ ଫି ବାବଦରେ ରାଜ୍ୟ ସରକାର ଏଠାରୁ ମାତ୍ର ୨ କୋଟି ୬ଲକ୍ଷ ୨୫ହଜାର ୯୨୩ଟଙ୍କା ରାଜସ୍ବ ଆଦାୟ କରିପାରିଛନ୍ତି।