ରାଜ୍ୟରେ ଜମି କିସମ, ସ୍ୱତ୍ୱ ବ୍ୟବସ୍ଥା ସରଳୀକରଣ ହେବ

ଏବେ ୭,୭୯୭ କିସମ ଜମି ରହିଛି, ରେକର୍ଡ କରିବାକୁ ୭୫୦ ପ୍ରକାର ଶବ୍ଦ ବ୍ୟବହାର ହେଉଛି

ଭୁବନେଶ୍ବର : ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ ଅଫ୍ ରାଇଟ୍‌ରେ ୭୭୯୭ ପ୍ରକାର କିସମ ବ୍ୟବସ୍ଥା ରହିଛି। ସ୍ଥାନୀୟ ଭାଷାର ବ୍ୟବହାର କରାଯାଇ କିସମ ବ୍ୟବସ୍ଥା ଜଟିଳ ହୋଇପଡ଼ିଛି। ଏହା ସହ ଜମି ସ୍ବତ୍ତ୍ବ ରେକର୍ଡ କଲା ବେଳେ ପାଖାପାଖି ୭୫୦ ଭିନ୍ନ ଭିନ୍ନ ଶବ୍ଦ ବ୍ୟବହାର କରାଯାଉଛି। ଏହି ପୁରୁଣା ବ୍ୟବସ୍ଥା ଉଭୟ ସରକାର ଓ ଲୋକଙ୍କୁ ଅଡ଼ୁଆ କରୁଛି। ତେଣୁ ଜମି କିସମ ଓ ସ୍ବତ୍ବ ବ୍ୟବସ୍ଥାର ସରଳୀକରଣ କରିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି। ଏ ନେଇ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହୋଇଛି।

ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହାର ସମୀକ୍ଷା କରାଯାଇଛି। ରାଜସ୍ବ ପର୍ଷଦର ସଭ୍ୟ ସି ଜେ ବେଣୁଗୋପାଳ କହିଲେ, କିସମ ଓ ସ୍ବତ୍ବର ପ୍ରଚଳିତ ନିୟମ ବହୁତ ପୁରୁଣା ହେଲାଣି। ବର୍ତ୍ତମାନର ପରିବର୍ତ୍ତିତ ସାମାଜିକ-ଅର୍ଥନୈତିକ ସ୍ଥିତିରେ ଏହାର ସରଳୀକରଣ ହେବାର ଆବଶ୍ୟକତା ରହିଛି। ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଲେ, କିସମର ବ୍ୟବସ୍ଥାର ସୁସଙ୍ଗତ କଲେ ଜମି ମାଲିକାନା ପରିବର୍ତ୍ତନ ଓ ଚାଷୀଙ୍କୁ ସୁବିଧାସୁଯୋଗ ଦେବା ସହଜ ଓ ତ୍ବରିତ ହେବ। ଏହା ଦ୍ବାରା ଲୋକଙ୍କ ପାଇଁ ରାଜସ୍ବ ଦେୟ ପ୍ରଦାନ ବ୍ୟବସ୍ଥା ବି ସହଜ ହେବ।

ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଥିଲେ, ଜମିଜମା ସହ ଜଡ଼ିତ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସମେତ ଲୋକ ପ୍ରତିନିଧିମାନଙ୍କ ସହ ଏ ସମ୍ପର୍କରେ ବ୍ୟାପକ ପରାମର୍ଶ କରାଯାଉ। ଲୋକଙ୍କ ଭିତରେ ଯେପରି ଭ୍ରାନ୍ତ ଧାରଣା ପ୍ରସାର ନ ହୁଏ, ସେଥି ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ରାଜସ୍ବ ଡିଭିଜନ୍ ଓ ଜିଲ୍ଲା ସ୍ତରରେ ବ୍ୟାପକ ପରାମର୍ଶ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା।

କିସମ ଓ ସ୍ବତ୍ତ୍ବର ସୁସଙ୍ଗତ ପାଇଁ ଜମି ରେକର୍ଡର ଡିଜିଟାଇଜେସନ୍‌, ପରିଚାଳନା ବ୍ୟବସ୍ଥା, ଭୂଲେଖ ଓ ଭୂ-ନକ୍ସାରେ ଆସିଥିବା ସଂସ୍କାରକୁ ବିଚାରକୁ ନିଆଯିବ। ବର୍ତ୍ତମାନ କିସମ ବ୍ୟବସ୍ଥାରେ ସମାନ ଧରଣର ଜମି ବ୍ୟବହାରରେ ବହୁତ ସ୍ଥାନୀୟ ଭାଷାର ବ୍ୟବହାର ହେଉଛି। ରେକର୍ଡ ଅଫ୍ ରାଇଟ୍‌ରେ ଭିନ୍ନ ଭିନ୍ନ ପ୍ରକାର ଜମି ବ୍ୟବହାର ସ୍ପଷ୍ଟ ଭାବେ ପ୍ରତିଫଳିତ ହେଉ ନାହିଁ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓ ଜମି କ୍ଷତିପୂରଣ ପ୍ରଦାନ ସମୟରେ ଚାଷୀଙ୍କୁ ସରକାରୀ ସୁବିଧା ପ୍ରଦାନ ବେଳେ ଏକାଧିକ କିସମ ବହୁ ସମସ୍ୟା ସୃଷ୍ଟି କରୁଛି। ସୀମିତ ଶବ୍ଦରେ କିସମ ଓ ସ୍ବତ୍ତ୍ବର ସରଳୀକରଣ ହେଲେ ସ୍ପଷ୍ଟ ରେକର୍ଡ ହୋଇପାରିବ ଓ ଜମି ଉପରେ ମାଲିକାନା ଦୃଢ଼ ହୋଇପାରିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ବୈଠକରେ ଲ୍ୟାଣ୍ଡ୍‌ ରେକର୍ଡ ନିର୍ଦ୍ଦେଶକ ବି ପରମେଶ୍ବରନ୍, ରାଜସ୍ବ ବିଭାଗର ଅତିରିକ୍ତ ସଚିବ ଶୈଳେନ୍ଦ୍ର ଦ୍ବିବେଦୀ, ରାଜସ୍ବ ପର୍ଷଦର ଯୁଗ୍ମ ସଚିବ ସନ୍ତୋଷୀ ସାହୁଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର