ଝାରସୁଗୁଡ଼ା: ଆଉ ଦିନ କେଇଟା ପରେ ସମଗ୍ର ଦେଶ ହ‌ର୍ଷୋଲ୍ଲାସରେ ପାଳନ କରିବ ଦୀପାବଳି ଉତ୍ସବ। ହେଲେ ପ୍ରଶାସନିକ ସ୍ଥାଣୁତା ଯୋଗୁ ବର୍ଷସାରା ଏଠାରେ ଦୀପାବଳିର ଦୃଶ୍ୟ। ସନ୍ଧ୍ୟା ହେଲେ ଘର ଆଗରେ ଓ ଭିତରେ ଜଳେ ଡିବିରି। ହୀରାକୁଦ ନଦୀବନ୍ଧ ପାଇଁ ଭିଟାମାଟି ହରାଇ ସାଗରପାଲିରୁ ଆସି ବିକ୍ରମ‌ଖୋଲ ଜଙ୍ଗଲରେ ବସତି ସ୍ଥାପନ କଲେ। ତେଣେ ହୀରାକୁଦରୁ ବିଜୁଳି ଉତ୍ପାଦନ ହୋଇ ରାଜ୍ୟ ବାହାରକୁ ରପ୍ତାନି ହେଉଥିବା ବେଳେ ପ୍ରକଳ୍ପ ପାଇଁ ଭିଟାମାଟି ହରାଇଥିବା ବିସ୍ଥାପିତ ଆଜି ଯାଏ ବିଜୁଳି ଆଲୋକ ଦେଖି ପାରିଲେନି। ଏହା ହେଉଛି ଦ୍ରୁତ ପ୍ରଗତିଶୀଳ ଜିଲ୍ଲା ଝାରସୁଗୁଡ଼ାର ଲଖନପୁର ବ୍ଲକ ମହକୁମାରୁ ମାତ୍ର ୯ କିମି ଦୂର ବଞ୍ଜାରି ପଞ୍ଚାୟତ ତେତଲିଆବାହାଲର ଦୃଶ୍ୟ।

Advertisment

ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ପୌରାଞ୍ଚଳରୁ ପ୍ରାୟ ୮ କିମି ଓ ଲଖନପୁର ବ୍ଲକ୍‌ରୁ ୯ କିମି ଦୂରରେ ରହିଛି ଏହି ଗାଁ। ଜନସଂଖ୍ୟା ପ୍ରାୟ ୧୮୦ ଓ ସମସ୍ତ ପରିବାର ବିପିଏଲ୍‌ ଶ୍ରେଣୀଭୁକ୍ତ। ଗାଁକୁ ଚାରିପଟେ ଘଞ୍ଚ ଜଙ୍ଗଲ ଘେରି ରହିଥିବା ବେଳେ ଗାଁରେ ସ୍କୁଲ୍‌ କି ଅଙ୍ଗନୱାଡ଼ି କେନ୍ଦ୍ରଟିଏ ନାହିଁ। ପିଲାମାନେ ପ୍ରତିଦିନ ପ୍ରାୟ ୪ କିମି ଦୂର ଗ୍ରିନ୍‌ଡୋଲା ଗାଁକୁ ପଢ଼ିବାକୁ ଯାଆନ୍ତି। ଗାଁକୁ ଏପର୍ଯ୍ୟନ୍ତ ବିଦ୍ୟୁତ୍‌ ସଂଯୋଗ ହୋଇନଥିବାରୁ ଛାତ୍ରଛାତ୍ରୀ ଆଜି ବି ଡିବିରି ଆଲୁଅରେ ପାଠ ପଢ଼ନ୍ତି। ଜଙ୍ଗଲ ବିଭାଗ ଦେଖିଥିବା ସୋଲାର ଲାଇଟ୍‌ ବି ଅଳ୍ପ ସମୟ ଜଳି ବନ୍ଦ ହୋଇଯାଉଛି। ବିପିଏଲ୍‌ ପରିବାରକୁ ବିଦ୍ୟୁତ୍ ଯୋଗାଇବାରୁ ଆରମ୍ଭ କରି ଅନ୍ୟାନ୍ୟ ସୁବିଧା ଦେବାକୁ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି। ମାତ୍ର ତେତିଲିଆବାହାଲ ଗ୍ରାମବାସୀ ଦୀର୍ଘ ବର୍ଷ ହେବ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଆଜି ଯାଏ ସମସ୍ୟାରୁ ମୁକୁଳି ପାରିନାହାନ୍ତି। ଗାଁରେ ସରକାରୀ ସୁବିଧା ନାଁରେ ମିଳିଛି କେବଳ ୨ଟି ନଳକୂପ ଓ ସୋଲାର ସିଷ୍ଟମ। ପୁଣି ନଳକୂପ ବି ଖରାଦିନେ ଶୁଖି ଯାଉଥିବାରୁ ଲୋକେ ପାଣି ପାଇଁ ଅସୁବିଧା ଭୋଗନ୍ତି। ସୋଲାର ଚଳିତ ଉପକରଣ ଏବେ ଆଉ କାମ କରୁନଥିବା ସେମାନେ ଅଭିଯୋଗ କରିଛନ୍ତି। ଗ୍ରାମବାସୀ ସ୍ବାସ୍ଥ୍ୟସେବା ପାଇଁ ସୁନ୍ଦରଗଡ଼ ଜିଲ୍ଲା ଉପରେ ନିର୍ଭରଶୀଳ। ଗାଁକୁ ପକ୍କା ରାସ୍ତା ନଥିବାରୁ ବର୍ଷା ଋତୁରେ ଆମ୍ବୁଲାନ୍ସ ଆସିପାରେନି। ଫଳରେ ରୋଗୀକୁ ଖଟିଆରେ ବୋହି ଡାକ୍ତରଖାନା ନେବାକୁ ପଡ଼େ। ଉକ୍ତ ଉକ୍ତ ଖରାପ ରାସ୍ତାରେ ଗ୍ରାମବାସୀ ୭ କିମି ବଣପାହାଡ଼ ରାସ୍ତାରେ ବଞ୍ଜାରୀକୁ ଯାଇ ପ୍ରତି ମାସ ଭତ୍ତା ଓ ଚାଉଳ ଆଣନ୍ତି। ଗାଁର ଅଧିକାଂଶ ଲୋକ ନିରକ୍ଷର। ସମସ୍ୟା ଜର୍ଜ୍ଜରିତ ଗାଁରେ କେବଳ ନିର୍ବାଚନ ବେଳେ ହିଁ ନେତାଙ୍କ ଦର୍ଶନ ମିଳେ। ତା ସାଙ୍ଗକୁ ମିଳେ ସମସ୍ୟା ସମାଧାନର ପ୍ରତିଶ୍ରୁତି। କିନ୍ତୁ ନିର୍ବାଚନ ପରେ ସବୁ ଭୁଲିଯାଇଥାନ୍ତି ବୋଲି ଗାଁର ମଙ୍ଗଳୁ ଭୁଏ ଅଭିଯୋଗ କରିଛନ୍ତି। ନିକଟରେ ଜିଲ୍ଲା ଖଣିଜ ପାଣ୍ଠିରୁ ୪୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏବେ ଗ୍ରାମରେ କେବଳ ଖୁଣ୍ଟ ପୋତା ହୋଇଛି।

