୧,୨୩,୯୭୦ଜଣଙ୍କ ଜମି ପଟ୍ଟା ଖାରଜ, ସୁନ୍ଦରଗଡ଼ ଜିଲ୍ଲାରୁ ୬୨୧

ସୁନ୍ଦରଗଡ଼ : ରାଜ୍ୟର ୧,୨୩,୯୭୦ ଜଣ ଜନଜାତି ଓ ପାରମ୍ପରିକ ବନବାସୀ ଜଙ୍ଗଲରୁ ବାସଚ୍ୟୁତ ହେବେ। ସେମାନଙ୍କ ଜମିପଟ୍ଟା ଖାରଜ ହୋଇଛି। ସେହିଭଳି, ସୁନ୍ଦରଗଡ଼ ଜିଲ୍ଲାରେ ୬୨୧ ଜଣ ଆଦିବାସୀ ତଥା ବନବାସୀଙ୍କୁ ମିଳିଥିବା ଜଙ୍ଗଲ ଜମି ପଟ୍ଟା ଖାରଜ ହୋଇଛି। ଏହି ଜମି ପଟ୍ଟା ତୁରନ୍ତ‌ ଫେରାଇବାକୁ ନିର୍ଦ୍ଦେଶ ହୋଇଛି। ସେମାନଙ୍କୁ ତୁରନ୍ତ ଜଙ୍ଗଲରୁ ବେଦଖଲ କରିବାକୁ ମଧ୍ୟ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ଜଙ୍ଗଲ ଅଧିକାର ସ୍ବୀକୃତି ସ˚ଶୋଧିତ ନିୟମାବଳୀ ଧାରା ୨୦୧୨ର ୧୨ (କ) ଉପଧାରା ୭ ଓ ୧୦ ଅନୁସାରେ ଉପଯୁକ୍ତ ପ୍ରମାଣ ଦାଖଲ କରି ପାରି ନ ଥିବା ଦର୍ଶାଇ ଆବେଦନଗୁଡ଼ିକ ଖାରଜ କରି ଦିଆଯାଇଛି। ଏଥିଯୋଗୁଁ ସୁନ୍ଦରଗଡ଼ ଜିଲ୍ଲାର ଏହି ଆଦିବାସୀଙ୍କ ସମେତ ଓଡ଼ିଶାର ୧,୨୩,୯୭୦ ଜଣ ଜନଜାତି ଓ ପାରମ୍ପରିକ ବନବାସୀ ଜଙ୍ଗଲରୁ ବାସଚ୍ୟୁତ ହେବେ। ଏଥିଯୋଗୁଁ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଅପରପକ୍ଷେ ପ୍ରଶାସନ ୬୨୧ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଜମି ପଟ୍ଟା ଖାରଜ କରିବା ସମ୍ପୂର୍ଣ୍ଣ ଆଇନବିରୁଦ୍ଧ, ଗ୍ରାମସଭାର ବିନା ଅନୁମୋଦନରେ ଏଭଳି କରାଯାଇଥିବା ଅଭିଯୋଗ ହୋଇଛି। ବନବାସୀଙ୍କ ଯୁକ୍ତି ହେଲା, ଜଙ୍ଗଲ ଅଧିକାର ସ୍ବୀକୃତି ଆଇନ ୨୦୦୬ ଅନୁସାରେ ଶିରୋନାମା ପଟ୍ଟା ଆବେଦନ ପରେ ସମସ୍ତ ପ୍ରକାର ଆଲୋଚନା ଓ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ପଲ୍ଲୀସଭା, ଗ୍ରାମସଭାର ଅନୁମୋଦନ ପରେ ଏହାର ଯୁଗ୍ମ ତାଲିକା ତହସିଲଦାରଙ୍କ ଜରିଆରେ ଉପଖଣ୍ତସ୍ତରୀୟ କମିଟିକୁ ପଠାଯାଇଥିଲା। ସେଠାରେ ନିୟମ ଅନୁସାରେ ପ୍ରମାଣପତ୍ରଗୁଡ଼ିକର ଯାଞ୍ଚ ଓ ଅନୁମୋଦନ ପରେ ଜିଲ୍ଲାସ୍ତରୀୟ କମିଟିର ଅନୁମୋଦନ ଲାଭ କରେ। ଜିଲ୍ଲାପାଳ, ସମନ୍ନିତ ଆଦିବାସୀ ଉନ୍ନୟନ ସ˚ସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସ୍ବାକ୍ଷରରେ ଶିରୋନାମା ପଟ୍ଟା ପ୍ରଦାନ କରାଯାଏ। ଏବେ ଏହା ଠିକ୍‌ ନ ଥିବା ଦର୍ଶାଇ ପ୍ରଶାସନ ପଟ୍ଟାକୁ ଖାରଜ କରିବା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ସେମାନଙ୍କ ମତରେ, ଗ୍ରାମସଭା କମିଟି ବ୍ୟତୀତ କୌଣସି ପ୍ରାଶାସନିକ ଅଧିକାରୀ ଜଙ୍ଗଲ ଅଧିକାର ସମୂହ ଉପରେ ଦାବି ଗ୍ରହଣ, ଖାରଜ କିମ୍ବା ସ˚ଶୋଧନ ବା ଫଇସଲା କରିବା ପାଇଁ କ୍ଷମତାପ୍ରାପ୍ତ ନୁହନ୍ତି। ପ୍ରଶାସନ ଆଇନର ଖୋଲା ଉଲ୍ଲ˚ଘନ କରି ପଟ୍ଟା ଖାରଜ ଓ ଫେରସ୍ତ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ହୋଇଛି। ବନବାସୀଙ୍କୁ ସମ୍ପୂର୍ଣ୍ଣ ଅଧିକାର ଦେବା ପାଇଁ ୨୦୦୬ରେ ଜଙ୍ଗଲ ଅଧିକାର ଆଇନ ପ୍ରଣୟନ କରାଗଲା। ଏହା ପରେ ବନବାସୀଙ୍କୁ ଜଙ୍ଗଲ ଜମି ଶିରୋନାମା ପ୍ରଦାନ କରି ପରିଚୟ ଦିଆଗଲା। କିନ୍ତୁ ଏବେ ପ୍ରଶାସନ ସରଳ ବନବାସୀଙ୍କ ଠାରୁ ତାଙ୍କ ଅଧିକାର ଛଡ଼ାଇ ନେଇ ଥିବାରୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର