ଗୋପାଳପୁର : ନକଲି କାଗଜପତ୍ର କରି ୭୦ ଲକ୍ଷ ଟଙ୍କା ମୂଲ୍ୟର ଅନ୍ୟ ଜଣଙ୍କ ଜମି ବିକିଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଏହିଭଳି ଏକ ଜାଲିଆତି ଘଟଣାରେ ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ପୁଲିସ ଆଜି ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଚମାଖଣ୍ଡି ଥାନା ଡିଫେନ୍ସ କଲୋନିର ମନୋଜ କୁମାର ମହାନ୍ତି ଓ ଜଗନ୍ନାଥପୁରର ସନ୍ତୋଷ କୁମାର ଦାଶ ବୋଲି ପୁଲିସ କହିଛି। ଏମାନଙ୍କ ନିକଟରୁ ଜମି କିଣାବିକା ସମ୍ପର୍କିତ ନକଲି କାଗଜପତ୍ର ଓ ପରିଚୟପତ୍ର ଜବତ କରା ଯାଇଥିବା ଏଏସ୍ପି ରମେଶ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଚମାଖଣ୍ଡି ଥାନା ଡିଫେନ୍ସ କଲୋନିରେ ରହୁଥିବା ସୁଧାଂଶୁ ଶେଖର ପାଣିଗ୍ରାହୀ ୨୦୦୪ ମସିହାରେ ପୁରୁଣା ଭୁବନେଶ୍ୱରର ରୀତାଞ୍ଜଳି ସାମନ୍ତରାୟଙ୍କୁ ଆମ୍ବପୁଆ ମୌଜା ଡିଫେନ୍ସ କଲୋନିରେ ଥିବା ଏକ ଜମି (୦.୧୬୪ ଡେସିମିଲ) ବିକ୍ରି କରିଥିଲେ। ୨୦୧୯ ମସିହାରେ ଡିଫେନ୍ସ କଲୋନିରେ ରହୁଥିବା ମନୋଜ ଓ ଜଗନ୍ନାଥପୁରର ସନ୍ତୋଷ ଅନନ୍ତେଇ ଗ୍ରାମର ଟୁନି ପାତ୍ରଙ୍କୁ ରୀତାଞ୍ଜଳି ସାମନ୍ତରାୟ ଦର୍ଶାଇ ନକଲି ପରିଚୟପତ୍ର ଓ ସେଲ୍ଡିଡ୍ ତିଆରି କରିଥିଲେ। ପରେ ସେହି ପ୍ଲଟ୍କୁ ଅଧା ଅଧା ନିଜ ନିଜ ନାମରେ ବ୍ରହ୍ମପୁର ସବ୍ରେଜିଷ୍ଟ୍ରାର୍ ଅଫିସ୍ରେ ରେଜିଷ୍ଟ୍ରେସନ୍ କରାଇ ନେଇଥିଲେ। ପରେ ୨୦୨୦ ମସିହାରେ ବୁଗୁଡ଼ାର ମନୋଜ କୁମାର ସାହୁଙ୍କୁ ସେହି ଜମି ୭୦ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ। ପରବର୍ତୀ ସମୟରେ ମନୋଜ ସେହି ପ୍ଲଟ୍ରେ କାମ ଆରମ୍ଭ କରିଥିଲେ। ମନୋଜ କାମ ଆରମ୍ଭ କରୁଥିବା ଜାଣିବାକୁ ପାଇଥିଲେ ଜମିର ଅସଲି ମାଲିକ ରୀତାଞ୍ଜଳି। ରୀତାଞ୍ଜଳିଙ୍କ ଅଜାଣତରେ ପ୍ଲଟ୍ ବିକ୍ରି ହୋଇଥିବା ଜାଣି ସେ ଗତ ୬ ତାରିଖରେ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଅଭିଯୋଗ ପ୍ରକାରେ ପୁଲିସ କେସ୍ ନମ୍ବର ୧୦୭/୨୨ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ଦୁଇ ଅଭିଯୁକ୍ତ ମନୋଜ ଓ ସନ୍ତୋଷଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। ସେମାନଙ୍କ ନିକଟରୁ ସେଲ୍ ଡିଡ୍, ଆଧାର କାର୍ଡ଼, ଭୋଟର୍ କାର୍ଡ଼ ଓ ଜମି ବିକ୍ରି ସମ୍ପର୍କିତ ନକଲି କାଗଜପତ୍ର ଜବତ ହୋଇଛି। ଏହି କାରବାରରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/thak.jpg)
