ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ରାଜ୍ୟ ସରକାର ଏବଂ ଟାଟା ଟ୍ରଷ୍ଟ ମଧ୍ୟରେ ବୁଝାମଣାପତ୍ର(ଏମ୍ଓୟୁ) ସ୍ୱାକ୍ଷରିତ ହୋଇଛି। ଏମ୍ଓୟୁ ଅନୁଯାୟୀ ରାଜ୍ୟର ୯୭ଟି ସହରାଞ୍ଚଳର ବସ୍ତିବାସିନ୍ଦାମାନଙ୍କୁ ବାସୋପଯୋଗୀ ଜମି ଅଧିକାର ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେବ। ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଥିବାରୁ ହିନ୍ଦୋଳ, ଅତାବିରା ଏବଂ ନୂଆପଡ଼ା ପୌର ସଂସ୍ଥାରେ ଜମି ଅଧିକାର ହସ୍ତାନ୍ତର ହୋଇପାରିବନାହିଁ। ଏହାଛଡ଼ା ଗଞ୍ଜାମ, ପୁରୀ ୨ଟି ଜିଲ୍ଲାର ୯ଟି ସହରାଞ୍ଚଳରେ ପରୀକ୍ଷାମୂଳକ ଭାବେ ଏହି କାର୍ଯ୍ୟକ୍ରମ ଆଗେଇ ଚାଲିଛି। ଓଡ଼ିଶା ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଆଇନ, ୨୦୧୭ ଅନୁଯାୟୀ ଜମି ଅଧିକାର ହସ୍ତାନ୍ତର ପ୍ରକ୍ରିୟା ନେଇ ଟାଟା ଟ୍ରଷ୍ଟ ବୈଷୟିକ ସହାୟତା ଯୋଗାଇଦେବ। ବସ୍ତି ବାସିନ୍ଦାମାନଙ୍କୁ ଜମି ଅଧିକାର ପ୍ରଦାନ ନେଇ ରାଜ୍ୟ ସରକାରଙ୍କ ପଦକ୍ଷେପ ଦେଶରେ ପ୍ରଥମ, ଐତିହାସିକ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବର୍ଣ୍ଣନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଗୋଟିଏ ପଟେ ପ୍ରଚଳିତ ବ୍ୟବସ୍ଥାରେ ସେମାନଙ୍କୁ ଜବରଦଖଲକାରୀ ଭାବେ ବିବେଚନା କରି ଉଚ୍ଛେଦ କରାଯାଉଛି। ସେ ପଟେ ସହର ଜୀବନ ପ୍ରତି ସେମାନଙ୍କର ଅବଦାନକୁ ସ୍ୱୀକାର କରି ଜମି ଅଧିକାର ଯୋଗାଇଦେବାର ଗୁରୁତ୍ୱ ରହିଛି। ଏଭଳି ୨ଟି ପ୍ରସଙ୍ଗକୁ ନେଇ ସାତ ମାସ ତଳେ ସରକାରଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିଥିଲା। ତେବେ ପ୍ରଥମେ ଲୋକଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦେବା ନିମନ୍ତେ ୨ୟ ପ୍ରସଙ୍ଗ ଅର୍ଥାତ୍ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ହସ୍ତାନ୍ତର କରାଯିବ ବୋଲି ନିଷ୍ପତ୍ତି ଚୂଡ଼ାନ୍ତ ହେଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଜମି ହସ୍ତାନ୍ତର ପ୍ରକ୍ରିୟା ସୁବ୍ୟବସ୍ଥିତ ତଥା ବୈଜ୍ଞାନିକ ପଦ୍ଧତିରେ ଗୋଷ୍ଠୀମାନଙ୍କ ପ୍ରତ୍ୟକ୍ଷ ଅଂଶଗ୍ରହଣରେ କରାଯାଉଥିବା ଖୁସିର କଥା ବୋଲି ଶ୍ରୀ ପଟ୍ଟନାୟକ ମତ ଦେଇଥିଲେ। ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥନନ ଏ ନେଇ ପ୍ରଣୟନ ହୋଇଥିବା ଆଇନ, ନିୟମାବଳୀ ସଂପର୍କରେ ସୂଚନା ଦେବା ସହିତ ତଥ୍ୟାବଳୀ ଉପସ୍ଥାପନ କରିଥିଲେ। ରାଜ୍ୟର ୧୦୯ ସହରାଞ୍ଚଳରେ ଥିବା ପ୍ରାୟ ୨୫୦୦ ବସ୍ତିର ୨.୫ ଲକ୍ଷ ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ମିଳିବ। ବିଜ୍ଞାପିତ(ଏନ୍ଏସି) ଅଞ୍ଚଳରେ ୬୪୬ ବର୍ଗଫୁଟ୍, ପୌରାଞ୍ଚଳରେ ୪୮୪ ବର୍ଗ ଫୁଟ ପରିମିତ ଜମି ଦିଆଯିବ। ଯେଉଁଠି ବାସୋପଯୋଗୀ ଜମି ନ ମିଳେ, ସେଠାରେ ପ୍ରତ୍ୟେକ ବାସିନ୍ଦା ସର୍ବାଧିକ ୩୨୩ ବର୍ଗ ଫୁଟ ଜମି ପାଇବେ। କେବଳ ଜମି ନୁହେଁ, ବସ୍ତି ବାସିନ୍ଦାଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯିବ। ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏଭଳି କାର୍ଯ୍ୟ ଅତ୍ୟନ୍ତ ଜଟିଳ ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ ଫଳରେ ଏହା ଅତ୍ୟନ୍ତ ସରଳ ହୋଇପାରିଥିବା କହିଥିଲେ। ଟାଟା ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଭେଙ୍କଟରମଣ କହିଥିଲେ, ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ଦେବା ନେଇ ମୁଖ୍ୟମନ୍ତ୍ରୀ ସାହସିକତାର ପରିଚୟ ଦେଇଛନ୍ତି। ଟାଟା ଟ୍ରଷ୍ଟ ପକ୍ଷରୁ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରି ଡ୍ରୋନ୍ ଯୋଗେ ହିତାଧିକାରୀମାନଙ୍କ ସର୍ଭେ କରାଯିବ ବୋଲି ସୂଚନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭିଡିଓ କନ୍ଫରେନ୍ସିଂ ଯୋଗେ ସବୁ ଜିଲ୍ଲାପାଳ ଅଂଶଗ୍ରହଣ କରିଥିଲେ। ଶେଷରେ ଧନ୍ୟବାଦ ଦେଇଥିଲେ ପୌର ପ୍ରଶାସନ ନିର୍ଦେଶକ ସଂଗ୍ରାମଜିତ୍ ନାୟକ।
ଏବେ ବସ୍ତି ବାସିନ୍ଦାଙ୍କୁ ଜମି
ଟାଟା ଟ୍ରଷ୍ଟ ସହିତ ଏମ୍ଓୟୁ କଲେ ସରକାର, ବାଦ୍ ପଡ଼ିବ ୩ଟି ସହରାଞ୍ଚଳ
/sambad/media/post_attachments/wp-content/uploads/2018/03/Tata-MOU.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)