ତହସିଲଦାରଙ୍କ ବିରୋଧରେ ପୁଣି ଜମି କେଳେଙ୍କାରୀ ଅଭିଯୋଗ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ଧାରଣା

ଖୋର୍ଦ୍ଧା: ବୋଲଗଡ଼ର ବିଡିଓ ତଥା ଭାରପ୍ରାପ୍ତ ତହସିଲଦାର, ଭାରପ୍ରାପ୍ତ ଉପନିବନ୍ଧକଙ୍କ ବିରୋଧରେ ଆଉ ଏକ ଜମି କେଳେଙ୍କାରୀର ଅଭିଯୋଗ ଆସିଛି । ବିଡିଓ ଚଂଚକତା କରି ତାଙ୍କ ନାମରେ ଥିବା ଜମିକୁ ବିକ୍ରି କରିବାକୁ ଅନୁମତି ଦେଇଥିବା ଅଭିଯୋଗ କରି କଳ୍ପନା ରାଉତ ନାମ୍ନୀ ମହିଳା ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି ।

ଆଜି ସକାଳ ପ୍ରାୟ ୧୨ଟାରେ କଳ୍ପନା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଧାରଣା ଦେଇଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତରେ କାର୍ଯ୍ୟାଳୟରେ ଏକ ଲିଖିତ ଅଭିଯୋଗ କରିଛନ୍ତି । କଳ୍ପନାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଘର ବୋଲଗଡ଼ ବ୍ଲକ ଚୁଡ଼ା- ଡାବରଧୁଆ ପାଟଣା । ତାଙ୍କ ବାପା କୈଳାସ ରାଉତଙ୍କ ନାମରେ ଚୁଡ଼ା ମୌଜାର ଖାତା ନଂ ୭୩୧/୨୦୨, ପ୍ଲଟ ନମ୍ବର ୬୩୮/୨୧୧୭ରେ ୦.୦୩୮ ଡେସିମଲର ଏକ ଜମି ଓ ଖାତା ନଂ ୭୩୧/୨୦୨ ପ୍ଲଟ ନଂ ୧୬୪୮/୨୧୨୧ର ୦.୦୨୧ ଡେସିମଲ ଜମି ରହିଛି । ଏହି ଜମି ତାଙ୍କ ପିତାଙ୍କ ମୃତ୍ୟୁ ପରେ ଭାଇ ବିଭୂ କଲ୍ୟାଣ ରାଉତ ଓ ତାଙ୍କ ନାମରେ ରହିଥିଲା । କିନ୍ତୁ ବର୍ତମାନ ଏହା ତାଙ୍କ ଭାଇଙ୍କ ନାମରେ ପଂଜୀକୃତ ହୋଇଛି । ଏନେଇ ସେ ବିରୋଧ ପିଟିସନ ଦାଖଲ କରିଛନ୍ତି । ତେବେ ତାଙ୍କର ବିନା ଅବଗତିରେ ନିୟମ ବହିର୍ଭୁତ ଭାବେ ଏଭଳି ପଂଜୀକରଣ କରାଯିବାକୁ ଅନୁମତି ଦେଇଥିବାରୁ ଭାରପ୍ରାପ୍ତ ତହସିଲଦାର ଓ ଉପନିବନ୍ଧକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ପୂର୍ବେ ଅନୁରୂପ ଭାବେ ବେଆଇନ ଭାବେ ଜମି ବିଭିନ୍ନ ବ୍ୟକ୍ତିଙ୍କ ନାମରେ ପଂଜୀକୃତ ହୋଇଥିବା ଦର୍ଶାଇ ବୋଲଗଡ଼ ତହସିଲ ଆଗରେ ଲୋକମାନେ ଦୁଇ ଦୁଇ ଥର ଧାରଣା ଦେଇଥିଲେ । ଏନେଇ ବୋଲଗଡ଼ ବିକାଶ ମଂଚ ପକ୍ଷରୁ ଏକ ଦାବିପତ୍ର ମଧ୍ୟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏନେଇ ଜିଲ୍ଲାପାଳ ମଧ୍ୟ ଅତିରିକ୍ତ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସମ୍ବନ୍ଧିତ ଖବର