ଜୟପୁର: ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ନୂତନ କ୍ୟାମ୍ପସ୍ ପାଇଁ ଜମି ଅଧିଗ୍ରହଣ ପାଇଁ ଗତ ୫ମାସ ହେବ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶରେ  ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର ଗତ ସେପ୍ଟମ୍ବର ମାସରେ ଜୟପୁର ତହସିଲଦାରଙ୍କ ନିକଟରେ  ଆବେଦନ ଦାଖଲ କରିଥିଲେ। ତାଙ୍କ ଆବେଦନକୁ ଭିତ୍ତି କରି ତହସିଲ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୟପୁର ତହସିଲ ପକ୍ଷରୁ ଚିହ୍ନଟ ଜମିରେ କିଛି ପରିମାଣର ଗୋଚର କିସମରେ ଥିବା ଜମିକୁ ପତିତ କିସମକୁ ଆଣିବା ପାଇଁ ପୁନଃ –ସଂରକ୍ଷଣ (ଡି-ରିଜର୍ଭେସନ୍) କରିବା ପାଇଁ ପ୍ରକ୍ରିୟା ଗତ ୫ମାସ ହେବ ଆରମ୍ଭ କରିଛନ୍ତି। ରାଜସ୍ବ ଓଭୁପରିଚାଳନା ଅଧିନିୟମର  ୪ଟି ପ୍ରକ୍ରିୟା ସରିବା ପରେ ଯାଇ ବିଶ୍ବବିଦିଦ୍ୟାଳୟକୁ ଜମି ମିଳିବ। ୫ମାସ ପରେ ବି କିସମ ପରିବର୍ତ୍ତନ ହୋଇ ପାରି ନଥିବା ବେଳେ ଜମି ମିଳିବାକୁ କେତେ ଦିନ ଲାଗିବ ତାହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Advertisment

ସୂଚନା ଅନୁଯାୟୀ, ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ନୂଆ କ୍ୟାମ୍ପସ୍ ସ୍ଥାପନ ପାଇଁ ଗତ ଅଗଷ୍ଟ ମାସରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ଟିମ୍ ଏଠାକୁ ଆସି ୬ଟି ସ୍ଥାନ ନିରୀକ୍ଷଣ କରିଥିଲେ। ରଣ୍ଡାପାଲ୍ଲୀରେ ଥିବା ୭୩.୨୩ଏକରକୁ ଚୟନ କରି ଏହି ଟିମ୍ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗକୁ ଜଣାଇଥିଲେ। ଏହା ପରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶରେ ଜମି ଅଧିଗ୍ରହଣ କରିବା ପାଇଁ ରେଜିଷ୍ଟ୍ରାର ଡ.ଗୋପାଳ ହାଲଦାର ଗତ ସେପ୍ଟମ୍ବର ମାସରେ  ଜୟପୁର ତହସିଲଦାରଙ୍କୁ ଆବେଦନପତ୍ର ଦେଇଥିଲେ। ଚିହ୍ନଟ ହୋଇଥିବା ଜମି ମଧ୍ୟରୁ ୩୪ଏକର ପତିତ ହୋଇଥିବା ବେଳେ ବଳକା ୩୯.୨୩ଏକର ଜମି ଗୋଚର। ଏହି ଗୋଚର ଜମିର କିସମ ପରିବର୍ତ୍ତନ ପାଇଁ ସଂପ୍ରତି ଜୟପୁର ତହସିଲ ପକ୍ଷରୁ ପୁନଃ –ସଂରକ୍ଷଣ (ଡି-ରିଜର୍ଭେସନ୍) କରିବା ପାଇଁ ଏବେ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ତହସିଲଦାର ଡ.ମୋନାଲିସା ଆଚାର୍ଯୀ। ‌ସମ ପରିମାଣର ଗୋଚର ଜମି ଚିହ୍ନଟ ପରେ ଗୋଚର  ଜମିକୁ କିସମ ପରିବର୍ତ୍ତନ କରି ପତିତ କରାଯିବ।

ଏ ନେଇ ଉପଜିଲ୍ଲାପାଳଙ୍କୁ ଅବଗତ କରାଯିବ। ଉପଜିଲ୍ଲାପାଳ ଏହା ପରେ ଜିଲ୍ଲାପାଳଙ୍କୁ ଅବଗତ କରିବେ। ଶିକ୍ଷାନୁଷ୍ଠାନ ପାଇଁ ଜିଲ୍ଲାପାଳ ୫ଏକର ଜମି ଦେବା କ୍ଷମତା ରହିଛି। ତା ଠାରୁ ଅଧିକା ଜମି ହେଲେ ସେ ଦେଇପାରିବେ ନାହିଁ। ଏପରିକି ଆରଡିସି (ରେଭିନ୍ୟୁ ଡିଭିଜିନାଲ କମିଶନର)ଙ୍କ ବି କ୍ଷମତା ବାହାରେ। ଏତେ ପରିମାଣର ଜମି କେବଳ ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ କମିଶନ ହିଁ ଦେଇ ପାରିବେ। ମାପଚୁପ ଆଦି ପ୍ରକ୍ରିୟ ସରିବା ପରେ ଉକ୍ତ ରେକର୍ଡକୁ ଉପଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରାଯିବ। ଜିଲ୍ଲାପାଳ ଏହାର ଅନୁମୋଦନ ପାଇଁ ବ୍ରହ୍ମପୁରରେ ଥିବା ଦକ୍ଷିଣାଂଚଳ ଆରଡିସିଙ୍କ ନିକଟରେ ଦାଖଲ କରିବେ। ଆରଡିସି ଅନୁମୋଦନ କରି ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ କମିଶନରଙ୍କ ନିକଟରେ ଜମି ପ୍ରଦାନ  ପାଇଁ ଅନୁମୋଦନ ପାଇଁ ରେକର୍ଡ ଯିବ। ଏସବୁ ୪ଟି ପ୍ରମୁଖ ପ୍ରକ୍ରିୟା କରିବାକୁ ବାକି ରହିଛି ବୋଲି କହିଛନ୍ତି ତହସିଲଦାର ଡ.ଅଚାର୍ଯ୍ୟୀ। ବିଶ୍ବବିଦ୍ୟାଳୟ ନୂଆ କ୍ୟାମ୍ପସ ନିର୍ମାଣ ପାଇଁ ରାଜ୍ୟସରକାର ପ୍ରାରମ୍ଭିକ ଭାବେ ଶହେ କୋଟି ଅନୁଦାନ ଦେଇଛନ୍ତି। ଜମି ଅଧିଗ୍ରହଣ ପ୍ରକଳ୍ପ ଧିମେଇଛି। ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରକ୍ରିୟା ସାରି ତୁରନ୍ତ ଜମି ନ ଦେଲେ ନୂଆ କ୍ୟାମ୍ପସରେ ବିଶ୍ବବିଦ୍ୟାଳୟ ଆରମ୍ଭ ହେବ କେବେ ବୋଲି ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରଶ୍ନ କରିଛନ୍ତି।