ଏ ନେଇ ସରପଞ୍ଚ ସୀମା ସାହୁଙ୍କୁ ପଚାରିବାରେ, ଖୁଣ୍ଟ ପଡ଼ିବା ଆରମ୍ଭ ହୋଇଯାଇଛି। ଆସନ୍ତା ଦୀପାବଳିରୁ ଗାଁରେ ବିଜୁଳି ଆଲୋକ ଜଳିବ ବୋଲି କହିଛନ୍ତି।
ସୂଚନାନୁସାରେ, ହୀରାକୁଦ ବନ୍ଧ ନିର୍ମାଣ ଶେଷ ହେବା ପରେ ୧୯୫୭ ମସିହାରେ ଏହି ଗ୍ରାମର ୨୪ଟି ଭୂମିହୀନ ପରିବାରକୁ ତଡ଼ି ଦିଆଯାଇଥିଲା। ଭୟରେ ସେମାନେ ବିକ୍ରମଖୋଲ ଜଙ୍ଗଲ ଭିତରେ ଗଛ ତଳେ ଆଶ୍ରୟ ନେଇଥିଲେ। ସେ ଦିନଠାରୁ ଉକ୍ତ ଅଞ୍ଚଳ ତେତଲିଆବାହାଲ ଭାବେ ପରିଚିତ। ନଦୀବନ୍ଧ ଉଦ୍‌ଘାଟନ ହୋଇ ବିଜୁଳି ଉତ୍ପାଦନକୁ ୭ ଦଶନ୍ଧି ଅତିକ୍ରମ କରିସାରିଲାଣି। ଉକ୍ତ ବିସ୍ଥାପିତ ଲୋକେ ଏବେ ବି ଜଙ୍ଗଲ ଭିତରେ ପଡ଼ି ରହିଛନ୍ତି। ସେମାନଙ୍କ ପାଇଁ ସରକାରୀ ଯୋଜନା ସାତ ସପନ। ହୀରାକୁଦ ନଦୀବନ୍ଧ ଯୋଜନାର ବିସ୍ଥାପିତଙ୍କ ଦୁଃଖ କାହାକୁ ଅଛପା ନାହିଁ। ଭିଟାମାଟି ହରାଇ ବି ସେମାନେ ଆଜି ପର୍ଯ୍ୟନ୍ତ ଉଚିତ କ୍ଷତିପୂରଣ ପାଇନାହାନ୍ତି।