ରାୟଗଡା: ଜିଲ୍ଲାର ଗ୍ରାମାଚଂଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏକ ପ୍ରହସନରେ ପରିଣତ ହୋଇଯାଇଛି। ବର୍ଷ ବର୍ଷ ଧରି ହିତାଧିକାରୀମାନେ ଆବାସଟିଏ ପାଇଁ ବ୍ଳକ କାର୍ଯ୍ୟାଳୟକୁ ଦୌଡ଼ିଦୌଡ଼ି ନୟାନ୍ତ ହେଉଥିବା ବେଳେ ଯାହାକୁ କାର୍ଯ୍ୟାଦେଶ ମିଳିଛି ସିଏ ପକ୍କା ଘର କରିବା ପାଇଁ ଜମିପଟ୍ଟା ନଥିବା ଯୋଗୁଁ ଘର ତିଆରି କରିପାରୁ ନାହାନ୍ତି।ଜିଲ୍ଲାର ୧୧ଟି ବ୍ଳକରେ ସେହି ସମାନ ଅବସ୍ଥା ଦେଖାଦେଇଥିବା ବେଳେ ଜମିପଟ୍ଟାର ବ୍ୟବସ୍ଥା ଦିଗରେ ପ୍ରଶାସନ ଆଗଭର ହଉନଥିବା ଦେଖିବାକୁ ମିଳିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାର କେରେଡ଼ା ପଞ୍ଚାୟତରେ। ପ୍ରଧାନମନ୍ତ୍ରୀ ଆବାସ ଗୃହ ନିର୍ମାଣ ପାଇଁ ତାଲିକା ପ୍ରକାଶ ପାଇବା ପରେ ଯେଉଁମାନେ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ସାମିଲ ହୋଇଛନ୍ତି ସେମାନଙ୍କର ଖୁସି କହିଲେ ନସରେ। କାର୍ଯ୍ୟାଦେଶ ପାଇବା ପରେ ହିତାଧିକାରୀଙ୍କ ଘର ଆଗରେ ବାଲି ଓ ପଥର ମେଟାଲ ପକାଇବା ଆରମ୍ଭ କଲେ। କିନ୍ତୁ ଘର କରିବାର ସମସ୍ତ ଜିନିଷ ଘର ଆଗରେ କିଏ ପକାଇଛି ତ ଆଉ କେଉଁ ହିତାଧିକାରୀ ଗୃହ ନିର୍ମାଣ ପାଇଁ ଇଟା କିଣି ଦୀର୍ଘ ଦିନ ହେଲାଣି ସାଇତି ରଖିଛି। କିନ୍ତୁ ଜାଗାର ଜମିପଟ୍ଟା ନଥିବା ଯୋଗୁଁ ଘର ନିର୍ମାଣ ହୋଇପାରୁନି।
ହିତାଧିକାରୀମାନେ କାର୍ଯ୍ୟାଦେଶ ପାଇ ଯେତିକି ଖୁସିରେ ଥିଲେ ଏବେ ତାଠାରୁ ଅଧିକା ଦୁଃଖରେ ରହିଛନ୍ତି। ରାୟଗଡା ସଦର ବ୍ଳକର କେରେଡା ପଚାଂୟତ ଅନ୍ତର୍ଗତ ଅତଡା ଗ୍ରାମର ବାସ କରନ୍ତି ୫୫ ବର୍ଷିୟ ମୋହନ ପାଲକା। ଘରେ ତିନି ପ୍ରାଣି କୁଟୁମ୍ବ। ଆବାସ ଯୋଜନାରେ ଆବେଦନ କରିବା ପରେ ଚଳିତ ବର୍ଷ ଘରର ଜିଓ ଟେଗିଙ୍ଗ ହୋଇଥିଲା।ପ୍ରଥମ ପର୍ଯ୍ୟାୟରେ ମୋହନଙ୍କୁ ସରକାରଙ୍କ ପକ୍ଷରୁ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ହେଲେ ମୋହନ କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟଙ୍କ ନାମରେ ପକ୍କା ଜମିପଟ୍ଟା ନଥିବା ଯୋଗୁଁ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁନି। ଏନେଇ ମୋହନ ବାରମ୍ବାର ପଚାଂୟତ କାର୍ଯ୍ୟାଳୟକୁ ଦୌଡିଲେ ମଧ୍ୟ କୋଣସି ସୁଫଳ ମିଳୁଳି।
ସେହିପରି ଉକ୍ତ ଗ୍ରାମର ଅନ୍ୟ ଜଣେ ହିତାଧିକାରୀ ହେଉଛନ୍ତି ଲଳିତା ମେଲକା। ଭଙ୍ଗା ଦଦରା ମାଟି ଦିଆ ଚାଳ ଛପର ଘରେ ପରିବାରକୁ ସାଥିରେ ନେଇ ରହୁଛନ୍ତି। ବର୍ଷା ହେଲେ ମାଟି କାନ୍ଥ ଭୁଶୁଡି ପଡିଥିବା ବେଳେ ଯେକୌଣସି ସମୟରେ ମଧ୍ୟ ଦୁର୍ଘଟଣା ଘଟିବାର ଆଶଙ୍କା କରୁଛନ୍ତି। ଲଳିତାଙ୍କୁ ମଧ୍ୟ ସରକାରଙ୍କ ପକ୍ଷରୁ ଆବାସ ଯୋଜନାରେ ସାମିଲ କରାଯାଇଛି। ହେଲେ ଲଳିତାଙ୍କ ପକ୍କା ଜମିପଟ୍ଟା ନଥିବା ବେଳେ ସେ ଗୃହ କାର୍ଯ୍ୟ କିପରି କରିବେ ତାକୁ ନେଇ ସେ ଚିନ୍ତାରେ ପଡିଛନ୍ତି। ଆବାସ ଗୃହ ନିର୍ମାଣ ପାଇଁ ପକ୍କା ଜମି ପଟା ନଥିବା ଯୋଗୁଁ ଜିଲ୍ଲାର ୧୧ ଟି ବ୍ଳକରେ ପ୍ରାୟ ସମାନ ସମସ୍ୟା ଦେଖାଦେଇଛି।
ମିଳିଥିବା ସୂଚନା ଅନୁଯାୟୀ ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ଜିଲ୍ଲାରେ କେତେ ହିତାଧିକାରୀଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଛି ତାହାର ସଠିକ ତଥ୍ୟ ମିଳୁନଥିବା ବେଳେ ୨୦୨୧-୨୨ ଆର୍ଥୀକ ବର୍ଷରେ ରାୟଗଡା ଜିଲ୍ଲାର ୨୬,୯୩୭ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରାଯାଇଛି। ଗତବର୍ଷ ବିଷମକଟକ ବ୍ଳକରେ ୩୦୬୭ ଜଣ ହିତାଧିକାରୀଙ୍କୁ ଆବାସ ଗୃହ ମିଳିଥିବା ବେଳେ ଚନ୍ଦ୍ରପୁର ବ୍ଳକରେ ୧୬୩୦ ଜଣ, ଗୁଡାରୀ ବ୍ଳକରେ ୧୫୦୭ ଜଣ, ଗୁଣୁପୁର ବ୍ଳକରେ ୨୫୬୪ ଜଣ, କଲ୍ୟାଣସିଂହପୁର ବ୍ଳକରେ ୩୧୦୮ ଜଣ, କାଶୀପୁର ବ୍ଳକରେ ୩୧୦୦ ଜଣ, କୋଲନରା ବ୍ଳକରେ ୨୭୫୦ ଜଣ, ମୁନିଗୁଡା ବ୍ଳକରେ ୩୧୨୨ ଜଣ, ପଦ୍ମପୁର ବ୍ଳକରେ ୧୪୮୯ ଜଣ, ରାମନାଗୁଡା ବ୍ଳକରେ ୧୫୪୩ ଓ ରାୟଗଡା ସଦର ବ୍ଳକରେ ୩୦୫୭ ଜଣ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହୋଇଛନ୍ତି। ତେବେ ଯେଉଁ ହିତାଧିକାରୀଙ୍କ ଗୃହ ନିର୍ମାଣ କ୍ଷେତ୍ରରେ ସମସ୍ୟା ରହିଛି ତାର ସମାଧାନ କରାଯିବ ବୋଲି ରାୟଗଡା ବିଡିଓ ସୂଚନା ଦେଇଛନ୍ତି। ଆବଶ୍ୟକ ଭିତିଭୂମି ନଥାଇ ଅନେକ ହିତାଧିକାରୀ ଆବାସ ଗୃହ ପାଇବାରୁ ବଚିଂତ ହେଉଛନ୍ତି। ଏଥିପ୍ରତି ସରକାର ଓ ଜିଲ୍ଲା ପ୍ରଶାସନ ଉଚିତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।